ଉତ୍କଳ ଆଲୁମୀନା କାରଖାନା ଅଞ୍ଚଳରେ ଚାଞ୍ଚଲ୍ୟ:ସ୍ୱାମୀ ମୃତ୍ୟୁ ପରେ ପତ୍ନୀଙ୍କ ଆତ୍ମହତ୍ୟା

ରାୟଗଡ଼ା: ସାତ ଜନମ ପାଇଁ ହାତ ଧରିଥିଲେ। କିନ୍ତୁ ପରକରି ହଠାତ୍‌ ଆରପାରିକୁ ଚାଲିଗଲେ ସ୍ୱାମୀ। ନିଜ ଜୀବନ ଠୁ ଅଧିକ ଭଲ ପାଉଥିଲେ ସ୍ୱାମୀଙ୍କୁ। ବିରହ ବେଦନାକୁ ସହି ପାରିଲେନି। ଆଉ ଦିନକ ପରେ ହିଁ ଜୀବନ ହାରିଲେ ପତ୍ନୀ। ଅଧୁରା ପ୍ରେମକୁ ପୂରା କରିବାକୁ ଚରମ ନିଷ୍ପତ୍ତି ନେଇଥିଲେ ଉତ୍ତର ପ୍ରଦେଶର ମୋନିକା ନେହା ମିଶ୍ର। ଅପରପକ୍ଷରେ ୪୮ଘଣ୍ଟା ମଧ୍ୟରେ ବାପା, ମା’ଙ୍କୁ ହରାଇ ସଂପୂର୍ଣ୍ଣ ଅସହାୟ ହୋଇଯାଇଛି ୪ବର୍ଷର ଶିଶୁ ପୁତ୍ର। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉତ୍କଳ ଆଲୁମିନା ପ୍ଲାଣ୍ଟ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅଞ୍ଚଳର ଯୁବ ଇଂଜିନିୟର ରାକେଶ ମିଶ୍ର ୨୦୧୩ ମସିହାରୁ ଉତ୍କଳ ଆଲୁମିନା କାରଖାନାର ପରିବେଶ ବିଭାଗରେ ପରିଚାଳକ ଭାବେ କାମ କରୁଥିଲେ। ସେ ପରିବାର ସହ ଦୋରାଗୁଡ଼ା  କାରଖାନା ଅଞ୍ଚଳରେ ରହୁଥିଲେ। ତେବେ ଗତ ୧୮ତାରିଖ ବିଳମ୍ବିତ ରାତିରେ ହୃତ୍‌ଘାତ ହୋଇ ମୃତ୍ୟୁବରଣ କରିଥିଲେ। ଗତକାଲି ରାୟଗଡା ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ଆଜି ସକାଳେ ରାୟଗଡା ଠାରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା। ଅନ୍ତିମ ସଂସ୍କାର ସମୟରେ ପତ୍ନୀ ମୋନିକା ନେହା ମିଶ୍ର ଉପସ୍ଥିତ ଥିଲେ। ସ୍ୱାମୀଙ୍କ ଚିତାକୁ ଦେଖି ସେ ଏତେମାତ୍ରାରେ ମ୍ରିୟମାଣ ହୋଇଯାଇଥିଲେ ଯେ ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ। ସଂପର୍କୀୟଙ୍କ ସହ ଦୋରାଗୁଡା ସ୍ଥିତ ବାସଭବନକୁ ଫେରି ଅନ୍ୟମାନଙ୍କୁ ବିଶ୍ରାମ ନେବାକୁ କହି ଗୋଟିଏ କଠୋରୀକୁ ଚାଲି ଯାଇଥିଲେ। ଦୀର୍ଘ ସମୟ ଧରି କଠୋରୀରୁ ନବାହାରିବାରୁ ଶେଷରେ କବାଟ ଭାଙ୍ଗି ଭିତରକୁ ପଶିଥିଲେ ସଂପର୍କୀୟ। ସେତେବେଳକୁ ଛାତରେ ଫାଶ ଲଗାଇ ସେଥିରେ ଝୁଲି ଯାଇଥିଲେ ମୋନିକା। ତଳକୁ ଓହ୍ଲାଇବା ବେଳକୁ ଶ୍ୱାସକ୍ରିୟା ବନ୍ଦ ହୋଇସାରିଥିଲା। ଦୋରାଗୁଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ମୋନିକାଙ୍କୁ ୨୮ବର୍ଷ ବୟସ ହୋଇଥିଲା। ୪ବର୍ଷର ପୁଅ ଥିବା ଜଣାପଡିଛି। ଆଜି ସେ ଆତ୍ମହତ୍ୟା କରିବା ସମୟରେ ବାପା ଓ ଦିଅର ଘରେ ଥିଲେ। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ସ୍ୱାମୀଙ୍କ ମୃତ୍ୟୁପରେ ନିଜକୁ ସଂପୂର୍ଣ୍ଣ ଅସହାୟ ମନେ କରି ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଗୋଟିଏ ଦିନ ବ୍ୟବଧାନରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନାହିଁ। ୪ବର୍ଷର ପୁଅର ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ରହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବିଷାଦ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର