ରାୟଗଡ଼ା: ଆଜି ରାୟଗଡ଼ା ପୁଲିସ ନିକଟରେ ଦୁଇଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିବା କଥା ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍ତି।
ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ, ସୁନାବେଡ଼ା ଏରିଆ କମିଟି ତଥା ମେନପୁର-ନୂଆପଡ଼ା ଡିଭିଜନ୍ର ଏରିଆ କମିଟି ଦସ୍ୟ ମଙ୍କୁ ଓୟାମ୍ ଓରଫ୍ ଜୟରାମ୍ ଏବଂ ‘କେକେବିଏନ୍ କମିଟି’ର ସଦସ୍ୟ ଲାଛୁ ମାଡ଼କାମ।
ଦିନକୁ ଦିନ ମାନସିକ ନିର୍ଯାତନା, ଯୌନ-ଶୋଷଣ ଓ ଅନ୍ୟାନ୍ୟ ଅତ୍ୟାଚାର ବୃଦ୍ଧି ପାଉଥିବାରୁ ମାଓ ସଙ୍ଗଠନ ଛାଡ଼ି ସ୍ୱାଭାବିକ ସାମାଜିକ ଜୀବନଯାପନ କରିବାକୁ ନିଷ୍ପତ୍ତି ନେଇଥିବା କଥା ସେମାନେ କହିଛନ୍ତି।
ମଙ୍କୁଙ୍କ ନାମରେ ରାଜ୍ୟ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ୨୦୧୧ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ଛତିଶଗଡ଼ କ୍ୟାଡର୍ର ଜୟରାମ୍ ୨୦୧୮ରେ ଓଡ଼ିଶାର କଳାହାଣ୍ଡିରେ କାର୍ଯ୍ୟ କରୁଥିଲେ। ପରେ ସେ ବଂଶଧାରା-ଘୁମୁସର-ନାଗାବଳୀ ଡିଭିଜନ୍କୁ ବଦଳି ହୋଇଥିଲେ।
ସେହିପରି, ଲାଛୁ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିଲା। ଉଭୟ ମାଓବାଦୀଙ୍କ ନାମରେ ରାୟଗଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଅନେକ ମାମଲା ରହିଛି।