ପ୍ରତାରଣା ଅଭିଯୋଗରେ ଶିକ୍ଷକ ଗିରଫ

ଗୁଣପୁର: ଜଣେ ବିଧବା ମହିଳାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରି ପରବର୍ତୀ ସମୟରେ ପ୍ରତାରଣା ଦେବା ଅଭିଯୋଗରେ ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ସୌରା ପେଣ୍ଡିଲି ସେବାଶ୍ରମର ଶିକ୍ଷକ ସୁକଦେବ କିମ୍ବାକାଙ୍କୁ ପୁଲିସ ଗିରଫ କରିଛି। ଗିରଫ ଶିକ୍ଷକ ଜଣକ ଗୁଣପୁର ଉପକାରାଗାରରେ ବିଚରାଧୀନ କଏଦୀ ଭାବେ ରହିଥିବା ଗୁଡାରି ଥାନା ଅଧିକାରୀ ଉଦୟନାଥ ସେଠୀ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ସୌରା ପେଣ୍ଡିଲି ସେବାଶ୍ରମ ସ୍କୁଲର ସହକାରୀ ଶିକ୍ଷକ ସୁକଦେବ କିମ୍ବାକା ବିବାହିତ ଅଟନ୍ତି। ତାଙ୍କର ୨ଟି ସନ୍ତାନ ମଧ୍ୟ ରହିଛି। ତେବେ ସୌରା ପେଣ୍ଡିଲି ଅଞ୍ଚଳର ଜଣେ ବିଧବା ମହିଳାଙ୍କ ସହ ସୁକଦେବ ଦୀର୍ଘ ମାସ ଶାରୀରିକ ସଂପର୍କ ରଖି ଆସୁଥିଲେ। ଏପରିକି ମହିଳା ଜଣକ ଦୁଇ ଦୁଇ ଥର ଗର୍ଭବତୀ ହୋଇଥିଲେ। ପରବର୍ତୀ ସମୟରେ ଶିକ୍ଷକ ସୁକଦେବ ଗର୍ଭପାତ କରାଇଥିଲେ। ତେବେ ଗତ କିଛି ମାସ ହେଲା ସୁକଦେବ ସଂପୃକ୍ତ ମହିଳାଙ୍କ ସହ ସଂପର୍କ ରଖିନଥିଲେ। ଏହାର କିଛି ଦିନ ପରେ ମହିଳା ଜଣକ ସୁକଦେବଙ୍କୁ ବିବାହ କରିବାକୁ ବାଧ୍ୟ କରିଥିଲେ। ତେବେ ସୁକଦେବ ଏଥିରେ ରାଜି ନହେବାରୁ ମହିଳା ଜଣକ ବିଷପାନ କରି ଦେଇଥିଲେ। ଚେତାଶୂନ୍ୟ ଅବସ୍ଥାରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ଚିକିିତ୍ସା ପରେ ସୁସ୍ଥ ହୋଇ ମହିଳା ଜଣକ ଏସଂପର୍କରେ ଗୁଡାରି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ଉଦୟନାଥ ସେଠୀ ଶିକ୍ଷକ ସୁକଦେବଙ୍କୁ ଗିରଫ କରିଥିଲେ। ଏନେଇ ଥାନାରେ କେଶ୍‌ ନଂ-୧୮/୧୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଗିରଫି ସୁକଦେବଙ୍କୁ ଗୁଣପୁର ଉପକାରଗାରାରେ ବିଚରାଧୀନ କଏଦୀ ଭାବେ ରଖାଯାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର