ରାୟଗଡ଼ା (ଶିବ ପ୍ରସାଦ ଦୋରା): ଆଜି ପବିତ୍ର ଶିବରାତ୍ର ଅବସରରେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ନିଜର ପ୍ରେମକୁ ପାଇବା ପାଇଁ ପାଖାପାଖି ୪କିମି ରାସ୍ତାରେ ଗଡ଼ିଗଡ଼ି ମନ୍ଦିରରେ ପହଁଚିଥିବା ଭଳି ରୋଚକ ଘଟଣା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ  ଆଜି ରା଼ୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ଳାଭଟା କପିଳେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଥିଲା।

Advertisment

ସୂଚନାରୁ ଜଣାପଡ଼ିଛି ମୁନିଗୁଡା ବ୍ଲକ ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗ୍ରାମର ଗୁରୁଦାସ ଡଙ୍ଗରି ଓ ମରିଚ ଡଙ୍ଗରିଙ୍କ ପୁଅ ଲୋକନାଥ ଡ଼ଙ୍ଗରି ଜଣେ ଯୁବତୀଙ୍କୁ ପ୍ରେମ କରୁଛନ୍ତି ଏବଂ ଅଜଣାରେ ଗୋଟିଏ ଭୁଲ ହୋଇଯାଇଛି। ସେହି ଭୁଲକୁ ସୁଧାରିବା ପାଇଁ ଲୋକନାଥ ଏଭଳି ପଦକ୍ଷେପ ନେଇଥବା ପ୍ରକାଶ କରିଛନ୍ତି। ଲୋକନାଥ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ଚେନ୍ନାଇର ଏକ କମ୍ପାନିରେ ଅପରେଟର ଭାବେ କାର୍ଯ୍ୟ କରନ୍ତି। ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ଡାଙ୍ଗବାଡ଼ି ଠାରୁ ଅମ୍ଳାଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ରାସ୍ତା ଗଡ଼ିଗଡ଼ି  ଆସି ଶିବଙ୍କୁ ଦର୍ଶନ କରି ମାନସିକ କରିଥିଲେ।

ଆହୁରି ପଢ଼ନ୍ତୁ: Dog Controversy: ସଂସଦକୁ କୁକୁର ଆଣିବାକୁ ନେଇ ରେଣୁକା ଚୌଧୁରୀଙ୍କୁ ସ୍ବାଧୀକର ଭଙ୍ଗ ନୋଟିସ

ସେ ଆଜି ଭୋର ୩ଟାରୁ ରାସ୍ତାରେ ପ୍ରାୟ ୮ ଘଣ୍ଟା ଗଡ଼ିଗଡ଼ି ମନ୍ଦିରରେ ପହଁଚିଥିଲେ। ଆଜି ପୁଅର ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପିତା ମାତା ଓ ସଂପର୍କୀୟ ରାସ୍ତାରେ ଗଡ଼ିଗଡ଼ି ଯାଉଥିବା ସମୟରେ ବସ୍ତ୍ର ପକାଇ ସହାୟତା କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ଲୋକନାଥ ପ୍ରେମରେ କଣ ଭୁଲ ହୋଇଛି ଏବଂ କାହାକୁ ପ୍ରେମ କରୁଛନ୍ତି ପ୍ରକାଶ କରିନଥିବା ବ‌େଳେ ଭୁଲ ଧାରଣା ଦୂର ହୋଇ ତାଙ୍କ ପ୍ରେମ ସଫଳ ହେଉ ବୋଲି ମାନସିକ କରିଥିବା ପ୍ରକାଶ କରିଥିଲେ।