ବିଶ୍ବ ବଜାରରେ ରାୟଗଡ଼ା ଫୁଲଝାଡ଼ୁର ଚାହିଦା, ଖୁବ ଶୀଘ୍ର ବିକ୍ରି ଆରମ୍ଭ କରିବ ଆମାଜନ୍

ରାୟଗଡ଼ା: ବିଜ୍ଞାନର ପ୍ରଗତି ସତ୍ତ୍ବେ ସ୍ବଚ୍ଛତା ସୁନ୍ଦରତାର ପ୍ରତୀକ ସାଜିଛି ଝାଡ଼ୁ। ସେ ଧନୀ ହେଉ ବା ଗରିବ। ସକାଳ ହେଲେ ସଞ୍ଜ ନଇଁଲେ ସମସ୍ତଙ୍କ ଘର ପରିବାର ପାଇଁ ଅତି ଆବଶ୍ୟକ ଖଣ୍ଡିଏ ଝାଡ଼ୁ। ଗୃହିଣୀର ସାଥୀ ଝାଡ଼ୁ ଏବେ ଆଦିବାସୀ ମହିଳାଙ୍କୁ ଦେଇଛି ରୋଜଗାର। ବିଶ୍ବ ବଜାରରେ ରାୟଗଡ଼ା ପାହାଡ଼ିଆ ଫୁଲଝାଡ଼ୁର ଚାହିଦା ବଢ଼ିବା ପରେ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ‘ଆମାଜନ୍’ ସହ ଜିଲ୍ଲା ପ୍ରଶାସନ ଅନୁବନ୍ଧିତ ହୋଇଛି। ଆସନ୍ତା ୩ ମାସ ମଧ୍ୟରେ ବାରକୋର୍ଡ ପ୍ରକ୍ରିୟା ଶେଷ ହେଲେ ଇ-ବଜାରକୁ ପ୍ରବେଶ କରିବ ରାୟଗଡ଼ାର ଫୁଲଝାଡ଼ୁ।

ରାୟଗଡ଼ା ଭଳି ଜଙ୍ଗଲ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ ଫୁଲଝାଡୁ ଅଧିକ ଉତ୍ପାଦନ ହୁଏ। ଏହାକୁ ଜଙ୍ଗଲରୁ ସଂଗ୍ରହ କରି ଶୁଖାଇ ଚୋପା ଛଡାଇ ଖୁଚୁରା ବଜାରରେ ବିକ୍ରି କରନ୍ତି ଗ୍ରାମୀଣ ମହିଳା। କିନ୍ତୁ ଏମାନେ ନିରକ୍ଷର ଓ ବଜାରୀକରଣ ସଂପର୍କରେ ଅବଗତ ନଥିବା ଯୋଗୁଁ ଫୁଲଝାଡ଼ୁକୁ ଶାଗମାଛ ଦରରେ ବିକ୍ରି କରି ଦେଇଥାନ୍ତି। ବଜାରରେ ମିଳୁଥିବା ଅନ୍ୟ ଝାଡ଼ୁ ଗୁଡ଼ିକ ୨/୩ ମାସ ମଧ୍ୟରେ ନଷ୍ଟ ହୋଇଯାଉଥିବା ବେଳେ ରାୟଗଡ଼ାର ପାହାଡ଼ିଆ ଝାଡ଼ୁ (ହିଲ୍ ବ୍ରୁମ) ୨ରୁ ୩ ବର୍ଷ ପର୍ଯ୍ୟନ୍ତ ସେବା ଯୋଗାଇଥାଏ। ବର୍ତ୍ତମାନ ସ୍ବଂୟ ସହାୟିକା ଗୋଷ୍ଠୀ ମାଧ୍ୟମରେ ଅନ୍ୟ ରାଜ୍ୟର ବଜାର ସମେତ ପଲ୍ଲୀଶ୍ରୀ ମେଳାରେ ଏହି ଫୁଲଝାଡ଼ୁକୁ ବିକ୍ରି କରାଯାଉଛି। ସମୟକ୍ରମେ ଏହାର ଚାହିଦା ବିଶ୍ବ ବଜାରରେ ବଢ଼ିବା ପରେ ଝାଡ଼ୁ ନିର୍ମାଣ କରୁଥିବା ଜିଲ୍ଲାର ୧ ହଜାର ମହିଳାଙ୍କୁ ଅଧିକ ରୋଜଗାରକ୍ଷମ କରିବାକୁ ପ୍ରଶାସନ ହସ୍ତକ୍ଷେପ କରିଛି।

ବିଶ୍ବର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଆମାଜନ୍ ସହ ପ୍ରଶାସନ ଅନୁବନ୍ଧିତ ହୋଇ ଚଳିତ ବର୍ଷ ୧ ଲକ୍ଷ ଝାଡ଼ୁ ଅନଲାଇନରେ ବିକ୍ରି ପାଇଁ ଲକ୍ଷ୍ୟ ରଖିଛି। ଆଗାମୀ କିଛି ମାସ ମଧ୍ୟରେ ରାୟଗଡ଼ା ଫୁଲଝାଡୁ ଅନଲାଇନ ସପିଂ ମାର୍କେଟ ଆମଜନରେ ଉପଲବ୍ଧ ହେବାକୁ ଯାଉଥିବାରୁ ବଜାର ଚାହିଦା ମେଣ୍ଟାଇବାକୁ ଗ୍ରାମୀଣ ମହିଳାଙ୍କୁ ତାଲିମ ଦେଇ ସେମାନଙ୍କୁ ଝାଡ଼ୁ ପ୍ରସ୍ତୁତି ଓ ବଜାରୀକରଣ ଶିଖାଇବାକୁ ଅଣ୍ଟା ଭିଡିଛି ପ୍ରଶାସନ। ରାୟଗଡ଼ା ଫୁଲଝାଡ଼ୁର ଚାହିଦା ବଢ଼ିବା ପରେ ଫୁଲଝାଡୁ ପ୍ରସ୍ତୁତିରେ ନିୟୋଜିତ କାଶୀପୁର, କଲ୍ୟାଣସିଂପୁର, ବିଷମକଟକ ବ୍ଲକର ୧ହଜାରରୁ ଉର୍ଦ୍ଧ୍ବ ମହିଳା କାରିଗର ଉପକୃତ ଓ ରୋଜଗାରକ୍ଷମ ହେବେ। ଜିଲ୍ଲାରେ ବର୍ଷକୁ ୭ରୁ ୮ଲକ୍ଷ ଟଙ୍କାର ଫୁଲ ଝାଡ଼ୁ ବ୍ୟବସାୟ ହେଉଥିବା ବେଳେ ଚଳିତ ବର୍ଷ ଏହାକୁ ୨୦ରୁ ୨୫ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ।

ସମ୍ବନ୍ଧିତ ଖବର