ଔଷଧ ବ୍ୟବସାୟୀଙ୍କ ୯ଲକ୍ଷ ଲୁଟ୍ ଘଟଣା:୨ ଗିରଫ, ୪ ଲକ୍ଷ ଜବତ

ରାୟଗଡା: ରାୟଗଡା ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରୁ ଔଷଧ ବ୍ୟବସାୟୀ ଶ୍ରୀରାମ ଗନ୍ତାୟତଙ୍କ ଠାରୁ ୯ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ରାୟଗଡା ପୁଲିସକୁ ମିଳିଛି ସଫଳତା। ଲୁଟରେ ସଂପୃକ୍ତ ଦୁର୍ଗା ଦାସ ଓ ଆଉଳି କାଳିଆକୁ ପୁଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିବା ସହ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ଟଂକା ଜବତ କରିଛି। ଲୁଟ୍ ଘଟଣାରେ ବ୍ୟବହାର ହୋଇଥିବା ବଜାଜ୍ ପଲସର ବାଇକ ସହ ଗୋଟିଏ ମୋବାଇଲ୍, ବାଇକ୍ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଓ ଗୋଟିଏ ଷ୍ଟେଟ ବ୍ୟାଙ୍କ ଏଟିଏମ କାର୍ଡକୁ ପୁଲିସ୍ ଜବତ କରିଛି। ବଳକା ୫ ଲକ୍ଷ ଟଂକା ଉଦ୍ଧାର ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଥିବା ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ପି. ଆର୍।
ଟାଉନ୍ ଥାନାରେ ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ପି.ଆର୍ କହିଥିଲେ, ଲୁଟ୍ ଘଟଣାର ୪ ଦିନ ପୂର୍ବରୁ ଗଂଜାମ ଆସିକା ଥାନା ଝଗଡେଇ ଗ୍ରାମର ଦୁର୍ଗା ଦାସ ଓ ନାରାୟଣପୁର ଗ୍ରାମର ଆଉଳି କାଳିଆ କଳା ରଂଗର ପଲସର ବାଇକ୍ (ଓଡି ୩୨ଡି ୩୩୬୯) ଯୋଗେ ରାୟଗଡାରେ ପହଞ୍ଚିଥିଲେ। ଏହାପରେ ବିଭିନ୍ନ ବ୍ୟାଙ୍କକୁ ଯାଇ କେଉଁ ସମୟରେ କିଏ କେତେ ଟଂକା ଉଠାଉଛି ତା ଉପରେ ନଜର ରଖୁଥିଲେ। ୩ ଦିନ ବିଭିନ୍ନ ବ୍ୟାଙ୍କ ବୁଲିବା ପରେ ଚତୁର୍ଥ ଦିନ ଅର୍ଥାତ୍ ଜାନୁଆରି ୪ ତାରିଖରେ ଦୁର୍ଗା ଓ ଆଉଳି ଆନ୍ଧ୍ର ବ୍ୟାଙ୍କ ଗହଳି ଥିବା ଦେଖି ସୁଯୋଗକୁ ଅପେକ୍ଷା କରିଥିଲେ।

