ରେଳ ଧାରଣାରୁ ଉଦ୍ଧାର ମୃତ ଯୁବତୀଙ୍କ ପରିଚୟ ମିଳିଲା 

ଟିକିରି: ରାୟଗଡା ଜିଲ୍ଲା ଟିକିରି ଷ୍ଟେସନ ନିକଟସ୍ଥ ମୁଷରିପର ରେଳ ଧାରଣାରୁ ଗତକାଲି ଉଦ୍ଧାର ହୋଇଥିବା ମୃତ ଯୁବତୀଙ୍କ ପରିଚୟ ମିଳିଛି। ମୃତ ଯୁବତୀ ଜଣକ ସ୍ଥାନୀୟ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ ବଡମାରିଭଟ୍ଟା ଗ୍ରାମର ଦାସ ଝୋଡିଆଙ୍କ ଝିଅ ହେମଲତା ଝୋଡିଆ(୨୨) ବୋଲି ଜଣାପଡିଛି। ପ୍ରକାଶ ଥାଉକି, ଗତକାଲି ଟିକିରି ପୁଲିସ ମୁଷରିପଦର ରେଳ ଧାରଣାରୁ ଜଣେ ଯୁବତୀଙ୍କ ଶବ ଉଦ୍ଧାର କରିଥିଲା। କିନ୍ତୁ ପରିଚୟ ନମିଳିବାରୁ ଶବକୁ ରାୟଗଡା ଶବାଗାର ପଠାଇ ଦିଆଯାଇଥିଲା। ଅନ୍ୟପଟେ ଗତକାଲି ସକାଳ ୧୦ଟାରୁ ବଡମାରିଭଟ୍ଟା ଗ୍ରାମର ଦାସ ଝୋଡିଆଙ୍କ ଝିଅ ହେମଲତା ଘରୁ ବାହାରକୁ ଯାଇ ଫେରିନଥିଲେ। କୌଣସି ଏକ ଯୁବତୀଙ୍କ ଶବ ରେଳଧାରଣାରୁ ଉଦ୍ଧାର ହେବା ପରେ ରାୟଗଡା ଶବାଗାରରେ ରଖାଯାଇଥିବା ଖବର ପାଇ  ପରିବାର ଲୋକ ରାୟଗଡାରେ ପହଞ୍ଚି ଶବ ଚିହ୍ନଟ କରିଥ‌ିଲେ। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଟିକିରି ପୁଲିସ ସୂଚନା ଦେଇଛି। ଏନେଇ ଟିକିରି ଥାନାରେ କେଶ୍ ନଂ- ୨/୧୯ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ବେଳେ ଏସ୍ଆଇ ବି.କେ ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର