ରାୟଗଡ଼ାରେ ଧିମେଇଛି ଆବାସ ଯୋଜନା, ୫ ବର୍ଷରେ ସରିଛି ୨୦ ପ୍ରତିଶତ ନିର୍ମାଣ

ରାୟଗଡ଼ା : କେଉଁଠି ଜମି ସମସ୍ୟା ତ, କେଉଁଠି ନିର୍ମାଣ ଲାଗି ସଠିକ୍ ଦରରେ ମିଳୁନି ସାମଗ୍ରୀ। ଦିନକୁ ଦିନ ଇଟା, ବାଲି, ସିମେଣ୍ଟ୍, ଛଡ଼ ହୁ ହୁ ହୋଇ ବଢ଼ି ଚାଲିଥିବାରୁ ଅଟକିଛି ଆବାସ ଯୋଜନାରେ ଗୃହ ନିର୍ମାଣ। ବିଗତ ୩ ଆର୍ଥିକ ବର୍ଷରେ ୬ ହଜାର ପ୍ରକଳ୍ପ ଅସଂପୂର୍ଣ୍ଣ ହୋଇ ପଡି ରହିଛି। ୫ ଆର୍ଥିକ ବର୍ଷକୁ ମିଶାଇଲେ ୧୫୯୮୩ ପ୍ରକଳ୍ପରୁ ସରିଛି ମାତ୍ର ୩୨୭୦ ନିର୍ମାଣ ।

ଗରିବ ସୀମାରେଖା ତଳେ ଥିବା ବାସହୀନକୁ ଘରେ ଖଣ୍ଡେ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଛି ଆବାସ ଯୋଜନା। ଯାହା ରାୟଗଡ଼ା ଜିଲ୍ଲାରେ ଧିମେଇ ପଡିଛି। ଜିଲ୍ଲାରେ ୪ଟି ସ୍କିମରେ ଆବାସ ଯୋଜନା ଚାଲିଥିବା ବେଳେ ସବୁ ଯୋଜନାରେ ସଫଳତା ହାର ବହୁତ କମ୍। ଏପରିକି ୨୦୧୮ ମସିହାରେ ତିତିଲ୍ ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ସହାୟତା ବାବଦକୁ ସରକାର ପ୍ରଦାନ କରିଥିବା ଗୃହ ଏବେ ସୁଦ୍ଧା ସଂପୂର୍ଣ୍ଣ ହୋଇପାରିନି। ଗୁଣପୁର ବ୍ଲକରେ ୪୪ ଗୃହ ମଧ୍ୟରୁ ୨୮ଟି ସରିଥିବା ବେଳେ ରାମନାଗୁଡା ବ୍ଲକରେ ୭ରୁ ୨ଟି, ଗୁଡାରିରେ ୨ଟିରୁ ଗୋଟିଏ, ପଦ୍ମପୁରରେ ୧୧ଟିରୁ ଗୋଟିଏ ମୋଟ ୬୪ଟିରୁ ନଭେମ୍ବର ୪ ତାରିଖ ସୁଦ୍ଧା ୩୨ଟିର ନିର୍ମାଣ କାମ ସରିଛି। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ବାବଦକୁ ୨୦୧୯-୨୦ର ବଳକା ଓ ୨୦୨୦-୨୧ ବର୍ଷ ବାବଦକୁ ୯୦୮୯ ପ୍ରକଳ୍ପ ମିଳିଥିବା ବେଳେ ପୂର୍ବ ୩ ଆର୍ଥିକ ବର୍ଷର ବଳକା ପ୍ରକଳ୍ପକୁ ମିଶାଇ ୧୫୫୬୦ ଗୃହ କାମ ସରିନଥିବା ଜଣା ପଡିଛି। ଗ୍ରାମୀଣ ଆବାସ ଯୋଜନାରେ ମୁନିଗୁଡାକୁ ସର୍ବାଧିକ ୪୧୫୯ ଗୃହ ନିର୍ମାଣ ଲକ୍ଷ୍ୟ ପ୍ରଦାନ କରାଯାଇଛି। ହେଲେ ସରିଛି ମାତ୍ର ୫୬୮। ସେହିପରି କାଶୀପୁରକୁ ମିଳିଥିବା ୩୬୫୨ରୁ ୭୪୨ର ନିର୍ମାଣ ସରିଛି। ଜିଲ୍ଲା ସଦର ମହକୁମାରେ ଥିବା ରାୟଗଡ଼ା ବ୍ଲକରେ ମଧ୍ୟ ଗ୍ରାମୀଣ ଆବାସ ଯୋଜନା ଆଣ୍ଠେଇ ପଡିଛି। ୨୧୬୪ ଘରରୁ ସରିଛି ମାତ୍ର ୪୩୦ଟି। ବିଷମକଟକରେ ୧୫୮୯ରୁ ୩୧୦, କୋଲନରାରେ ୧୦୪୯ରୁ ୧୦୬, ପଦ୍ମପୁରରେ ୮୦୬ରୁ ୧୭୪, ଗୁଡାରିରେ ୩୦୧ରୁ ୬୯, ଚନ୍ଦ୍ରପୁରରେ ୬୧୩ରୁ ୧୬୮, ରାମନାଗୁଡାରେ ୪୬୬ରୁ ୧୮୨, କଲ୍ୟାଣସିଂହପୁରରେ ୬୨୭ରୁ ୩୦୭, ଗୁଣପୁରରେ ୧୩୪ରୁ ୭୦ଟିର ନିର୍ମାଣ କାମ ସରିଛି। ଜିଲ୍ଲାରେ ବିଜୁ ପକ୍କା ଘର ଯୋଜନାର ଅବସ୍ଥା ମଧ୍ୟ ତଦ୍ରୁପ। ଯୋଜନାରେ ଜିଲ୍ଲାକୁ ୩୦୧ ଗୃହ ନିର୍ମାଣ ଲକ୍ଷ୍ୟ ରହିଥିବା ବେଜଳେ ସରିଛି ମାତ୍ର ୯୫ଟି। କଲ୍ୟାଣସିଂହପୁର, ରାମନାଗୁଡା, ଚନ୍ଦ୍ରପୁର, ଗୁଡାରି, କାଶୀପୁର, ରାୟଗଡ଼ା, ବିଷମକଟକ, କୋଲନରାରେ ଏହି ଯୋଜନାର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ। ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାର ମଧ୍ୟ ସମାନ ଅବସ୍ଥା। ନିର୍ମାଣ ଶ୍ରମିକଙ୍କୁ ପ୍ରଦାନ କରାଯାଇଥିବା ୫୮ କାର୍ଯ୍ୟାଦେଶ ମଧ୍ୟରୁ ସରିଛି ୧୭ଟି।