ଶ୍ରୀରାମ ଗନ୍ତାୟତ ଟଂକା ଉଠାଇବାକୁ ୩ଟାରେ ବ୍ୟାଙ୍କରେ ପହଞ୍ଚିବା ପରେ ଟଂକା ଉଠାଇବା ପର୍ଯ୍ୟନ୍ତ ତାଙ୍କ ଉପରେ ନଜର ରଖିଥିଲେ। ଟଂକା ନେଇ ଶ୍ରୀରାମ ବ୍ୟାଙ୍କରୁ ବାହାରିବା ପୂର୍ବରୁ ଦୁର୍ଗା ବାଇକ୍ ଷ୍ଟାର୍ଟ କରି ବାହାରେ ଥିବା ବେଳେ ଆଉଳି ବ୍ୟାଙ୍କ ପାର୍କିଂ ନିକଟରେ ସୁଯୋଗକୁ ଉଣ୍ଡି ରହିଥିଲା। ଶ୍ରୀରାମ ପାର୍କିଂ ନିକଟରେ ପହଞ୍ଚିବା କ୍ଷଣି ଆଉଳି ଟଂକା ବ୍ୟାଗକୁ ଜୋରଜବରଦସ୍ତି ଶ୍ରୀରାମଙ୍କ ନିକଟରୁ ଛଡାଇ ନେଇ ଯିବାରେ ସକ୍ଷମ ହୋଇଥିଲା। ଟଂକା ଲୁଟ୍ ପରେ ଦୁର୍ଗା ଓ ଆଉଳି ରାୟଗଡା ଠାରୁ ୧୦ କିମି ଯିବା ପରେ କତୋପେଟା ନିକଟ ଜଂଗଲରେ ଲୁଚି ଯାଇଥିଲେ। ରାତିରେ ଟଂକା ବ୍ୟାଗ୍ ଖୋଲିବା ପରେ ୪ ଲକ୍ଷରୁ ଊର୍ଧ୍ବ ଟଂକାର କେବଳ ୫୦ ଟଂକିଆ ନୋଟ୍ ଥିବାରୁ ଲୁଟେରା ଗ୍ୟାଙ୍ଗ୍ ଉକ୍ତ ଟଂକାକୁ କତୋପେଟା ଜଂଗଲରେ ପୋତି ଦେଇଥିଲେ। ପରଦିନ ଫୁଲବାଣୀ ଦେଇ ଭଂଜନଗରରେ ପହଞ୍ଚିବା ସହ ଆଉଳି କାଳିଆର ଭଉଣୀ ଏମ୍. ମେରୀକୁ ୪ ଲକ୍ଷ ଟଂକା କ୍ୟାସ ଦେଇ ୧ ଲକ୍ଷ ଟଂକା ଧରି ଆନ୍ଧ୍ର ଅଭିମୁଖେ ପଳାଇଥିଲେ। ମୋବାଇଲ୍ ଟ୍ରାକିଂ କରି ପୁଲିସ୍ ଲୁଟେରା ଗ୍ୟାଙ୍ଗକୁ ପୁଲିସ୍ ଆନ୍ଧ୍ରରେ ଠାବ କରିଥିଲା। ତେବେ ସହଜ ହୋଇନଥିଲା ଧରିବା ପାଇଁ ପୁଲିସକୁ। ବାରମ୍ବାର ଲୁଟେରା ସ୍ଥାନ ବଦଳାଉ ଥିବାରୁ ୧୦ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ରାୟଗଡା ପୁଲିସକୁ ଏହି ସଫଳତା ମିଳିଥିବା ସୂଚନା ଦେଇଛନ୍ତି ଏସପି। ତେବେ ୪ ଲକ୍ଷ ଟଂକା ପୁଲିସ୍ ଉଦ୍ଧାର କରିବା ପରେ ବଳକା ୫ ଲକ୍ଷ ଏଯାବତ୍ ଉଦ୍ଧାର ହୋଇପାରିନି। ଆଉଳି କାଳିଆର ଭଉଣୀ ଏମ୍. ମେରୀ ୪ ଲକ୍ଷ ଧରି ଫେରାର ଥିବା ବେଳେ ଆଉ ୧ ଲକ୍ଷ ଟଂକା ଦୁର୍ଗା ଓ ଆଉଳି ଖର୍ଚ କରି ଦେଇଥିବା ସୂଚନା ଦେଇଛନ୍ତି ରାୟଗଡା ଏସଡିପିଓ ରାଜ କିଶୋର ଦାସ। ମାମଲାର ତଦନ୍ତକାରୀ ଅଧିକାରୀ ଏସଆଇ ରାଜ କିଶୋର ବେହେରା, ଏଏସଆଇ କିଶୋର ଚନ୍ଦ୍ର ବେହେରା, ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ଭତ୍ରା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର