କରୋନା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ : ଗଞ୍ଜାମ ଓ ରାୟଗଡ଼ାରେ ୧୪୪ ଧାରା

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍
ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ମୁଣ୍ଡନ ବନ୍ଦ
ମଝିଘରିଆଣୀ ମନ୍ଦିରରେ ବି ମୁଣ୍ଡନ ବନ୍ଦ

ରାୟଗଡ଼ା/ବ୍ରହ୍ମପୁର : କରୋନା ମୁକାବିଲା ଲାଗି ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲା ପ୍ରଶାସନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିଛି। ଉଭୟ ଜିଲ୍ଲାରେ ବିଭିନ୍ନ ମେଳା, ଯାତ୍ରା ଓ ସଭା ସମିତିରେ ଜନସମାଗମକୁ ନିଷିଦ୍ଧ କରିବା ପାଇଁ ପ୍ରଶାସନ ପକ୍ଷରୁ ସମଗ୍ର ଗଞ୍ଜାମ ଜିଲ୍ଲାରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ୧୪୪ (୨)ଧାରା ଜାରି ହୋଇଛି। ଅର୍ଥାତ ଜିଲ୍ଲାର କୌଣସି ସ୍ଥାନରେ ଶହେରୁ ଅଧିକ ଲୋକଙ୍କ ସମାଗମକୁ ପ୍ରଶାସନ ନିଷିଦ୍ଧ କରିଛି। ସେହିପରି ବିଭିନ୍ନ ସ୍ଥାନରୁ ଫେରୁଥିବା ଦାଦନ ଶ୍ରମିକଙ୍କ ଉପରେ ମଧ୍ୟ ଉଭୟ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି।

ଗଞ୍ଜା‌ମ ଜିଲ୍ଲାରେ ଦିନକ ପରେ ମା’ ତାରାତାରାଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଦ୍ବିତୀୟ ପାଳି ପଡ଼ୁଥିବା ବେଳେ ଆଗକୁ ଦଣ୍ତଯାତ୍ରା ଏବଂ ଜିଲ୍ଲାର ବିଭିନ୍ନ ସହରରେ ଠାକୁରାଣୀ ଯାତ୍ରା ରହିଛି। ଏହିସବୁ ଯାତ୍ରାରେ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ମୁଣ୍ଡନକୁ ମଧ୍ୟ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି। ବିନା ଅନୁମତିରେ କୌଣସି ଅଧିକାରୀ ଓ କର୍ମଚାରୀ ହେଡ଼୍‌କ୍ବାର୍ଟର ଛାଡ଼ିପାରିବେ ନାହିଁ ବୋଲି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି।

ଅନୁରୂପ ଭାବେ କରୋନା ମୁକାବିଲା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍ କରିଛନ୍ତି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା। ଏଥିସହ ଗୋଟିଏ ସ୍ଥାନରେ ଲୋକେ ଯେମିତି ଜମା ହୋଇ ରହିବ ନାହିଁ, ସେଥିପାଇଁ ଜିଲ୍ଲାରେ ୧୪୪ଧାରା ଲାଗୁ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ନିଜ କାର୍ଯ୍ୟସ୍ଥଳୀରେ ଉପସ୍ଥିତ ରହିବେ। ସମସ୍ତ ବିକଳ୍ପ ଖୋଲା ରଖିବାକୁ ଆଜି ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ବେହେରା ସତର୍କତା ମାଧ୍ୟମରେ ମରାମାରୀର ରୂପ ନେଇଥିବା କରୋନାରୁ ବର୍ତିବା ପାଇଁ ସମସ୍ତଙ୍କ ସହଯୋଗ ନିବେଦନ କରିଛନ୍ତି। ରାଜ୍ୟ ବାହାରୁ ଗାଁକୁ ଫେରୁଥିବା ଦାଦନ ଶ୍ରମିକ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିବାକୁ ସରପଞ୍ଚ, ଆଶା, ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜ୍ବର, କାଶ, ଛିଙ୍କ ଭଳି କିଛି ଲକ୍ଷଣ ଦେଖିଲେ କଲେ ତୁରନ୍ତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଅବଗତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଏଥିପାଇଁ ପଞ୍ଚାୟତ ସ୍ତରରେ କଣ୍ଟ୍ରୋଲ୍ ରୁମ୍ ଏବଂ ସ୍ବତନ୍ତ୍ର କକ୍ଷ ଖୋଲିବାକୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର