ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ

ବିଷମକଟକ: ବିଷଧର ସାପ କାମୁଡାରେ ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କାଙ୍କୁବାଡି ପଂଚାୟତ ବଣ୍ଡେଇଗୁଡା ଗ୍ରାମର ଧର୍ମେନ୍ଦ୍ର ହିକାକା(୨୨)ଙ୍କ ମୃତ୍ୟୁ ଘଟିଛି । ଗ୍ରାମର ବ୍ରଜଚନ୍ଦ୍ର ହିକକାଙ୍କ ପୁଅ ଧର୍ମେନ୍ଦ୍ର ହିକକା ଶୁକ୍ରବାର ଦିନ ଗାଈ ଚରାଇବା ନିମନ୍ତେ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ମଧ୍ୟାହ୍ନରେ ଜଙ୍ଗଲର ଏକ ଗଛ ମୂଳେ ବିଶ୍ରାମ ନେଇଥିଲେ। ଏହି ସମୟରେ ଏକ ବିଷଧର ସାପ ତାଙ୍କ ଗୋଡରେ କାମୁଡି ଦେଇଥିଲା । ବିଷ ଜ୍ୱାଳାରେ ଯନ୍ତ୍ରଣା ଅସହ୍ୟ ହେବାରୁ ଧର୍ମେନ୍ଦ୍ର ଘରକୁ ଫେରି ପରିବାର ଲୋକଙ୍କୁ ଅବଗତ କରିଥିଲେ।

ପରିବାର ଲୋକେ ଧର୍ମେନ୍ଦ୍ରକୁ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ପ୍ରଥମେ ବିଷମ କଟକ ଖ୍ରୀଷ୍ଟିଆନ୍‌ ହସ୍‌ପିଟାଲରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ପରବର୍ତୀ ସମୟରେ ସ୍ଥାନୀୟ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିଷମକଟକ ପୁଲିସ୍‌ ମେଡିକାଲରେ ପହଁଚି ଶବ ଜବତ କରିଛି । ସ୍ଥାନୀୟ ତହସିଲଦାର ଶୋଭା ଭୂଷଣ ଶବର ଏବଂ ରାଜସ୍ୱ ଅଧିକାରୀ ବଣ୍ଡେଇଗୁଡା ଗ୍ରାମକୁ ଯାଇ ଘଟଣାର ପ୍ରାଥମିକ ତଦନ୍ତ କରି ଫେରିଛନ୍ତି।

ସମ୍ବନ୍ଧିତ ଖବର