ରାୟଗଡ଼ା: ପୈତୃକ ସଂପତ୍ତିକୁ କେନ୍ଦ୍ର କରି ବଡ଼ଭାଇକୁ ହତ୍ୟା ମାମଲାର ଶୁଣାଣି କରି ଆଜି ରାୟଗଡ଼ା ଜିଲ୍ଲା ଦୌରାଜଜ୍ ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ସାନ ଭାଇକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ନିମନ୍ତେ ନିର୍ଦେଶ ଦେଇଛନ୍ତି।
ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଜଗତିପଦର ଗ୍ରାମରେ ପୈତୃକ ସଂପତ୍ତିକୁ କେନ୍ଦ୍ର କରି ଦୁଇ ଭାଇ ବୁକୁଡ଼ା ମାଝୀ ଓ ମଦନ ମାଝୀ ମଧ୍ୟରେ ଦୀର୍ଘ ଦିନ ଧରି ବିବଦ ଲାଗିଥିଲା। ୨୦୧୬ ମସିହା ଜୁଲାଇ ୧୫ ତାରିଖରେ ସାନ ଭାଇ ମଦନ ଘରେ ପହଞ୍ଚି ବଡ଼ଭାଇ ବୁକୁଡାକୁ ଘର ଛାଡ଼ିବାକୁ ଧମକ ଦେଇଥିଲା। ଯାହାକୁ ନେଇ ଦୁଇ ଭାଇ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରବର୍ତୀ ସମୟରେ ଉତ୍ତ୍ୟକ୍ତ ହୋଇ ମଦନ ବୀଭତ୍ସ କାଣ୍ଡ ଘଟାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଟାଙ୍ଗିଆରେ ବୁକୁଡ଼ାକୁ ଆକ୍ରମଣ କରିଥିଲା। ଟାଙ୍ଗିଆ ଚୋଟ ବେକରେ ପଡ଼ିବାରୁ ଘଟଣା ସ୍ଥଳରେ ହିଁ ବୁକୁଡ଼ାଙ୍କ ମୃତ୍ୟୁ ହୋଇଯାଇଥିଲା। ଏନେଇ ମୃତକଙ୍କ ପତ୍ନୀ ରାମଦେଈ ଓ ସବାବଡ଼ଭାଇ ଶୋଭା ମାଝୀ କାଶୀପୁର ଥାନାରେ ଏତଲା ଦେଇଥିଲେ। ତତ୍କାଳୀନ ଥାନା ଅଧିକାରୀ ଭୀମସେନ ନାୟକ ଘଟଣାର ତଦନ୍ତ କରି ଅଭିଯୁକ୍ତ ମଦନ ମାଝିକୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ କରିଥିଲେ। ରାୟଗଡ଼ା ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ଏହି ମାମଲା ବିଚାରାଧୀନ ରହିଥିଲା। ଜିଲ୍ଲା ଦୌରାଜଜ୍ ବିଶ୍ୱଜିତ ଦାସ ୧୦ ଜଣ ସାକ୍ଷୀ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ସଂଗ୍ରହ କରିଥିଲେ। ଏହାବ୍ୟତୀତ ଡାକ୍ତରୀ ରିପୋର୍ଟ ଓ ଆଇଆଇସିଙ୍କ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମକଦ୍ଦମାକୁ ସ୍ୱତନ୍ତ୍ର ପିପି ଅଜିତ ପଟନାୟକ ପରିଚାଳନା କରୁଥିଲେ।