ଦୁଇ ବାଇକ୍ ମୁହାଁମୁହିଁ, ୩ଗୁରୁତର

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସଦର ମହକୁମା ନିକଟସ୍ଥ ଗୁମୁଡା ପୋଲ ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ୮ଟାରେ ପଦ୍ମପୁର ବ୍ଲକ ଅନ୍ତର୍ଗତ ଖିଲାମୁଣ୍ଡା ଗ୍ରାମର ବି. ଧର୍ମା ରାଓ ନିଜ ବାଇକ୍‌ରେ ଗୁମୁଡା ଅଭିମୁଖେ ଯାଉଥିଲେ। ତେବେ ଗୁମୁଡା ପୋଲ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଓ ଧର୍ମାଙ୍କ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଧର୍ମାଙ୍କ ସମେତ ଅନ୍ୟ ବାଇକ୍‌ରେ ଥିବା ଗୁଡାରି ବ୍ଲକ ବାଦିଗୁଡା ଗ୍ରାମର ପ୍ରଭାକର ପ୍ରଧାନ ଓ ପଦ୍ମପୁର ବ୍ଲକ ସରଧାପୁର ଗ୍ରାମର ଦିବ୍ୟ ଦଣ୍ଡସେନା ଗୁରୁତର ଆହତ ‌ହୋଇଥିଲେ। ଖବର ପାଇ ଗୁମୁଡା ଅଗ୍ନିଶମ ବିଭାଗ ଅଧିକାରୀ ଲକ୍ଷ୍ମୀ ଚରଣ ମହାପାତ୍ରଙ୍କ ସମେତ କର୍ମଚାରୀ ବଳରାମ ବେହେରା, ନିରଂଜନ ପ୍ରଧାନ, ରୋହିତ କୁମାର ସାହୁ, କାଳୁ ଚରଣ ଦାଶ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥ‌ିଲେ। ଧର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ଗୁଣପୁର ଉପଖଣ୍ଡ ଚିକିିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଅରୁଣ କୁମାର ମାନସିଂହ ସୂଚନା ଦେଇଛନ୍ତି। ଅନ୍ୟ ୨ଜଣ ଗୁରୁତରଙ୍କୁ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର