ଗୁଣପୁର:ରାୟଗଡ଼ା ଜିଲ୍ଲାର ଗୁଣପୁର ସହରର ମୋତିଲାଲ ନଗର ଅଞ୍ଚଳରେ ଜଣେ ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି। ପ୍ରାପ୍ତ ଖବରରୁ ଜଣାପଡିଛି ଯେ ମୋତିଲାଲ ନଗରର ସୁରେଶ କୁମ୍ଭାରଙ୍କ ସ୍ତ୍ରୀ ଚିନା ଆମୁଲୁ (୨୬) ଆଜି ଭୋର ୪ଟା ବେଳେ ନିଆଁରେ ପୋଡ଼ି ହୋଇ ଘର ପଛପଟ ଏକ ଡ୍ରେନରେ ପଡ଼ିଥିବା ଖବର ଲୋକଲୋଚନକୁ ଆସିଥିଲା। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାସହ ରାୟଗଡ଼ାରୁ ସାଇଣ୍ଟିଫିକ୍ ଟିମ ମଧ୍ୟ ସେଠାରେ ପହଞ୍ଚି ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସ୍ୱାମୀ, ଶାଶୂ ଏବଂ ନଣନ୍ଦଙ୍କୁ ପୁଲିସ୍ ଥାନାରେ ଅଟକ ରଖି ଜେରା କରୁଥିବା ଜଣାପଡ଼ିଛି। ତେବେ ମୃତ ମହିଳାଙ୍କ ବାପ ଘର ଲୋକେ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ଝିଅକୁ ନିଆଁ ଲଗାଇ ହତ୍ୟା କରାଯାଇଛି।
ସୂଚନାରୁ ଜାଣିବାକୁ ମିଳିଛି ଯେ ସୁରେଶଙ୍କର ଗତ ୭ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ହୀରାମଣ୍ଡଳ ଗ୍ରାମର ଚିନା ଆମୁଲୁଙ୍କ ସହ ବାହାଘର ହୋଇଥିଲା। ବର୍ତ୍ତମାନ ତାଙ୍କର ଦେଢ଼ ବର୍ଷର ପୁତ୍ର ସନ୍ତାନ ଥିବାବେଳେ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ହେଉଥିଲା ଏବଂ ଏକାଧିକ ବାର ସେମାନେ ଗୁଣପୁର ଥାନାର ଦ୍ୱାରସ୍ତ ହେଉଥିଲେ ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି। ଆଜି ରାୟଗଡ଼ାରୁ ଏକ ସାଇଣ୍ଟିଫିକ୍ ଟିମ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୁନିଗୁଡା ଏସ୍ଡିପିଓ ଆକାଶ ସାହୁ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ଘର ଭିତରୁ କିରୋସିନ ଜାର୍କିଂନ ସହ ଡିଆସିଲ ଜବତ ହୋଇଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/526e4dce-26c1-47ce-83e0-5991217c80d3.jpg)