ଦେଶୀ ପଦ୍ଧତିରେ ସାବୁନ୍ ଓ ହ୍ୟାଣ୍ଡୱାସ୍, ଖର୍ଚ୍ଚ କାଟ କରିବା ସହ ଆତ୍ମନିର୍ଭରଶୀଳତାର ନିଦର୍ଶନ ପାଲଟିଲେ ସେବା ସମାଜର ଛାତ୍ରୀ

ରାୟଗଡ଼ା: କରୋନା ମୁକାବିଲା ପାଇଁ ଦେଶୀ ପଦ୍ଧତିକୁ ଆପଣାଇଛନ୍ତି ଗୁଣପୁର ସେବା ସମାଜର ଛାତ୍ରୀ। ଲକଡାଉନ୍ ସମୟରେ ଖର୍ଚ୍ଚ କାଟ କରିବାକୁ ନିମ୍ବପତ୍ରରେ ତିଆରି କରୁଛନ୍ତି ସାବୁନ୍ ଓ ହ୍ୟାଣ୍ଡୱାସ୍ ଲିକ୍ୟୁଡି। ଯାହା ସେବା ସମାଜର ୩ଟି ଶାଖା ଗୁଣପୁର, ରାୟଗଡ଼ା, ଜବରଗୁଡ଼ାରେ ରହୁଥିବା ଶତାଧିକ ଛାତ୍ରୀଙ୍କ ବ୍ୟବହାରରେ ଆସୁଛି।

ଆତ୍ମନିର୍ଭରଶୀଳତାର ନିଦର୍ଶନ ପାଲଟିଥିବା ଏହି ଛାତ୍ରୀଙ୍କ ପ୍ରେରଣାର ଉତ୍ସ ପାଲଟିଛନ୍ତି ଗାନ୍ଧୀବାଦ ନେତ୍ରୀ, ଭୂଦାନ କର୍ମୀ ତଥା ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ। ଜିଲ୍ଲାର ରାୟଗଡ଼ା, ଗୁଣପୁର ଓ ପଦ୍ମପୁର ବ୍ଲକର ଜବରଗୁଡ଼ାରେ ରହିଛି ସେବା ସମାଜର ଶାଖା। ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ଦ୍ବାରା ପରିଚାଳିତ ଏହି ଶାଖାକୁ କେନ୍ଦ୍ର ସରକାର ୬୦ ପ୍ରତିଶତ, ରାଜ୍ୟ ସରକାର ୩୦ ପ୍ରତିଶତ ଅନୁଦାନ ଯୋଗାଇ ଦେଉଥିବା ବେଳେ ୧୦ ପ୍ରତିଶତ ନିଜସ୍ବ ଅନୁଦାନରେ ପରିଚାଳନା କରୁଛି ସେବା ସମାଜ।

୩ ଶାଖାରେ ଶହେରୁ ଉର୍ଧ୍ବ ଅନାଥ ଛାତ୍ରୀ ରହି ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ୁଛନ୍ତି। ବର୍ତ୍ତମାନ ଲକଡାଉନ୍ ଚାଲିଥିବାରୁ ସ୍କୁଲ୍, କଲେଜ ବନ୍ଦ ରହିଛି। ଫଳରେ ଛାତ୍ରୀଙ୍କୁ ଶାଖା ପରିସରରେ ଧନ୍ଧାମୂଳକ ଶିକ୍ଷା ପ୍ରଦାନ ନେଇ ଗୁରୁତ୍ବ ଦେଇଛନ୍ତି ଶାନ୍ତି ଦେବୀ। କରୋନା ମୁକାବିଲା ପାଇଁ ବାରମ୍ବାର ହାତ ଧୋଇବା, ନିୟମିତ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର। ଫଳରେ ଛାତ୍ରୀଙ୍କ ବ୍ୟବହାର ପାଇଁ ଦୈନିକ ଆବଶ୍ୟକ ପଡ଼ୁଥିବା ସାବୁନ୍ ବାହାରୁ କିଣିବା ନେଇ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଥିଲା ଶାଖାକୁ। ଛାତ୍ରୀଙ୍କ ସମେତ ଶାଖା କର୍ମଚାରୀଙ୍କ ପାଇଁ ଦୈନିକ ୫୦ରୁ ଉର୍ଧ୍ବ ସାବୁନ୍ ଓ ହ୍ୟାଣ୍ଡୱାସ୍ ଲିକ୍ୟୁଡିର ଆବଶ୍ୟକତା ପଡ଼ୁଥିଲା। ବାହାରୁ ଆସୁଥିବା ସାବୁନରେ କେମିକାଲ୍, ଖାର ଅଂଶ ଅଧିକ ରହୁଥିବା ବେଳେ ଦୈନିକ ଆବଶ୍ୟକ ସାବୁନ୍ କିଣିବାରେ ସମାଜ ଅକ୍ଷମ ହେବା ପରେ ଦେଶୀ ପଦ୍ଧତିକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ ଶାନ୍ତି ଦେବୀ।

ଯାହା ବର୍ତ୍ତମାନ ସମାଜର ୩ ଶାଖାରେ ବ୍ୟବହାର ହେଉଛି। ସାବୁନ୍ ଓ ଲିକ୍ୟୁଡିରେ ବାସ୍ନା ଆଣିବା ପାଇଁ ଗୋଲାପ ଜଳ, ଏଲୋଭେରା ବ୍ୟବହାର ନେଇ ପ୍ରଶିକ୍ଷଣ ନେଇଛନ୍ତି ଛାତ୍ରୀମାନେ।  କେବଳ ଏତିକି ନୁହେଁ, ଲକଡାଉନ୍ ସମୟରେ ସିଲେଇ ଶିକ୍ଷା ନେଇ ଛାତ୍ରୀମାନେ ୩ ହଜାରରୁ ଉର୍ଧ୍ବ ମାସ୍କ ସିଲେଇ କରି ରାୟଗଡ଼ା, ଗୁଣପୁର ଓ ପଦ୍ମପୁରରେ ଲୋକଙ୍କୁ ବଣ୍ଟନ କରିଛନ୍ତି। ଏଥି ସହିତ ଅନାବନାକପଡାରୁ ଟେବୁଲ୍ କ୍ଲଥ, ଟିଭି କ୍ଲଥ୍, ରାଜସ୍ଥାନୀ ପ୍ରିଣ୍ଟ୍ କରିବା ମଧ୍ୟ ଶିଖିଛନ୍ତି। ଆଗକୁ ଶୀତ ଦିନ ଆସୁଥିବାରୁ ଅନ୍ତେବାସୀଙ୍କ ପାଇଁ ଶୀତ ବସ୍ତ୍ର, ମଫଲର ବୁଣିବା ନେଇ ଧନ୍ଧାମୂଳକ ଶିକ୍ଷା ପ୍ରଦାନ୍ତ କରିଛନ୍ତି ଖୋଦ୍ ଶାନ୍ତି ଦେବୀ। ଯାହା ଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳତାର ବାଟ ଦେଖାଇଛି।

ସମ୍ବନ୍ଧିତ ଖବର