ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ଆଜି କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଥିଲା। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ହୁଣ୍ଡିରୁ ନଗଦ ୧ କୋଟି ୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା ଓ ୨୫୦୫ ଗ୍ରାମ ରୁପା ବାହାରିଥିବା ଜଣାପଡ଼ିଛି।

Advertisment

ଏଥିସହିତ ବିଭିନ୍ନ ପ୍ରକାର ୫ ଟି ଦେଶର ୧୨ ଟି ବିଦେଶୀ ନୋଟ ମଧ୍ୟ ବାହାରିଛି। ବିଦେଶରେ ରହୁଥିବା କୌଣସି ଭାରତୀୟ ଭକ୍ତ ମାଆଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ଏଥିମଧ୍ୟରେ ଆମେରୀକାର ଡଲାର, ଆରବ ଏମିରେଟ୍ସର ଦିରହାମ,କତାର ର ରିୟାଲ ଏବଂ କୁୱେତର ଦିନାର ଅନ୍ତର୍ଭୁକ୍ତ।

ଦୀର୍ଘ ୮ ଘଣ୍ଟା ଧରି ହୋଇଥିବା ଗଣତି ଆଜି ସକାଳ ୧୦ଟାରେ ମାଜିଷ୍ଟ୍ରେଟ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ହୋଇଥିଲା। ଏହା ପୂର୍ବରୁ ଜାନୁୟାରୀ ୨୭ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩ ଗ୍ରାମ ସୁନା ଓ ୨୧୭୦ ଗ୍ରାମ ରୂପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୧୨ ଟି ବିଦେଶୀ ନୋଟ ମଧ୍ୟ ବାହାରିଥିଲା।

ସୂଚନା ଥାଉକି, ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି। ହେଲେ ଚଳିତଥର ପ୍ରାୟ ୬ ମାସ ପରେ ଖୋଲାଯାଇଥିଲା। ଆଜି  ହୁଣ୍ଡିରୁ ବାହାରିଥିବା ଟଙ୍କା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲ୍ଲା କୋଷାଗାରରେ ରଖାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲି ଗଣତି ବେଳେ ପୁଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ୱାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା।

ମନ୍ଦିର ପରିଚାଳନା କମିଟି ମୁଖ୍ୟ ରାଇସିଂ ବିଡିକା,ଦେବ ବେହେରା,ବାବୁ ଦଳେଇ,ମାଙ୍ଗା ହୁଇକା,ଶ୍ରୀନିବାସ ରାଓ,ଏଣ୍ଡୋମେଣ୍ଟ କମିସନରର ସୁପରଭାଇଜର ସୁଶାନ୍ତ ପୂଜାରୀ ଓ ମନ୍ଦିରର ପରିଚାଳକ ‌ଭେଙ୍କଟ ରାଓ ପ୍ରମୁଖ ଗଣତି ବେଳେ ଉପସ୍ଥିତ ଥିଲେ ।