ରାୟଗଡ଼ା: ଗୁଣୁପୁର ସବଡିଭିଜନର ବିଭିନ୍ନ ଗୁରୁତ୍ବପୂର୍ଣ ସାର୍ବଜନୀନ ସ୍ଥାନଗୁଡ଼ିକରେ ମଦ୍ୟପାନ ହେଉଥିବା ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୁଣପୁର ଉପଜିଲ୍ଲାପାଳ ଅଭିଷେକ ଦୁଧାଲ ନିର୍ଦେଶନାମା ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ ବିଭିନ୍ନ ସମୟରେ ଏନେଇ ସାଧାରଣ ଜନତା ଧାର୍ମିକ ସ୍ଥଳ ଏବଂ ପର୍ଯ୍ୟଟନ ସ୍ଥଳରେ ମଦ୍ୟପାନ ଏବଂ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ କରି ଅଶାନ୍ତିଜନକ ଆଚରଣ ଏବଂ ଜୀବନ ଏବଂ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା ନେଇ ଉପଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଏହି ସମ୍ପର୍କରେ ଅନେକ ମୌଖିକ ଅଭିଯୋଗ ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଉପଜିଲ୍ଲାପାଳ ପଦକ୍ଷେପ ଗ୍ରହଣ କରିଛନ୍ତି। ଗୁଣପୁର ସହର ନିକଟସ୍ଥ ସେଫାଳି ପାହାଡ଼ କେନ୍ଦୁଗୁଡ଼ା ଡ୍ୟାମ୍, ବ୍ଲକ କଲୋନି (ଗୁଣୁପୁର), ମା ମାଣିକେଶ୍ୱରୀ ମନ୍ଦିର (ଗୁଣୁପୁର) ଏବଂ ଆଖପାଖ ଅଞ୍ଚଳରେ ଏପରି କାର୍ଯ୍ୟକଳାପ ପରିଲକ୍ଷିତ ହୋଇଥିବା ଏବଂ ଏହି ସ୍ଥାନଗୁଡ଼ିକୁ ପରିଦର୍ଶନ କରୁଥିବା ମହିଳା ଏବଂ ପରିବାର ସେମାନଙ୍କ ସୁରକ୍ଷା ଏବଂ ସାର୍ବଜନୀନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଉପଜିଲ୍ଲାପାଳ ଜାରି କରିଥିବା ଚିଠିରେ ଉଲ୍ଲେଖ ରିହଛି। ଏହି କାର୍ଯ୍ୟଗୁଡ଼ିକ ସାର୍ବଜନୀନ ଭାବନାକୁ ଆଘାତ କରିବା ସହ ଧାର୍ମିକ ବିଶ୍ୱାସକୁ ଆଘାତ କରେ ବୋଲି ଉଲ୍ଲେଖ ରହିଛି।
ଅଭିଯୋଗ ଆସିଲା ପରେ କ୍ଷେତ୍ର ପରିଦର୍ଶନ ସମୟରେ ଅସାମାଜିକ ବ୍ୟକ୍ତିମାନେ ସାର୍ବଜନୀନ ସ୍ଥାନରେ, ବିଶେଷକରି ସନ୍ଧ୍ୟା ଏବଂ ରାତି ସମୟରେ ରାସ୍ତାପାର୍ଶ୍ୱ ସ୍ଥାନରେ ଖୋଲାଖୋଲି ମଦ ପିଇଥିବାର ଦେଖାଯାଇଥିଲା। ଏଭଳି ତଥ୍ୟଗୁଡ଼ିକୁ ବିଚାର କରି ଏବଂ ତୁରନ୍ତ ପ୍ରତିରୋଧକ କାର୍ଯ୍ୟାନୁଷ୍ଠାନ ପାଇଁ ଉପ-ବିଭାଗୀୟ ମାଜିଷ୍ଟ୍ରେଟ୍, ଗୁଣୁପୁର, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ସ୍ୱତଃ ସମ୍ବୋଧିତ ଏବଂ ଜନସାଧାରଣଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ଶୃଙ୍ଖଳା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।
ଏନେଇ ଗୁଣପୁର ଉପଖଣ୍ଡର ସମସ୍ତ ଥାନା ଆଇଆଇସି, ତହସିଲଦାର, ଆରକ୍ଷୀ ଅଧିକ୍ଷକ ପୁଲିସ ଏବଂ ଜିଲ୍ଲାପାଳଙ୍କୁ ଉପଜିଲ୍ଲାପାଳ ସୂଚନା ପ୍ରଦାନ କରିଥିବା ଜଣାପଡିଛି। ଗୁଣପୁର ଅଞ୍ଚଳରେ ଜଣେ ଯୁବ ଆଏଏଏସ ଏଭଳି ଆଦେଶ ପ୍ରଥମଥର ପାଇଁ ଜାରି କରିଥିବା ଜଣାପଡ଼ିଛି। ଉପଜିଲ୍ଲାପାଳ ଶ୍ରୀ ଦୁଧାଲ ନିଜେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ବେଳେ ଏଭଳି ପରିସ୍ଥିତି ଦେଖି ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଯୁବ ଆଏଏଏସଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ବର୍ଗ ପ୍ରଶଂସା କରିବା ସହ ସମଗ୍ର ଜିଲ୍ଲାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ଯୁବ ଆଏଏଏସ ଦୁଧାଲଙ୍କ ଏଭଳି ଆଦେଶ ପରେ ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
Rayagada | Wine