କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ ୨ ବର୍ଷର ସାଂସଦ ପାଣ୍ଠି, ସଂସଦୀୟ କ୍ଷେତ୍ରରେ ବିକାଶ ପଛେଇବ: ସପ୍ତଗିରି

ଟୁଇଟ୍ କରି ଅସନ୍ତୋଷ ଝାଡ଼ିଲେ, ପୁର୍ନବିଚାର ପାଇଁ ନିବେଦନ, ବିନା ପାଣ୍ଠିରେ ସାଂସଦଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲେ

ରାୟଗଡ଼ା: ଦାବି ମୁତାବକ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ମିଳୁନି। ପଛୁଆ ଅଞ୍ଚଳର ବିକାଶ ପାଇଁ ଚାଲିଥିବା ଯୋଜନାକୁ ମୋଦି ସରକାର ବନ୍ଦ କରିଦେଲେ। ଆଉ ଏବେ ଆଞ୍ଚଳିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ସାଂସଦ ପାଣ୍ଠିକୁ ୨ ବର୍ଷ ଲାଗି ନିଲମ୍ବନ କରିଛନ୍ତି କେନ୍ଦ୍ର ସରକାର। ସରକାରଙ୍କ ଏପରି ନିଷ୍ପତ୍ତି ଦ୍ବାରା ସଂସଦୀୟ କ୍ଷେତ୍ରରେ ବିକାଶ ପଛେଇବ।

କରୋନା ମୁକାବିଲା ପାଇଁ ୨ ବର୍ଷର ସାଂସଦ ପାଣ୍ଠିକୁ କେନ୍ଦ୍ର ସରକାର ବିନିଯୋଗ କରିବାକୁ ଘୋଷଣା କରିବା ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା। ଟୁଇଟ୍ କରି ସାଂସଦ ଶ୍ରୀ ଉଲାକା କହିଛନ୍ତି, ୩୦ ପ୍ରତିଶତ କମ ଦରମା ପ୍ରଦାନ ନିଷ୍ପତ୍ତି ସ୍ବାଗତଯୋଗ୍ୟ। କିନ୍ତୁ ୨ ବର୍ଷର ସାଂସଦ ପାଣ୍ଠି ନିଲମ୍ବନ ନିଷ୍ପତ୍ତି ଦୁର୍ଭାଗ୍ୟଜନକ। କରୋନା ମୁକାବିଲା ଲାଗି ସ୍ବତନ୍ତ୍ର ପାଣ୍ଠି ଯୋଗାଡ଼ କରିବାକୁ ସରକାରଙ୍କ ପାଖରେ ବହୁ ବିକଳ୍ପ ଅଛି। ବିଜ୍ଞାପନ, ସେଣ୍ଟ୍ରାଲ୍ ଭିଷ୍ଟା ପ୍ରକଳ୍ପ, ବିଦେଶ ଗସ୍ତକୁ ବାତିଲ୍ ସହ ବିଭିନ୍ନ ପ୍ରକଳ୍ପର ଅର୍ଥକୁ ବିନିଯୋଗ କରିହେବ। ଅଥଚ ସରକାର ସାଂସଦଙ୍କ ପାଣ୍ଠି ଉପରେ ନଜର ପକାଇ ପ୍ରତି ସଂସଦୀୟ କ୍ଷେତ୍ରରୁ ୧୦ କୋଟି ଅର୍ଥ କାଟି ଦେବାକୁ ଚୂଡ଼ାନ୍ତ କରିଛନ୍ତି। କେନ୍ଦ୍ର ସରକାର ୨ ବର୍ଷର ସାଂସଦ ପାଣ୍ଠି ବାବଦକୁ ଓଡ଼ିଶାରୁ ପାଇବାକୁ ଥିବା ୨୧୦ କୋଟି ଟଙ୍କା ଓଡ଼ିଶାର ସଂସଦୀୟ କ୍ଷେତ୍ରରେ ଖର୍ଚ୍ଚ ହେବ ନା, ଅନ୍ୟ ରାଜ୍ୟକୁ ଚାଲିଯିବ ସେ ନେଇ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି।

