ରାୟଗଡ଼ା ବସଷ୍ଟାଣ୍ଡ ନିକଟରେ ବାଣ ବିସ୍ଫୋରଣ, ଶିକ୍ଷୟତ୍ରୀ ଆହତ

ରାୟଗଡ଼ା: ବସଷ୍ଟାଣ୍ଡ ନିକଟରେ ଏକ ସରକାରୀ ଘରେ ବାଣ ବିସ୍ଫୋରଣ ଘଟିବାରୁ ବୁଧବାର ଅପରାହ୍ନରେ ଜଣେ ଶିକ୍ଷୟତ୍ରୀ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ରାଜସ୍ୱ ବିଭାଗରେ ଗଦାଧର ପାତ୍ର କିରାଣୀ ଚାକିରି କରନ୍ତି। ସେ ପରିବାର ସହିତ ରାୟଗଡ଼ା ବସଷ୍ଟାଣ୍ଡ ନିକଟରେ ସରକାରୀ ଘରେ ବସବାସ କରନ୍ତି। ଆଜି ଅପରାହ୍ନ ୪ଟା ୩୦ରେ ବାଣ ବିସ୍ଫୋରଣ ସମୟରେ ତାଙ୍କ ସ୍ତ୍ରୀ ମହେଶ୍ୱରୀ ପାତ୍ର ଏକାକୀ ଥିଲେ। ସେ କିଛି ସମୟ ପୂର୍ବରୁ ସ୍କୁଲରୁ ଫେରିଥିଲେ। ଅଚାନକ ବିସ୍ଫୋରଣ ଘଟିବାରୁ ମହେଶ୍ୱରୀ ଆହତର ସମ୍ମୁଖୀନ ହେବାରୁ ତାଙ୍କୁ ଜିଲ୍ଲା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ପାଇଁ ପୁଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଅାଁ ଲିଭାଇଛନ୍ତି। ପୁଲିସ କହିଛି, ବିସ୍ଫୋରଣର ମାତ୍ରା ଭୟଙ୍କର ଥିଲା। ଫଳରେ ଘରର ଆଜବେଷ୍ଟସ ଛାତ ଉଡି ଯାଇଥିଲା। ନିକଟରେ ଥିବା ଏକ ଗଛ ମଧ୍ୟ ଜଳି ଯାଇଛି। ଗଦାଧର ପାତ୍ରଙ୍କୁ ଘଟଣା ସଂପର୍କରେ ଅବଗତ କରାଯାଇଛି।

ସହରର ଏକ୍ସ ବୋର୍ଡ ୟୁପି ସ୍କୁଲର ଶିକ୍ଷୟିତ୍ରୀ ମହେଶ୍ୱରୀ ପାତ୍ର କହିଛନ୍ତି, ଆଗକୁ ଦୀପାବଳି ଥିବାରୁ ତାଙ୍କ ପୁଅ କିଛି ହାତ ତିଆରି ବାଣ ରଖିଥିଲା। ଆଜି ସେ ଘର କବାଟ ଖୋଲିବା ବେଳକୁ ବାଣ ଅଚାନକ ବିସ୍ଫୋରଣ ଘଟିଥିଲା।

ସମ୍ବନ୍ଧିତ ଖବର