ଜିଲ୍ଲାର ୧୧ ଲକ୍ଷ ଜନସାଧାରଣଙ୍କ ମଧ୍ୟରୁ ୭ ଲକ୍ଷରୁ ଅଧିକ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ଅଧିକାଂଶ ଗରିବ ଲୋକଙ୍କ ପାଖରେ ଏବେ ବି ରହିବା ପାଇଁ ବାସ ଖଣ୍ଡିଏ ନାହିଁ। ଖାଦ୍ୟ ସୁରକ୍ଷା ଯୋଜନା ପରେ ସମୟକ୍ରମେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ପ୍ରଣୟନ କରି ଗୃହ ନିର୍ମାଣ ବାବଦକୁ ହିତାଧିକାରୀଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ହେଲେ ନିର୍ମାଣ କାମରେ ବିଳମ୍ବ ଯୋଗୁ ସାମଗ୍ରୀର ଦରଦାମ ବଢ଼ିଲେ ଘର ତିଆରିରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ କାର୍ଯ୍ୟାଦେଶ ପାଇଥିବା ବହୁ ହିତାଧିକାରୀଙ୍କ ଜମି ପ୍ରମାଣପତ୍ରକୁ ନେଇ ବିବାଦ ଲାଗି ରହିଥିବାରୁ ନିର୍ମାଣ କାମ ଅଟକିଥିବା ଜଣା ପଡିଛି ।

ସମ୍ବନ୍ଧିତ ଖବର