ରାୟଗଡା/ଗୁଣପୁର : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ଉକ୍କମ୍ବାଗୁଡା ଟ୍ରିପଲ୍ ମର୍ଡର ଘଟଣାରେ ପୁଲିସକୁ ମିଳିଛି ସଫଳତା। ମାମଲାରେ ସଂପୃକ୍ତ ୯ ଜଣଙ୍କୁ ପୁଲିସ୍ ଆଜି ଗିରଫ କରି କୋର୍ଟଚାଲାଣ କରିଛି।
ରାୟଗଡା ଏସପି ଏମ୍. ଶ୍ରବଣ ବିବେକଙ୍କ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡରେ ବାବୁଲା ଶବର, ଅଜିତ୍ ଶବର, ରବି ଶବର, ବୁଲୁ ଶବର, ଶଂକର ଶବରକୁ ପୁଲିସ ଗିରଫ କରିଛି। ସେହିପରି ଶବ ପୋଡିବାରେ ସହଯୋଗ କରିଥିବା ଅଭିଯୋଗରେ କମଳ ଲୋଚନ ଶବର, ପୁଣ୍ୟତୋୟା ଶବର, ମାଳତୀ ଶବର ଓ ଫୁଲ ଶବରକୁ ଗିରଫ କରାଯାଇଛି। ଗୁଡାରୀ, ପଦ୍ମପୁର ସମେତ ଆଖପାଖ ଇଲାକାରେ ପୁଲିସ୍ ଚଢ଼ାଉ କରି ଏମାନଙ୍କୁ ଗିରଫ କରିଛି।
ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୁଲିସ୍ ଶବ ପୋଡା ଯାଇଥିବା ସ୍ଥାନକୁ ଚିହ୍ନଟ କରିବା ସହ ସେଠାରୁ ହାଡ, ପାଉଁଶ ଉଦ୍ଧାର କରିଛି। ଗାଁ ଠାରୁ ୧୫୦ ମିଟର ଦୂରରେ ଶବ ପୋଡା ଯାଇଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ହାଡ, ପାଉଁଶ ସମେତ ଶବ ଦାହରେ ବ୍ୟବହୃତ ସମସ୍ତ ସାମଗ୍ରୀକୁ ଅଭିଯୁକ୍ତମାନେ ପୋଖାରୀରେ ଫିଙ୍ଗି ଦେଇଥିଲେ ବୋଲି ଏସ୍ପି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗୁଣି ଗାରେଡି ସଂଦେହରେ ଗତ ୨୩ ତାରିଖ ରାତିରେ ଉକ୍କମ୍ବାଗୁଡା ଗ୍ରାମ ବଡ ସାହିର ଗୋପାଳ ଶବର (୪୫) ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଶବର (୪୦) ଓ ଜାଙ୍ଗିଲି ଶବର (୭୬) କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଗୁଣପୁର ପୁଲିସ୍ ମାମଲା ରୁଜୁ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/RGD_Murder.jpg)