ବଲେରୋକୁ ଧକ୍କାଦେଲା ଟିପ୍ପର

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ବଲେରୋକୁ ବକ୍ସାଇଟ୍‌ ବୋଝେଇ ଟିପ୍ପର ଧକ୍କା ଦେବାରୁ ଜଣେ ଶିକ୍ଷୟିତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି। ତେବେ ଶିକ୍ଷୟିତ୍ରୀ ବଲେରୋ ସମ୍ମୁଖ ସିଟ୍‌ରେ ବସିଥିବାରୁ ସାମାନ୍ୟ ଆହତ ହେବାରୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଘରକୁ ଫେରିଛନ୍ତି। ଆହତ ଶିକ୍ଷୟିତ୍ରୀ ଲକ୍ଷ୍ମୀପୁର ୟୁପି ସ୍କୁଲର ସୁବ୍ରତା ବେହେରା ବୋଲି ଜଣାପଡିଛି। ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟିପ୍ପର ବଲେରୋକୁ ଧକ୍କା ଦେବା କ୍ଷଣି ବଲେରୋ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା କଡରେ ଥିବା ଗାର୍ଡୱାଲକୁ ପିଟି ଗାଡି ରଖିବାରେ ସକ୍ଷମ ହୋଇଥିଲେ। ଫଳରେ ସମସ୍ତେ ବର୍ତି ଯାଇଥିଲେ।

ବଲେରୋ ରାସ୍ତାର ନିଜ ପାର୍ଶ୍ୱରେ ରହିଥିଲେ ମଧ୍ୟ ଟିପ୍ପର ଉପରକୁ ମାଡି ଆସି ଧକ୍କା ଦେଇଥିଲା। ଏହାପରେ ଟିମାଝୋଲା ଓ ତୋୟାପୁଟ ଗ୍ରାମବାସୀ ଏକତ୍ରିତ ହୋଇ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଟିପ୍ପର ଗୁଡିକୁ ଛାଡିନଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଟିପର ଗୁଡିକ ଅଟକି ରହିଥିଲା। ଗ୍ରାମବାସୀ ତୁରନ୍ତ ତୋୟାପୁଟ, ଡୁମୁରିପଦର ଓ ଟିମାଝୋଲା ଛକରେ ହମ୍ପ୍‌ସ ନିର୍ମାଣ କରିବା ସହ ଟିପ୍ପର ଗୁଡିକ ଅଭରଟେକ୍‌ ନକରି ଦ୍ରୁତ ଗତିରେ ନଯିବା ପାଇଁ ପୋଲିସ ନିକଟରେ ଦାବି କରିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ବକ୍ସାଇଟ୍‌ ବୋଝେଇ ହୋଇଥିବା ସମସ୍ତ ଟିପ୍ପର ଅଟକି ରହିଥିବା ବେଳେ ଲକ୍ଷ୍ମୀପୁର ପୋଲିସ ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରୁଛି।

ସମ୍ବନ୍ଧିତ ଖବର