ପୂର୍ବରୁ କେବିକେର ବିକାଶ ପାଇଁ ପ୍ରଣୟନ ହୋଇଥିବା ଗୋପବନ୍ଧୁ ଗ୍ରାମୀଣ ଯୋଜନା, ବିଆରଜିଏଫ୍, ଆଇଏପି ଯୋଜନାକୁ କେନ୍ଦ୍ର ସରକାର ଅନୁଦାନ ବନ୍ଦ କରିଦେବା ପରେ ସାଂସଦ ପାଣ୍ଠିରେ ଗ୍ରାମାଞ୍ଚଳର ବିକାଶ ହେଉଥିଲା। ଗାଁ, ଗାଁରେ କମ୍ୟୁନିଟ୍ ସେଣ୍ଟର୍, ସ୍କୁଲ୍ ଗୃହ ମରାମତି, ସିସି ରୋଡ୍ ନିର୍ମାଣ, ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ, ପାନୀୟ ଜଳ ପ୍ରକଳ୍ପ, ସହରାଞ୍ଚଳରେ ସୁରକ୍ଷା ପାଇଁ ସିସିଟିଭି ସମେତ ବହୁ ଜନହିତକର ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିଲା। ଅନୁଦାନ ଅଭାବରୁ ଯେଉଁ ପ୍ରକଳ୍ପ ସରକାରଙ୍କ ଫାଇଲରେ ବର୍ଷ ବର୍ଷ ଧରି ଅଟକି ରହୁଥିଲା, ସାଂସଦ ପାଣ୍ଠି ଦ୍ବାରା ତାହା ତୁରନ୍ତ କାର୍ଯ୍ୟକାରୀ ହେଉଥିଲା। ହେଲେ ଏବେ ଆସନ୍ତା ଦୁଇ ଅର୍ଥନୈତିକ ବର୍ଷର ପାଣ୍ଠି ବନ୍ଦ ଦ୍ବାରା ବିକାଶ ପ୍ରଭାବିତ ହେବ। ବିନା ପାଣ୍ଠିରେ ନିଜ ଅଞ୍ଚଳରେ ଜଣେ ସାଂସଦଙ୍କର କ’ଣ ଭୂମିକା ରହିବ। କଂଗ୍ରେସ ଏହାର ବିରୋଧ କରିବା ସହ ନିଷ୍ପତ୍ତିର ପୁର୍ନ ବିଚାର ପାଇଁ ସଂସଦରେ ପ୍ରଶ୍ନ ଉଠାଇବ ବୋଲି କହିଛନ୍ତି ସାଂସଦ ଶ୍ରୀ ଉଲାକା।

୨୦୧୯-୨୦ ଆର୍ଥିକ ବର୍ଷର ସାଂସଦ ପାଣ୍ଠି ବାବଦକୁ ଆସିଥିବା ୫ କୋଟିରୁ ଏଯାବତ୍ ସାଢ଼େ ୩ କୋଟି ଟଙ୍କା ଉନ୍ନୟନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ହେବା ପାଇଁ ସୁପାରିଶ କରାଯାଇଛି। ସେଥି ମଧ୍ୟରୁ ୧ କୋଟି ଟଙ୍କା କରୋନା ମୁକାବିଲା ଲାଗି କୋରାପୁଟ ଓ  ରାୟଗଡ଼ା ଜିଲ୍ଲାକୁ ପ୍ରଦାନ କରାଯାଇଛି। ସେହିପରି ଜୟପୁର ସହରରେ ସିସିଟିଭି ଲଗାଇବା ପାଇଁ ୧୬ ଲକ୍ଷ ସମେତ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ବାବଦକୁ ଅଢ଼େଇ କୋଟି ଟଙ୍କା ଖର୍ଚ୍ଚ ହେବ। ବଳକା ଦେଢ଼ କୋଟି ଟଙ୍କାର ପ୍ରକଳ୍ପ ତାଲିକା ଖୁବ୍ ଶୀଘ୍ର ପ୍ରଶାସନକୁ ଯୋଗାଇ ଦିଆଯିବ ବୋଲି ସାଂସଦ କହିଛନ୍ତି। ଅନ୍ୟପକ୍ଷରେ କରୋନା ମୁକାବିଲା ଲାଗି ସମସ୍ତ ସାଂସଦ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦରମା ସହିତ ନିଜ ଅନୁଦାନ ରାଶି ପ୍ରଦାନ କରିଛନ୍ତି। ସ୍ବେଚ୍ଛାକୃତ ଭାବେ ଜନସାଧାରଣ, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ସମେତ ବହୁ ଅନୁଷ୍ଠାନ ରିଲିଫ୍ ପାଣ୍ଠିକୁ ଅନୁଦାନ ଦେଉଛନ୍ତି।

ଜାତୀୟ ବିପତ୍ତି ସମୟରେ ସ୍ବାସ୍ଥ୍ୟସେବାର ବିକାଶ ପାଇଁ ସାଂସଦ ପାଣ୍ଠିକୁ ବିନିଯୋଗ କରିବା ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିଲେ ସୁଦ୍ଧା ବିନା ଆଲୋଚନାରେ ସାଂସଦ ପାଣ୍ଠି ନିଲମ୍ବନ ନିଷ୍ପତ୍ତିକୁ ବହୁ ସାଂସଦ ଗ୍ରହଣ କରିପାରୁନଥିବା ଏବଂ ଆଗାମୀ ଅଧିବେଶନରେ ଏହାକୁ ନେଇ ସରକାର ବିରୋଧର ସମ୍ମୁଖୀନ ହେବା ନିଶ୍ଚିତ ବୋଲି କହିଛନ୍ତି ସପ୍ତଗିରି।

ସମ୍ବନ୍ଧିତ ଖବର