ରାୟଗଡା: ଏବେ ରାୟଗଡା ଜିଲ୍ଲା ତତଲା କଢେଇରେ ସିଝୁଛି। ପାରଦ ୪୫ ଡିଗ୍ରୀ ଟପିଲାଣି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରି ସାରିଲାଣି। ଦିନ ୧୦ଟା ହେଲେ ଲୋକେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ଦିନ ୧୦ଟା ପରେ ସହର ଓ ବଜାର ଖାଁ ଖାଁ ହୋଇଯାଉଛି। ଲୋକେ ଘରୁ ପଦାକୁ ବାହାରିଲେ ମୁଣ୍ଡରେ ଓଦା କପଡା ସହ ଛତା ହାତରେ ଧରି ବାହାରୁଥିବା ଦେଖିବାକୁ ମିଳିଛି। ଗରମ ସାଙ୍ଗକୁ ଥଣ୍ଡା ପାନୀୟର ଚାହିଦା ମଧ୍ୟ ଅଧିକା ବଢିଛି। ତେବେ ଲୋକେ ପେଟ ଥଣ୍ଡା ପାଇଁ ପଇଡ ପିଇବାକୁ ଭଲ ପାଉଥିବା ବେଳେ ଏହାର ଚାହିଦାକୁ ଦେଖି ବେପାରୀମାନେ ଗୋଟିଏ ପଇଡକୁ ୫୦ ଟଙ୍କାରେ ବିକ୍ରି କରୁଛନ୍ତି। ସେହି ପଇଡ ଗୁଡିକରେ ମଧ୍ୟ ପାଣି ନଥାଏ। ଖରାରେ ଶୁଖି ଗଲାଣି ପଇଡ। ପଡୋଶୀ ଆନ୍ଧ୍ରରୁ ପଇଡ ଆସୁଥିଲେ ମଧ୍ୟ ଗୋଟିଏ ପଇଡକୁ ବେପାରୀ ୩୮ ଟଙ୍କାରେ ଖରିଦ କରୁଥିବା କହିଛନ୍ତି। ଆନ୍ଧ୍ରରୁ ପଇଡ କୋଲକାତା ଏବଂ ରାୟପୁର ରପ୍ତାନୀ ହେଉଥିବାରୁ ରାୟଗଡାକୁ ପଇଡ ଆସି ପାରୁନାହିଁ। ଯେଉଁ ପଇଡ ଆସୁଛି ତାହା ମଧ୍ୟ ଶୁଖିଲା। ଲୋକେ ପଇଡ ପିଇବାକୁ ପସନ୍ଦ କରୁଥିବାରୁ ୫୦ ଟଙ୍କା ଦେଇ ମଧ୍ୟ ପିଇବାକୁ ବାଧ୍ୟ ହେଉଛନ୍ତି।
ସ୍ଥାନୀୟ ବ୍ୟାଙ୍କ କର୍ମଚାରୀ ପ୍ରଶାନ୍ତ ସାହୁଙ୍କ କହିବା ଅନୁଯାୟୀ ପ୍ରବଳ ଗରମକୁ ଆଖିଆଗରେ ରଖି ପ୍ରତିଦିନ ପଇଡ ପିଇବାକୁ ପଡୁଛି। ତେବେ ଗତ କିଛିଦିନ ତଳେ ପଇଡ ୩୫ ଟଙ୍କା ରହିଥିବା ବେଳେ ଆଜି ଏହା ୫୦ ଟଙ୍କାରେ ପହଞ୍ଚିଛି। ଆଗକୁ ଏହାର ଦାମ ବଢିବ ସିନା କମିବ ନାହଁ ବୋଲି କୁହାଯାଇଛି। ସେହି ତୁଳନାରେ ଥଣ୍ଡା ପାନୀୟର ଦାମ ମଧ୍ୟ ବଢୁଛି। ଲୋକେ ଥଣ୍ଡା ପାନୀୟ ଅପେକ୍ଷା ପଇଡ ପିଇବାକୁ ପସନ୍ଦ କରୁଥିବାରୁ ବେପାରୀ ଏହାର ଦାମ ଆକାଶଛୁଆଁ କରି ଦେଇଛନ୍ତି। ବର୍ଷା ଆସିବା ପରେ ହିଁ ପଇଡର ଦାମ କମିବ ବୋଲି କିଛି ବେପାରୀ ପ୍ରକାଶ କରିଛନ୍ତି। ଆଗକୁ ଆହୁରି ଗରମ ରହିଥିବାରୁ ଲୋକେ ଚିନ୍ତାରେ ପଡିଛନ୍ତି। ସନ୍ଧ୍ୟା ହେଲେ ବର୍ଷା ଆସିବାର ଏକ ଆଭାସ ଦେଖାଯାଉଥିଲେ ମଧ୍ୟ ବର୍ଷା ହେଉ ନାହିଁ। ତେଣୁ ରାତିରେ ଗରମ ମଧ୍ୟ ବଢିଯାଉଛି। ଲୋକେ ଘରେ ଫ୍ୟାନ ଓ ଏସିରେ ବସିବାକୁ ଭଲ ପାଉଛନ୍ତି। ଜରୁରୀ କାମ ନଥିଲେ ବାହାରକୁ ଲୋକେ ବାହାରୁନଥିବା ଦେଖିବାକୁ ମିଳିଛି। ପ୍ରବଳ ଗରମ ଯୋଗୁଁ ଅଂଶୁଘାତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/Rgda-coconut-@50-1.jpg)