ଭୁଷୁଡ଼ିଲା କାନ୍ଥ, ଚାପି ହୋଇ ମହିଳା ମୃତ, ଅଳ୍ପକେ ବର୍ତ୍ତିଲେ ସ୍ବାମୀ, ୨ ଝିଅ ଓ ପୁଅ

ରାୟଗଡ଼ା : ଘର ଭାଙ୍ଗୁଥିବା ସମୟରେ କାନ୍ଥ ଭୁଷୁଡ଼ି ପଡ଼ିବା ଯୋଗୁ ଚାପି ହୋଇ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାମ ମିତାଲି ନାୟକ (୪୦)। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମହିଳାଙ୍କ ସ୍ବାମୀ, ୨ ଝିଅ ଓ ପୁଅ। ରାୟଗଡ଼ା ପୁଲିସ୍ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

କାଶୀପୁର ବ୍ଲକ ଡଙ୍ଗାସିଲ୍ ପଞ୍ଚାୟତ ପାଟିଆସିଲିତୁଣ୍ଡା ଗ୍ରାମର ମହେଶ୍ବର ନାୟକଙ୍କ ପରିବାର ଦିନ ମଜୁରିଆ ଭାବେ କାମ କରନ୍ତି। ରାୟଗଡ଼ା ସହରର ଡିଏଫ୍ଓ କଲୋନିରେ ଏକ ମାଟି ଘର ଭାଙ୍ଗିବାକୁ ମହେଶ୍ବର ୧୧ ହଜାର ୫ ଶହ ଟଙ୍କା ମୂଲରେ ଠିକା ନେଇଥିଲେ। ଦୁଇ ଦିନ ହେଲା ଘର ଭଙ୍ଗା କାମରେ ମହେଶ୍ବରଙ୍କ ସମେତ ସ୍ତ୍ରୀ ମିତାଲି, ଝିଅ ରଶ୍ମିତା, ବନିତା, ପୁଅ ଋିତିକ୍ ନିୟୋଜିତ ହୋଇଥିଲେ। ଗତକାଲି ବର୍ଷା ଯୋଗୁ ଘରର କାନ୍ଥ ସଂପୂର୍ଣ୍ଣ ଭାବେ ଭିଜି ଯାଇଥିଲା। ଆଜି ସକାଳ ୯ଟାରେ ସଭିଁଏ ମିଶି କାମ କରୁଥିବା ବେଳେ ହଠାତ୍ କାନ୍ଥ ଭୁଷୁଡ଼ି ପଡ଼ିଥିଲା। ମହେଶ୍ବର, ରଶ୍ମିତା, ବନିତା, ଋିତିକ କୌଣସି ମତେ ଭଙ୍ଗା ଘର ଭିତରୁ ବାହାରି ଆସିଥିଲେ। କିନ୍ତୁ ମିତାଲି ଘର ଭିତରୁ ବାହାରି ପାରିନଥିଲେ। ଫଳରେ ମିତାଲି କାନ୍ଥ ତଳେ ଚାପି ହୋଇ ରହି ଯାଇଥିଲେ। ମିତାଲିଙ୍କୁ ବଞ୍ଚାଇବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ ମଧ୍ୟ ମାଟି ଉଠାଇବା ସମ୍ଭବ ନ ହେବାରୁ ଶ୍ବାସ ରୁଦ୍ଧ ହୋଇ ମିତାଲିଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ରାୟଗଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାୟଗଡ଼ା ମେଡ଼ିକାଲକୁ ଆଣିଥିଲା। ଆଖି ଆଗରେ ମାଆର ଜୀବନ ଚାଲିଯିବାରୁ ୨ ଝିଅ ଓ ପୁଅଙ୍କ କାନ୍ଦରେ ମେଡ଼ିକାଲ୍ ପରିସର ଫାଟି ପଡ଼ିଥିଲା।

ସମ୍ବନ୍ଧିତ ଖବର