କୁସୁମଘାଟି ଗାଁରେ କଳାକନା ବୁଲାଇଲେ ଡକାୟତ

କଲ୍ୟାଣସିଂହପୁର: ଗାଁରେ ପଶିଲେ ୨୦ରୁ ୨୫ ସଶସ୍ତ୍ର। ତଣ୍ଟିରେ ଛୁରି ଲଗାଇ ଲୁଟିନେଲେ ୫ଲକ୍ଷ ଟଙ୍କାର ସୁନା ଓ ନଗଦ। ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ କୁସୁମଘାଟି ଗାଁରେ। ଗାଁରେ ୫ପରିବାର ବସବାସ କରୁଥିବା ବେଳେ ସମସ୍ତେ ଆଦିବାସୀ ଶ୍ରେଣୀର। ଗତକାଲି ରାତିରେ ସବୁ ପରିବାର ଖାଇ ସାରି ତାଟି କବାଟ ଦେଇ ଶୋଇ ଥିଲେ। ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ୨୫ଜଣ ଡକାୟତ ମୁହଁରେ କପଡା ବାନ୍ଧି ଗାଁରେ ପଶିଥିଲେ। ଡକାୟତ ଦଳର କିଛି ସଦସ୍ୟ ଗାଁକୁ ଚାରିପଟୁ ପ୍ରଥମେ ଘେରାବନ୍ଦୀ କରି ରଖିଥିଲେ। ଏହାପରେ କିଛି ସଦସ୍ୟ ଶ୍ରୀଧର କୁଲେଶିକା, ରାଉତ ପିଡିଶିକା, ସାଲୁପୁ କୁଲେଶିକା, ଚୈତନ କୁଲେଶିକା, ଗୋପୀ କୁଲେଶିକାଙ୍କ ଘରେ ଧସେଇ ପଶିଥିଲେ। ମହିଳାଙ୍କୁ ଘର ବାହାର କରି ଦେଇ ଗୋଟିଏ ସ୍ଥାନରେ ନଜର ବନ୍ଦୀ କରି ରଖିଥିଲେ।

ବେକରେ ଛୁରି ଲଗାଇ ପୁରୁଷଙ୍କୁ ବାକ୍ସ ଓ ଆଲମାରି ଚାବି ମାଗିଥିଲେ। ଚାବି ମିଳିଯିବାରୁ ଯାହା ଆଖିରେ ପଡିଲା ସବୁ ଲୁଟିଲେ। ବିଶେଷ କରି ଆସିବାସୀମାନେ ଗୋଟିଏ ସ୍ଥାନରେ ଟଙ୍କା, ସୁନା ରଖୁ ନଥିବାରୁ ଘରେ ଥିବା ଚାଉଳ, ମାଣ୍ଡିଆ ବସ୍ତା, ଟିଣ ଡବାକୁ ବି ଖୋଲି ଯାଞ୍ଚ କରିଥିଲେ। ପ୍ରାୟ ୧୦ତୋଳା ସୁନା ଓ ନଗଦ ୩ଲକ୍ଷ ସହ ମୋଇବାଲ ଫୋନ ସବୁ ଲୁଟ୍‌ ହୋଇଥିବା ଗ୍ରାମବାସୀ କହିଛନ୍ତି। ଏପରିକି ମହିଳାମାନେ ନାକ ଓ କାନରେ ପିନ୍ଧିଥିବା ଅଳଙ୍କାରକୁ ବି ଛଡାଇ ନେଇଥିଲେ। ଲୁଟ୍‌ ପରେ ଗାଁ ବାହାରେ ରଖିଥିବା ଗାଡିରେ ବସି ଚାଲି ଯାଇଥିଲେ। ପଲମା ଗାଁ ଦେଇ ଥେରୁବାଲି ରାସ୍ତାରେ ଯାଇଥିବା ଜଣାପଡିଛି। ଏନେଇ ଆଜି ସକାଳେ ଗାଁ ଲୋକ ପୁଲିସକୁ ଖବର ଦେଇଥିଲେ। ଥାନା ଏସଆଇ ଦୀପ୍ତି ରଞ୍ଜନ ସାହୁ, ଏଏସଆଇ ପ୍ରଶାନ୍ତ ପାଲକା ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଥିଲେ। ପୁଲିସ ମାମଲା ରୁଜୁ କରି ଡକାୟତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି।

ସମ୍ବନ୍ଧିତ ଖବର