ଶିକ୍ଷକ ନିଯୁକ୍ତି ଦାବି:ସେବାଶ୍ରମରେ ତାଲା ଠୁଙ୍କିଲେ ଗ୍ରାମବାସୀ

ପଦ୍ମପୁର: ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜାତିଲି ପଞ୍ଚାୟତ ମାଳତୀପୁର ପ୍ରାଥମିକ ସେବାଶ୍ରମରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଆବଶ୍ୟକୀୟ ଶିକ୍ଷକ ପଦବି ପୂରଣ ନିମନ୍ତେ ବହୁବାର ବ୍ଲକ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଅାକର୍ଷଣ କରାଗଲା। କିନ୍ତୁ ଏଥିପ୍ରତି କେହି କର୍ଣ୍ଣପାତ କରାନଯିବାରୁ ବାଧ୍ୟ ହୋଇ ଆଜି ଗ୍ରାମବାସୀ ସ୍କୁଲରେ ତାଲା ଠୁଙ୍କିଛନ୍ତି।
ସୂଚନା ଅନୁଯାୟୀ, ମାଳତୀପୁର ପ୍ରାଥମିକ ସେବାଶ୍ରମରେ ଚଳିତ ବର୍ଷ ୪୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିନ୍ତୁ ଦୀର୍ଘ ବର୍ଷ ହେଲା ମାତ୍ର ଦୁଇଜଣ ଶିକ୍ଷକ ନିଯୁକ୍ତ ହୋଇଥିବାରୁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି। ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତ କରିବା ନିମନ୍ତେ ବିଦ୍ୟାଳୟ କମିଟି ବାରମ୍ବାର ପ୍ରଶାସନ ନିକଟରେ ଦାବି କରି ଆସୁଛନ୍ତି। କିନ୍ତୁ ଏଦିଗରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ର‌ହଣ କରାନଯିବାରୁ ବିଦ୍ୟାଳୟ କମିଟି ସଭାପତି ଅନୁସୂୟା ଶବର, ଶିକ୍ଷା କମିଟି ସଭାପତି ଅନାଦି ଚରଣ ଗମାଙ୍ଗଙ୍କ ସମେତ ଗ୍ରାମବାସୀ ଓ ଅଭିବାବକ ମିଳିତ ଭାବେ ଆଜି ସକାଳ ୧୦ଟାରେ ସ୍କୁଲ ଫାଟକରେ ତାଲା ଠୁଙ୍କିଥିଲେ। ସେହିପରି ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଥିଲେ। ବ୍ଳକ୍‌ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ କେହି କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀଙ୍କ ସହ ବିଦ୍ୟାଳୟ କମିଟି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଳକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଅସୀମା ରାଓ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ମାଳତୀପୁର ବିଦ୍ୟାଳୟରେ ଅତି ଶୀଘ୍ର ଶିକ୍ଷକ ନିଯୁକ୍ତ କରାଯିବ ବୋଲି କହିିଥିଲେ। ଏହି ଧାରଣାରେ ଅଭିବାବକ ସହଦେବ ଶବର, ସଦାଶିବ ଶବର, ପୁରୁଷୋତ୍ତମ ଲିମା, ମୁରଲୀ ଶବରଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ।

 

ସମ୍ବନ୍ଧିତ ଖବର