ରାୟଗଡ଼ା : ଅନଲାଇନରେ ପଢ଼ିଲୁ, ଅଫଲାଇନରେ କାହିଁକି ପରୀକ୍ଷା ଦେବୁ। ପ୍ରଥମ ସେମିଷ୍ଟାର୍ ଭଳି ଦ୍ବିତୀୟ ସେମିଷ୍ଟାର୍ ପରୀକ୍ଷା ମଧ୍ୟ ଅନଲାଇନରେ ହେଉ। ନଚେତ୍ ଆନ୍ଦୋଳନକୁ ଜୋରଦୋର୍ କରିବାକୁ ଅଧ୍ୟକ୍ଷାଙ୍କୁ ଘେରାଉ କରି ଚେତାବନୀ ଦେଇଛନ୍ତି ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ। କଲେଜ ପରିଚାଳନା ବୋର୍ଡ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେବାକୁ ଅଧ୍ୟକ୍ଷା ଭି. ଆର୍. ରତ୍ନମ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଛନ୍ତି।
କରୋନା ସଂକ୍ରମଣ ହ୍ରାସ ପରେ ଆଉ କିଛି ଦିନ ବ୍ୟବଧାନରେ ଯୁକ୍ତ ତିନି ପ୍ରଥମ ବର୍ଷ ପରୀକ୍ଷା କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚ ଶିକ୍ଷା ବିଭାଗର ନିର୍ଦେଶ ଓ ଗାଇଡ୍ ଲାଇନ୍ ଅନୁଯାୟୀ ପ୍ରଥମ ବର୍ଷ ପରୀକ୍ଷା ଅଫଲାଇନରେ କରିବାକୁ ରାୟଗଡ଼ା କଲେଜ କର୍ତ୍ତୃପକ୍ଷ ଘୋଷଣା କରିବା ପରେ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଠପଢ଼ା ଅନଲାଇନରେ ହୋଇଥିବାରୁ ପରୀକ୍ଷା ମଧ୍ୟ ଅନଲାଇନରେ ହେବାକୁ ଦାବି ହୋଇଛି। କରୋନା ପ୍ରଭାବରେ ବହୁ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ସେମାନେ ନିଜ ଗାଁରେ ରହି ପଢ଼ାପଢ଼ି କରୁଛନ୍ତି। ପରୀକ୍ଷା ଅଫଲାଇନରେ ହେଲେ ଛାତ୍ରଛାତ୍ରୀ ରାୟଗଡ଼ା ଆସିବା ସହ ଘରଭଡ଼ା ଓ ଖାଦ୍ୟପେୟ ବାବଦକୁ ବହୁ ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିବ। ଏଣୁ ପ୍ରଥମ ସେମିଷ୍ଟାର୍ ପରୀକ୍ଷା ଭଳି ଦ୍ବିତୀୟ ସେମିଷ୍ଟାର୍ ପରୀକ୍ଷା ମଧ୍ୟ ଅନଲାଇନରେ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଗୁରୁବାର ଏ ନେଇ ଛାତ୍ରଛାତ୍ରୀ ଏକ ସ୍ମାରକପତ୍ର କଲେଜ ଅଧ୍ୟକ୍ଷାଙ୍କୁ ପ୍ରଦାନ କରିଥିଲେ। କିନ୍ତୁ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ଉତ୍ତର ନ ମିଳିବା ପରେ ଆଜି ପୂର୍ବାହଣରେ ବହୁ ଛାତ୍ରଛାତ୍ରୀ ନିଜ ଦାବି ପୂରଣ କରିବାକୁ କଲେଜ ଫାଟକ ସମ୍ମୁଖରେ ହୋ ହାଲ୍ଲା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କଲେଜ କର୍ତ୍ତୃପକ୍ଷ ବୁଝାଶୁଝା କରିବା ପରେ ଛାତ୍ର ପ୍ରତିନିଧି ଦଳ କଲେଜ ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ଅସୁବିଧା ସଂକ୍ରାନ୍ତରେ ଆଲୋଚନା କରିଥିଲେ। କଲେଜ ପରିଚାଳନା ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସୋମବାର ସୁଦ୍ଧା ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ଅଧ୍ୟକ୍ଷା ଭି. ଆର୍. ରତ୍ନମ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀ ଆଶ୍ବସ୍ତି ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/RGD_College-Students.jpg)