ରାୟଗଡ଼ା: ୨୦୨୩-୨୪ ରେଳ ବଜେଟରେ ପୁଣି ଅବହେଳାର ଶିକାର ହୋଇଛି ରାୟଗଡ଼ା ରେଳ ଡିଭିଜନ। ଲଲିପପ୍ ସଦୃଶ ବିଭାଗ ନୂତନ ଭାବେ ଗଠିତ ହେବାକୁ ଥିବା ଡିଭିଜନ ପାଇଁ ମାତ୍ର ୫ କୋଟି ଅନୁଦାନ ଦେଇଛି। ଯାହା ରାୟଗଡ଼ା ଡିଭିଜନର ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଇଛି। ନୂଆ ଡିଭିଜନ ଘୋଷଣାକୁ ଇତି ମଧ୍ୟରେ ୪ ବର୍ଷ ବିତିଥିବା ବେଳେ ୪ ରେଳ ବଜେଟରେ ମିଳିଛି ମାତ୍ର ୮ କୋଟି ୮୦ ଲକ୍ଷ ଅନୁଦାନ। ଆଉ ବିକାଶମୂଳକ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ମାତ୍ର ୧୪ ଲକ୍ଷ। ୨୦୧୯ ଜୁଲାଇରେ ରେଲୱେ ବୋର୍ଡ ରାୟଗଡ଼ାରେ ନୂତନ ଡିଭିଜନ୍ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ। ବର୍ଷକ ମଧ୍ୟରେ ରାୟଗଡ଼ାରେ ଡିଭିଜନର ଅସ୍ଥାୟୀ କାର୍ଯ୍ୟାଳୟ ଖୋଲିବା ସହ ସ୍ଥାୟୀ କାର୍ଯ୍ୟାଳୟ, ଡିଭିଜନ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକ ସମସ୍ତ ଯାନ୍ତ୍ରିକ ବିଭାଗ, ଷ୍ଟାଫ କ୍ବାର୍ଟର୍ସ ନିର୍ମାଣ ଦିଗରେ ତ୍ବରିତ୍ ପଦକ୍ଷେପ ନେବାକୁ ମନ୍ତ୍ରଣାଳୟ ଘୋଷଣା କରିଥିଲା। ଏଥିପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି କରିଥିଲା ବିଭାଗ। ହେଲେ ଆଜି ସୁଦ୍ଧା କୌଣସି ଆଖିଦୃଶିଆ ବିକାଶ ହୋଇପାରିନି। କେବଳ ଜବରଦଖଲ ଉଚ୍ଛେଦକୁ ଛାଡ଼ିଲେ ଡିଭିଜନ ଗଠନ ପାଇଁ ମାଟି ମୁଠାଏ ମଧ୍ୟ ପକାଇନି ବିଭାଗ। ଆନ୍ଧ୍ର ଚାପରେ ରାୟଗଡ଼ା ରେଳ ଡିଭିଜନ କାର୍ଯ୍ୟକ୍ଷମରେ ବିଭାଗ ବିଳମ୍ବ କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ୨୦୨୨ ରେ ବିଭାଗ ଇଷ୍ଟକୋଷ୍ଟ ରେଲୱେରୁ ଅଲଗା ହୋଇ ନୂତନ ଭାବେ ଗଠିତ ହେବାକୁ ଯାଉଥିବା ଦକ୍ଷିଣତଟ ରେଳପଥ ଅଧୀନରେ ଏହି ଡିଭିଜନ ରଖିବାକୁ ଚକ୍ରାନ୍ତ ହୋଇଥିଲା। ସୂଚନା ଅଧିକାର ଆଇନରେ ଏହି ଚକ୍ରାନ୍ତ ପ୍ରଘଟ ହେବା ପରେ ଟାଇପିକାଲ୍ ତ୍ରୁଟି ଥିବା ଦର୍ଶାଇ ବିଭାଗ ପୁଣି ଇଷ୍ଟକୋଷ୍ଟ୍ ରେଲୱେ ଅଧୀନରେ ହିଁ ରାୟଗଡ଼ା ଡିଭିଜନ ରହିବ ବୋଲି ଚିଠି ଜାରି କରିଥିଲା। କିନ୍ତୁ କେଉଁ କାରଣ ପାଇଁ ବିକାଶ କାର୍ଯ୍ୟର ଅଗ୍ରଗତି ହୋଇପାରୁନି ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

Advertisment

ପୂର୍ବରୁ ରାୟଗଡ଼ା ଡିଭିଜନକୁ ମୋଟ ୩ କୋଟି ୮୦ ଲକ୍ଷ ଅନୁଦାନ ମିଳିଥିବା ବେଳେ ଚଳିତ ବଜେଟରେ ରାୟଗଡ଼ା ଡିଭିଜନକୁ ଦକ୍ଷିଣତଟ ରେଳପଥ ଡିଭିଜନ ସହ ମିଶାଇ ବିଭାଗ ମୋଟ ୧୦ କୋଟିର ଅନୁଦାନ ଦେଇଛି। ଉଭୟ ଡିଭିଜନ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେଲେ ୫୦: ୫୦ ଅନୁପାତରେ ୫ କୋଟି ଲେଖାଁଏ ଖର୍ଚ୍ଚ କରିବେ। ରାୟଗଡ଼ା ଡିଭିଜନକୁ ମିଳିଥିବା ଅନୁଦାନ ମଧ୍ୟରୁ କେବଳ ୧୪ ଲକ୍ଷ ଜବରଦଖଲ ଉଚ୍ଛେଦ ବାବଦକୁ ଖର୍ଚ୍ଚ ହୋଇଛି। ବାକି ଅନ୍ୟ କାମ କେବଳ ନକ୍ସା ଓ କାଗଜପତ୍ରରେ ସୀମିତ ରହିଛି। ରାୟଗଡ଼ା ଡିଭିଜନ କାର୍ଯ୍ୟକାରୀ ପାଇଁ ୧୮୬ କୋଟି ବ୍ୟୟ ଅଟ୍ଟକଳ ହୋଇଛି। ଡିପିଆର ପ୍ରସ୍ତୁତ ହୋଇ ରେଲୱେ ବୋର୍ଡରେ ଥିବା ବେଳେ ଡିଭିଜନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଓଡ଼ିଶା-ଆନ୍ଧ୍ର-ଛତିଶଗଡରେ ଥିବା ୮୪ଟି ଷ୍ଟେସନ, ୫୮୫ କିମି ରେଳପଥ ୱାଲଟିୟର୍ ଡିଭିଜନରୁ ଅଲଗା ହୋଇ ରାୟଗଡ଼ା ଡିଭିଜନ ଅଧୀନକୁ ଆସିବ। ଆଗାମୀ ଦିନରେ ଆଉ ୩୬୩ କିମି ରେଳପଥ ସହ ନିର୍ମାଣଧୀନ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ରେଳପଥ ରାୟଗଡ଼ାରେ ସାମିଲ ହେବ। କୋରାପୁଟ-ରାୟଗଡ଼ା, କୋରାପୁଟ-ବଇଲାଡିଲା-କିରୁଣ୍ଡୋଲ-ବାଚେଲି ରେଳପଥ ୱାଲଟିୟର୍ ଡିଭିଜନକୁ ବାର୍ଷିକ ସିଂହଭାଗ ରାଜସ୍ବ ପ୍ରଦାନ କରି ଆସୁଥିବାରୁ ରାଜସ୍ବ ହରାଇବା ଆଶାରେ ଆନ୍ଧ୍ର ରାୟଗଡ଼ା ଡିଭିଜନ କାର୍ଯ୍ୟକାରୀ କରାଇ ନ ଦେବାକୁ ଚକ୍ରାନ୍ତ ଚଳାଇଛି।