ପଦ୍ମପୁର : ସ୍ପଷ୍ଟ ଦିବାଲୋକରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବଜାର ନିକଟରୁ ଜଣେ ବୃଦ୍ଧାଙ୍କ ଠାରୁ ୧ଲକ୍ଷ ଟଙ୍କା ଝାମ୍ପି ନେଇ ଚମ୍ପଟ ମାରିଛନ୍ତି ଦୁଇ ଦୁର୍ବୃତ୍ତ । ଏକ କଳା ପଲସରରେ ଆସି ଦୁଇ ଦୁର୍ବୃତ୍ତ ଏଭଳି ଲୁଟ୍ କରିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ଅଭିଯୋଗ ପାଇବା ପରେ ପଦ୍ମପୁର ପୁଲିସ ଘଟଣା ସ୍ଥଳ ଓ ବ୍ୟାଙ୍କରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ପଦ୍ମପୁର ବ୍ଲକ ସଦର ମହକୁମାର ସୌରା ସାହିରେ ରହୁଥିବା ଚମ୍ପା ଗମାଙ୍ଗ(୭୦)ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ତାଙ୍କ ପୁଅ ୧ଲକ୍ଷ ଟଙ୍କା ପଠାଇଥିଲେ। ଘର ଖର୍ଚ୍ଚ ପାଇଁ ଏହି ଟଙ୍କା ପଠାଇଥିଲେ। ପୁଅ ପଠାଇଥିବା ଟଙ୍କା ଉଠାଇବା ପାଇଁ ଆଜି ସକାଳେ ଚମ୍ପା ପଦ୍ମପୁର ସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ଯାଇଥିଲେ। ସକାଳ ପ୍ରାୟ ୧୧.୪୫ ମିନିଟ୍ରେ ଚମ୍ପା ନିଜ ଆକାଉଣ୍ଟରୁ ୧ଲକ୍ଷ ଟଙ୍କା ଉଠାଇବା ପରେ ସମସ୍ତ ଟଙ୍କା ଏକ ବ୍ୟାଗ୍ରେ ପୂରାଇ ନିଜ ଘର ଅଭିମୁଖେ ଚାଲି ଚାଲି ଯାଉଥିଲେ। ତେବେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ପଦ୍ମପୁର ବଜାର ନିକଟରେ ହଠାତ୍ ଦୁଇ ଜଣ ଦୁର୍ବୃତ୍ତ ଏକ ବ୍ଲାକ୍ ପଲସରରେ ପହଞ୍ଚି ଚମ୍ପାଙ୍କ ଠାରୁ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଆଖି ପିଚୁଳାକେ ଚମ୍ପଟ ମାରିଥିଲେ। ଟଙ୍କା ନେଇ ଦୁର୍ବୃତ୍ତ ମାନେ ଚମ୍ପଟ ମାରୁଥିବା ଦେଖି ଚମ୍ପା ପାଟି କରିଥିଲେ ହେଁ ଦୁର୍ବୃତ୍ତ ମାନେ ତୀବ୍ର ଗତିରେ ଚାଲିଯିବାରୁ ବଜାର ନିକଟରେ ଥିବା କୌଣସି ଲୋକ ବି କିଛି କରି ପାରି ନଥିଲେ। ଏନେଇ ଚମ୍ପା ପଦ୍ମପୁର ଥାନାରେ ଏତଲା ଦେବା ପରେ ସଙ୍ଗେସଙ୍ଗେ ପୁଲିସ ଘଟଣା ସ୍ଥଳ ସହ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କକୁ ଯାଇ ଛାନଭିନ୍ ଆରମ୍ଭ କରିଛି । ଚମ୍ପା ଟଙ୍କା ଉଠାଇ ଘରକୁ ଫେରିବା ସମୟରେ ଏହି ଦୁଇ ଦୁର୍ବୃତ୍ତ ତାଙ୍କୁ ପିଛା କରି ଏଭଳି ଲୁଟ୍ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/WhatsApp-Image-2020-11-06-at-20.05.36.jpeg)