ରାୟଗଡ଼ା : ଭାରତ ଭ୍ରମଣରେ ଆସି ରାୟଗଡ଼ାରେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ଦୁଇ ଋଷ ପର୍ଯ୍ୟଟକଙ୍କ ଅନ୍ତିମ ସଂସ୍କାରକୁ ନେଇ ଉଠିଛି ପ୍ରଶ୍ନବାଚୀ? ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟାଧର୍ମାଲମ୍ବୀ ହୋଇଥିବା ବେଳେ ପୁଲିସ୍ କିପରି ସେମାନଙ୍କ ମୃତଦେହ ନ ପୋତି ପ‌ୋଡ଼ିଦେଲା ତାକୁ ନେଇ ବିବାଦ ମୁଣ୍ଡ ଟେକିଛି। ମୃତଦେହ ପୋଡ଼‌ିଦେବା ପାଇଁ ଋଷ ଦୂତାବାସ ନା ମୃତକଙ୍କ ସଂପର୍କୀୟ ଅନୁମତି ଦେଇଥିଲେ ସେ ନେଇ ପୁଲିସ୍ କୌଣସି ସୂଚନା ଦେଉନି। ଶବ ସଂସ୍କାର ସମୟରେ ରାୟଗଡ଼ା ଉପଜିଲ୍ଲାପାଳଙ୍କ ନିର୍ଦେଶରେ ରାୟଗଡ଼ା ତହସିଲଦାର ତାପସ ରାଉତ ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିଲେ ମଧ୍ୟ ତାଙ୍କ ନିକଟରେ ଏ ସଂପର୍କିତ କୌଣସି କାଗଜପତ୍ର କିମ୍ବା ସୂଚନା ନଥିବା କହିଛନ୍ତି। ଯାହା ପୁଲିସର ସଠିକ୍ ମାମଲା ପରିଚାଳନା ଦିଗ ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦେଶ କରୁଛି।

Advertisment

publive-image

ଋଷ ପର୍ଯ୍ୟଟକ ତଥା ଭ୍ଲାଡିମିର୍ କ୍ଷେତ୍ର ସାଂସଦ ପାୱେଲ୍ ଆନ୍ଥେଭଙ୍କ ମୃତ୍ୟୁକୁ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ହେବା ପରେ ଘଟଣା ଅନ୍ୟ ମୋଡ଼ ନେଇଛି। ଓଡ଼ିଶା ପୁଲିସ୍ ମହାନିର୍ଦେଶକ ସୁନୀଲ ବଂଶଲ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେବା ପରେ ପୁଲିସ୍ ମାମଲାକୁ ଗମ୍ଭୀରତାର ସହ ନେଇଛି। ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଟିମ୍ ରାୟଗଡ଼ାରେ ପହଞ୍ଚିବାର ସମ୍ଭାବନା ଥିବାରୁ ଆଜି ଦିନ ତମାମ ରାୟଗଡ଼ା ପୁଲିସ୍ ପକ୍ଷରୁ ହୋଟେଲ୍ ସମେତ ଶ୍ମଶାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୪ ତାରିଖରେ ଆନ୍ଥେଭଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ତାରିଖ (ସୋମବାର) ଅପରାହଣ୍ ସୁଦ୍ଧା ଆନ୍ଥେଭରଙ୍କ ଶେଷକୃତ୍ୟ ନେଇ ଋଷ ଦୂତାବାସ କୌଣସି ସୂଚନା ପ୍ରଦାନ କରିନଥିଲା। କିନ୍ତୁ ହଠାତ୍ ସୋମବାର ଅପରାହଣ୍ ୪ଟାରେ ରାୟଗଡ଼ା ପୁଲିସ୍ ସୂଚନା ପାଇବା ପରେ ଆନ୍ଥେଭଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହରୁ ବାହାରୁ କରି ବ୍ୟବଚ୍ଛେଦ କରିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଥିଲେ। ଏହା ପରେ ସଂଧ୍ୟା ୭ଟାରେ ଆନ୍ଥେଭଙ୍କ ମୃତଦେହକୁ ସିରିଗୁଡ଼ା ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା। ଶେଷକୃତ୍ୟ ସମୟରେ ମାଜି‌ଷ୍ଟ୍ରେଟ୍ ଦାୟିତ୍ବରେ ରାୟଗଡ଼ା ତହସିଲଦାର ତାପସ ରାଉତ ଏବଂ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ।

ତେବେ ଖ୍ରୀଷ୍ଟିୟ ପର୍ଯ୍ୟଟକଙ୍କ ନ ପୋତି କିମ୍ବା ତଦନ୍ତ ପାଇଁ ଅନ୍ୟ କୌଣସି ସୁପାରିଶ କରି ପୁଲିସ୍ କାହା ଚାପରେ ତରବରିଆ ଭାବେ ମୃତଦେହକୁ ପୋଡ଼ିଦେଲା ତାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ଯାହା ସଂପର୍କରେ ପୁଲିସ୍ କୌଣସି ସୂଚନା ଦେବାକୁ ମନା କରି ଦେଇଛି। କୌଣସି ପୁଲିସ୍ ଅଧିକାରୀ ଏ ସଂପର୍କରେ ମୁହଁ ଖୋଲୁନଥିବା ବେଳେ ନିୟମନୁଯାୟୀ ଋଷ ଦୂତାବାସର ନିର୍ଦେଶରେ ଶେଷକୃତ୍ୟ କରାଯାଇଛି ବ‌ୋଲି ପୁଲିସ୍ କହିଛି। ଏପଟେ ଶେଷକୃତ୍ୟକୁ ନେଇ ବିବାଦ ଉଠିବା ପରେ ପୁଲିସ୍ ଚାପରେ ଥିବା କୁହାଯାଉଛି। ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଟିମ୍ ଆସୁଥିବାରୁ ଘଟଣାର ତଦନ୍ତ ଏବଂ ଦିଗ ଉପରେ ଏବେ ସଭିଁଙ୍କ ନଜର ରହିଛି।

ସୂଚନାଯୋଗ୍ୟ, ଓଡ଼ିଶା ଭ୍ରମଣରେ ଆସିଥିବା ଆନ୍ଥେଭ ଓ ତାଙ୍କ ବନ୍ଧୁ ବ୍ଲାଡିମିର୍ ବିଦାନୋଭା ରାୟଗଡ଼ାର ଏକ ହୋଟେଲରେ ଗୋଟିଏ ରୁମରେ ରହୁଥିଲେ। ୨୨ ତାରିଖ ପୂର୍ବାହଣରେ ବ୍ଲାଡିମିର୍ ବିଦାନୋଭା ହୃଦଘାତରେ ପ୍ରାଣ ହରାଇଥିଲେ। ୨୪ ତାରିଖ ସଂଧ୍ୟାରେ  ପାୱେଲ୍ ଆନ୍ଥେଭ ହୋଟେଲରୁ ୩ ମହଲା ଛାତରୁ ପଡ଼ି ମୃତ୍ୟୁବରଣ କରିଥିବା ପୁଲିସ୍ ସୂଚନା ଦେଇଥିଲା।