୨ନାବାଳିକାଙ୍କ ସମେତ ୩ଜଣ ଉଦ୍ଧାର

ମୁନିଗୁଡା: ଦିଲ୍ଲୀକୁ ଚାଲାଣ ହେଉଥିବା ୨ଜଣ ନାବାଳିକାଙ୍କ ସମେତ ୩ଜଣଙ୍କୁ ଆରପିଏଫ ଅଧିକାରୀ ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ପରିସରରୁ ଉଦ୍ଧାର କରିଛି। ଜଣେ ଦଲାଲଙ୍କ ପ୍ରଲୋଭନରେ ପଡି କେରଳରେ କାମ କରିବା ନିମନ୍ତେ ଆଜି ୨ଜଣ ନାବାଳିକା ଓ ଜଣେ ଯୁବକ ମୁନିଗୁଡା ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଏନେଇ ଜଣେ ନାବାଳିକାର ମା’ ବିଷମକଟକ ଆରପିଏଫ ଅଧିକାରୀଙ୍କୁ ଅବଗତ କରାଇବା ପରେ ମୁନିଗୁଡା ଆରପିଏଫ ଅଧିକାରୀ ଏମାନଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।
ସୂଚନା ଅନୁଯାୟୀ, ମୁନିଗୁଡା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ଅଞ୍ଚଳର କୌଣସି ଜଣେ ଦଲାଲ ବିଷମଟକ ବ୍ଲକ ଚାଟିକଣା ଅଞ୍ଚଳର ରଞ୍ଜିତ କୌଶଲ୍ୟାଙ୍କ ସମେତ ୨ଜଣ ନାବାଳିକାଙ୍କୁ ଅଧିକ ଟଙ୍କା ଉପାର୍ଜନ କରିବାର ପ୍ରଲୋଭନ ଦେଖାଇଥିଲା। ଏଥି ନିମନ୍ତେ କେରଳ ଯିବାକୁ ପଡିବାକୁ ଦଲାଲ ଜଣକ କହିବାରୁ ଏଥିରେ ସମସ୍ତେ ରାଜି ହୋଇଥିଲେ। ଆଜି ସମସ୍ତେ ସମତା ଟ୍ରେନ୍‌ ଯୋଗେ ଦିଲ୍ଲୀ ଯିବାକୁ ମୁନିଗୁଡା ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ତେବେ ଜଣେ ନାବାଳିକାଙ୍କ ମା’ ଏନେଇ ଜାଣିବା ପରେ ବିଷମକଟକ ଆରପିଏଫ ଅଧିକାରୀଙ୍କୁ ଅବଗତ କରାଇଥିଲେ।

ଏନେଇ ମୁନିଗୁଡା ରେଳ ସୁରକ୍ଷା ବଳ ଅଧିକାରୀ ଗଣପତି ମହାନନ୍ଦିଆ, ଏମ.ଏମ ଜଗତାବ, କର୍ମଚାରୀ ସଚ୍ଚିନ କୁମାର, ଏସ.ଏସ ଜାଠ, ଲଚ୍ଛିରାମ ପ୍ରମୁଖ ଷ୍ଟେସନ ପରିସରରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଠିକଣା ପାଇବା ପରେ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତର କରାଯାଇଥିଲା। ମୁନିଗୁଡା ସମେତ ଆଖପାଖ ଅଞ୍ଚଳରେ ଏଭଳି ଚାଲାଣ ସହ ଦାଦନ ଶ୍ରମିକ ଚାଲାଣ ବୃଦ୍ଧି ପାଉଥିବାରୁ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରି ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର