ଭୁବନେଶ୍ବର: ନିର୍ଭରଯୋଗ୍ୟ ସୂଚନା ଆଧାରରେ, ଗତକାଲି ଏସଟିଏଫର ଏକ ଟିମ୍ ଚଢଉ କରି ତିନୋଟି କଲରାପତରଆ ବାଘ ଛାଲ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଏହାଛଡ଼ା ଅଭିଯୁକ୍ତ ନିକଟରୁ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରାଯାଇଛି। ରାୟଗଡ଼ା- କୋରାପୁଟ ଜାତୀୟ ରାଜପଥ-୩୨୬ ସିରିଗୁଡା ସ୍ବର୍ଗଧାମ ନିକଟରେ ଡିଲ୍ ଚାଲିଥିବା ବେଳେ ଚିତାବାଘ ଛାଲ ଜବତ କରିବା ସହ ଅଭିଯୁକ୍ତ ଡମ୍ବରୁଧର ମାଝୀକୁ ଗିରଫ କରିଛି।
ଅଭିଯୁକ୍ତ ଡମ୍ବରୁଧରର ଘର ଟିକିରି ଥାନା ଅନ୍ତର୍ଗତ ନକଟିଗୁଡ଼ାରେ ବୋଲି ଜଣାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଏଣେ ଜବତ ଛାଲର ଜୈବିକ ପରୀକ୍ଷା ପାଇଁ ଡେରାଡୁନ୍ ପଠାଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି। ଏନେଇ ଏସଟିଏଫ ଏସପି କେ.କେ.ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସେପଟେ ୨୦୨୦ ରୁ ଆଜି ମଧ୍ୟରେ ବନ୍ୟପ୍ରାଣୀ ଶିକାରକୁ ମୂଳତ୍ପାଟନ କରିବା ଦିଗରେ ଆକ୍ସନ ମୋଡ଼ରେ ରହିଛି ଏସଟିଏଫ୍ । ୨୦୨୦ରୁ ଆଜି ମଧ୍ୟରେ ୪୦ ଟି କଲରାପତରିଆ ବାଘ ଛାଲ, ୨ ଟି ମହାବଳ ବାଘ ଛାଲ, ୨୨ ଟି ବଜ୍ରକାପ୍ତା, ୮ ଟି ହରିଣ ଛାଲ, ୩୭ କେଜି ବଜ୍ରକାପ୍ତା କାତି ଜବତ କରାଯିବା ସହ ୧୧୯ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କିତ ୭୫ଟି କେସ ରୁଜୁ କରିଛି ସ୍ପେଶାଲ ଟାସ୍କଫୋର୍ସ ।