ଯୁକ୍ତ ଦୁଇ କଳା ପରୀକ୍ଷା ଫଳକୁ ନେଇ ଅସନ୍ତୋଷ, କଲେଜ ଅଧ୍ୟକ୍ଷଙ୍କୁ ଘେରିଲେ ଛାତ୍ରଛାତ୍ରୀ

ଗୁମୁଡ଼ା: ଯୁକ୍ତ ଦୁଇ ଏକ୍ସ-ରେଗୁଲାର କଳା ପରୀକ୍ଷାରେ ଅଧିକାଂଶ ଛାତ୍ରଛାତ୍ରୀ ଫେଲ୍ ଯୋଗୁ ରାୟଗଡ଼ା ଜିଲ୍ଲା ଗୁମୁଡ଼ା ଦ୍ରୌପଦୀ କଲେଜରେ ଅସନ୍ତୋଷ ଦେଖା ଦେଇଛି। ପରୀକ୍ଷାର୍ଥୀମାନେ ଆଜି କଲେଜ ଅଧ୍ୟକ୍ଷଙ୍କୁ ଘେରାଉ କରିବା ସହ ପରୀକ୍ଷା ଫଳ ଖରାପର କାରଣ ପଚାରିଛନ୍ତି। ଖୁବ୍ ଶୀଘ୍ର ଏହାର ସନ୍ତୋଷଜନକ ଉତ୍ତର ନ ମିଳିଲେ ଆନ୍ଦୋଳନକୁ ଜୋରଦାର୍ କରିବାକୁ ପରୀକ୍ଷାର୍ଥୀ ଚେତାବନୀ ଦେଇଛନ୍ତି। ଛାତ୍ରଛାତ୍ରୀଙ୍କ କହିବାନୁଯାୟୀ, ଠିକ୍ ସମୟରେ ଫର୍ମ ଫିଲପ ସହ ଆମେ ସବୁ ବିଷୟରେ ପରୀକ୍ଷା ମଧ୍ୟ ଦେଇଛୁ। ପରୀକ୍ଷା ଭଲ ବି ହୋଇଛି। କିନ୍ତୁ କଲେଜ କର୍ତ୍ତୃପକ୍ଷଙ୍କ ଖାମ ଖିଆଲି ମନୋଭାବ ଯୋଗୁ ମୂଲ୍ୟାୟନରେ ଅବହେଳା ହୋଇଛି। ଯେଉଁଥି ପାଇଁ କିଛି ପିଲାଙ୍କୁ ଛାଡ଼ିଲେ ସମସ୍ତଙ୍କ ପରୀକ୍ଷା ଫଳ ଖରାପ ହୋଇଛି।

ଆଜି ବହୁ ପରୀକ୍ଷାର୍ଥୀ କଲେଜରେ ପହଞ୍ଚି ହୋ ହାଲ୍ଲା କରିବା ପରେ କଲେଜ କର୍ତ୍ତୃପକ୍ଷ ୭ ଦିନ ମଧ୍ୟରେ ପରୀକ୍ଷା ଫଳ ଖରାପ ହେବାର କାରଣ ସଂପର୍କରେ ସୂଚନା ଦିଆଯିବ ବୋଲି କହିଥିଲେ। କିନ୍ତୁ ପରୀକ୍ଷାର୍ଥୀ ଅଧ୍ୟକ୍ଷଙ୍କୁ ଚିଠି ଲେଖି ସଠିକ୍ କାରଣ ଦର୍ଶାଇବାକୁ ଦାବି କରିଛନ୍ତି। ଦୁଇ ଘଣ୍ଟା ଧରି ଛାତ୍ରଛାତ୍ରୀ ଉତ୍ତର ଦାବିରେ କଲେଜରେ ଅଡ଼ି ବସିବା ସହ ଫାଟକ ସମ୍ମୁଖରେ ବିକ୍ଷୋଭ କରିଥିଲେ। ତୁରନ୍ତ ପରୀକ୍ଷା ଫଳ ସଂପର୍କରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଠୋସ୍ ପଦକ୍ଷେପ ନେବାକୁ ପରୀକ୍ଷାର୍ଥୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର