ପୂର୍ବ ଶତ୍ରୁତାରୁ ଯୁବକକୁ ହତ୍ୟା; ଅଭିଯୁକ୍ତ ଗିରଫ

ରାୟଗଡା: ଚାନ୍ଦିଲି ଥାନା ତାଣ୍ଡିପୁର ଛକରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ନାମ ଅର୍ଜୁନ କଣ୍ଡାଗିରି (୨୩)। ଘର କୁମୁଟିପେଣ୍ଠ ପଞ୍ଚାୟତର ଶାନ୍ତି ନଗରରେ ବୋଲି ଜଣା ପଡିଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୁଲିସ୍ ଅଟକ ରଖିଥିବା ବେଳେ ଘଟଣାସ୍ଥଳରେ ରାୟଗଡା ଏସପି ଡା. ଶର୍ବଣା ବିବେକ ଏମ୍ ପହଞ୍ଚି ତଦନ୍ତ କରିଛନ୍ତି। ହତ୍ୟାକାଣ୍ଡ ପରେ ସଂପୃକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଚାନ୍ଦିଲି ପୁଲିସ୍ ମୃତ ଯୁବକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସୂଚନାନୁଯାୟୀ, ସଂଧ୍ୟା ୭ଟାରେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ଓ ଅର୍ଜୁନଙ୍କ ମଧ୍ୟରେ ତାଣ୍ଡିପୁର ଛକରେ ବଚସା ହୋଇଥିଲା। କିଛି ସମୟ ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହେବା ପରେ ଅଭିଯୁକ୍ତ ଯୁବକ ଅର୍ଜୁନଙ୍କ ତଣ୍ଟିକୁ ଚିପି ଦେଇଥିଲା। ଫଳରେ ଅଣନିଶ୍ବାସୀ ହୋଇ ଅର୍ଜୁନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହା ପରେ‌ ଅର୍ଜୁନଙ୍କ ମୃତଦେହକୁ ଅଭିଯୁକ୍ତ ଡ୍ରେନରେ ଫୋପାଡି ଦେଇ ପଳାଇ ଯାଉଥିଲା। ଏହି ସମୟରେ ନିକଟସ୍ଥ ଗ୍ରାମବାସୀ ଅଭିଯୁକ୍ତକୁ କାବୁ କରି ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଚାନ୍ଦିଲି ଥାନା ଅଧିକାରୀ ଅଜିତ୍ କୁମାର ସ୍ବାଇଁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବା ସହ ଅର୍ଜୁନଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ଆଇନ ଶୃଂଖଳା ପରିସ୍ଥିତିକୁ ଆଖି ଆଗରେ ରଖି ଗ୍ରାମରେ ପୁଲିସ୍ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର