୨ବର୍ଷର ଶିଶୁକୁ ହତ୍ୟା ଘଟଣା, ଜେଜେବାପା ଗିରଫ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ବିରିପୁର (ଆଦିବାସୀ) ଗ୍ରାମର ମନୁ ଗଣ୍ଡଙ୍କ ୨ବର୍ଷର ଝିଅ ଜ୍ୟୋତ୍ସ୍ନାକୁ ଶ୍ୱାସରୁଦ୍ଧ କରି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ଜେଜେବାପା ରାଇମନ ଗଣ୍ଡଙ୍କୁ ପୁଲିସ ଗିରଫ କରିଛି। ନିଶାଶକ୍ତ ଅବସ୍ଥାରେ ରାଇମନ ଏଭଳି କାଣ୍ଡ କରିଥିବା ପୁଲିସ କହିଛି। ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।
ପ୍ରକାଶ ଥାଉକି, ଗତତାଲି ସଂଧ୍ୟା ପ୍ରାୟ ୫ଟାରେ ଜେଜେ ବାପା ରାଇମନ ଗଣ୍ଡ ନିଶାସକ୍ତ ଅବସ୍ଥାରେ ନିଜର ୨ବର୍ଷର ନାତୁଣୀ ଜ୍ୟୋତ୍ସ୍ନାକୁ ମିକ୍ସଚର ଖାଇବାକୁ ଘରୁ ଡାକି ନେଇଥିଲା। କିଛି ସମୟ ପରେ ରାଇମନ ଫେରିଥିଲେ ହେଁ ଜ୍ୟୋତ୍ସ୍ନାର ପତ୍ତା ମିଳି ନଥିଲା। ପରିବାର ଲୋକ ଦେଖିବା ବେଳକୁ ରାଇମନ ନିଶାସକ୍ତ ଅବସ୍ଥାରେ ଘର ଅଗଣାରେ ପଡି ରହିଥିଲା। ପ୍ରାୟ ଦୁଇ ଘଣ୍ଟା ଧରି ଝିଅର ସନ୍ଧାନ ନିମିଳିବାରୁ ଜ୍ୟୋତ୍ସ୍ନାର ମା’ ଖୋଜିବା ଆରମ୍ଭ କରିଥିଲେ। ବହୁ ସମୟ ଧରି ଖୋଜାଖୋଜି ପରେ ଶେଷରେ ଘର ପଛପଟ ଗୋଟିଏ ପାଳ ଗଦା ଭିତରେ ଝିଅ ନିସ୍ତେଜ ହୋଇ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଜ୍ୟୋତ୍ସ୍ନାକୁ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ତେବେ ଡାକ୍ତର ନିହାର ସିଂହ ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇ ରାଇଘର ପୁଲିସ ବିରିପୁର ଗାଁକୁ ଯାଇ ରାଇମନ ଗଣ୍ଡଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା। ନିଜେ ହିଁ ଜ୍ୟୋତ୍ସ୍ନାର ତଣ୍ଟି ଚିପି ହତ୍ୟା କରିଥିବା ଜେଜେବାପା ରାଇମନ ସ୍ୱୀକୀର କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଏନେଇ ରାଇଘର ଥାନାରେ କେଶ୍‌ ନଂ-୨୨୦/୧୭ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ ହୋଇଛି।
ରାଇମନ ନିଶା ସେବନ କରିବା ପରେ ତାଙ୍କ ହିତାହିତ ଜ୍ଞାନ ରହୁନଥିବା ପରିବାର ଲୋକ କହିଛନ୍ତି। ଗତ ୬ବର୍ଷ ତଳେ ରାଇମନ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବାକୁ ଉଦ୍ୟମ କରି ଜେଲ୍‌ ଯାଇଥିଲା। ମଦ ପିଇ ରାଇମନ ପରିବାର ଲୋକଙ୍କ ସହ ଝଗଡା କରୁଥିବାରୁ ପୁଅ ମନୁ ଓ ବୋହୂ ଗାଁରେ ଅଲଗା ରହୁଥିଲେ। ତେବେ ଗତ କିଛି ଦିନ ହେଲା ସମସ୍ତେ ଏକତ୍ରିତ ରହୁଥିବା ବେଳେ ରାଇମନ ଏଭଳି କାଣ୍ଡ ଘଟାଇଥିଲା।

ସମ୍ବନ୍ଧିତ ଖବର