ପୋଲ ତଳକୁ ଖସିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ଟିକିରି: କାଶୀପୁର ବ୍ଲକ ପୋଡାପାଡି ପଞ୍ଚାୟତ ଅନ୍ତର୍ଗତ ଇରିପୁଟ ଗ୍ରାମ ନିକଟସ୍ଥ ପୋଲ ତଳକୁ ଏକ ଟ୍ରାକ୍ଟର ଓଲଟି ପଡିବାରୁ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ହୋଇ ଉତ୍କଳ ଆଲୁମିନା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ କୁଚେଇପଦର ପଞ୍ଚାୟତ ଦାବୁଗୁଡା ଗ୍ରାମର ଟ୍ରାକ୍ଟର ଡ୍ରାଇଭର ଚିତ୍ରସେନ ମାଝୀ(୨୫) ଟ୍ରାକ୍ଟର(ଓଡି ୧୮ବି ୭୫୭୯) ଚଲାଇ ଇରିପିପୁଟରୁ ନିଜ ଗାଁକୁ ଫେରୁଥିଲେ। ସାଥୀରେ ସେହି ଗାଁର ଖଗ ମାଝୀ ଥିଲେ। ତେବେ ଇରିପିପୁଟ ନିକଟସ୍ଥ ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ପୋଲ ତଳକୁ ଖସି ପଡିତିଲା। ଏହି ଦୁର୍ଘଟଣାରେ ଚିତ୍ରସେନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ସେହିପରି ଗାଡିରେ ବସିଥିବା ଖଗ ଗୁରୁତର ହୋଇଥିଲେ।

ଏନେଇ ଚିତ୍ରସେନ ଓ ଖଗଙ୍କ ପରିବାର ଲୋକ କୌଣସି ପ୍ରକାରେ ଖବର ପାଇ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ଖଗଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉତ୍କଳ ଆଲୁମିନା ମେଡିକାଲରେ ଭର୍ତି କରାଇଥିଲେ। ତେବେ ମୃତ ଚିତ୍ରସେନଙ୍କ ଉପରେ ଟ୍ରାକ୍ଟର ଚାପି ହୋଇ ରହିଥିବାରୁ ଉଦ୍ଧାର କରିପାରିନଥିଲେ। ଖବର ପାଇ ସକାଳୁ ଟିକରି ଓ ଦୋରାଗୁଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟର ତଳେ ଚାପି ହୋଇଥିବା ମୃତ ଦେହକୁ ଉଦ୍ଧାର କରି କାଶୀପୁରରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଜବତ କରିଛି। ଏହି ଟ୍ରାକ୍ଟରଟି ଠିକାଦାର ବି. ମହାରଣାଙ୍କ ବୋଲି ଜଣାପଡିଛି। ମୃତକଙ୍କ ପରିବାର ନିହାତି ଗରିବ ହୋଇଥିବାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଟିିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର