ରାୟଗଡ଼ା ରେଳ ଡିଭିଜନ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ; ବାସଚ୍ୟୁତ ହେବେ ୮ ବସ୍ତିର ୧୧୦୫ ପରିବାର

ବସ୍ତି ଖାଲି କରିବାକୁ ନୋଟିସ୍ ଜାରି କଲା ଜିଲ୍ଲା ପ୍ରଶାସନ

ରାୟଗଡ଼ା : ରାୟଗଡ଼ା ନୂଆ ରେଳ ଡିଭିଜନ୍ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥି ପାଇଁ ଦୀର୍ଘ ବର୍ଷ ଧରି ରେଳ ବିଭାଗର ଜାଗାକୁ ଜବରଦଖଲରେ ରଖିଥିବା ବସ୍ତି ବାସିନ୍ଦାକୁ ବସ୍ତି ଖାଲି କରିବାକୁ ନୋଟିସ୍ ଜାରି କରିଛି ଜିଲ୍ଲା ପ୍ରଶାସନ। ଜବରଦଖଲ ଉଚ୍ଛେଦରେ ୮ଟି ବସ୍ତିର ୧୧୦୫ ପରିବାର ବାସ ହରାଇବାକୁ ଥିବାରୁ ଉଚ୍ଛେଦ ପୂର୍ବରୁ ଥଇଥାନ ପାଇଁ ପ୍ରଶାସନ ନିକଟରେ ଗୁହାରି କରିଛନ୍ତି ବସ୍ତି ବାସିନ୍ଦା ।

ଦୀର୍ଘ ୪୦ ବର୍ଷରୁ ଉର୍ଧ୍ବ ସମୟ ଧରି ରେଳ ଲାଇନ୍, ଷ୍ଟେସନ ଆଖପାଖ ଓ ରେଳ ବିଭାଗର ବିଭିନ୍ନ ଜାଗା ଉପରେ ବସବାସ କରି ଆସୁଛନ୍ତି ବସ୍ତି ବାସିନ୍ଦା। ଅସ୍ଥାୟୀ ବସ୍ତିରେ ସମୟକ୍ରମେ ଜନସଂଖ୍ୟା ବୃଦ୍ଧି ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ରାୟଗଡ଼ା ପୌର ପରିଷଦର ଭୋଟର ତାଲିକାରେ ଭାବେ ବସ୍ତି ବାସିନ୍ଦାଙ୍କ ନାଁ ରହିଥିବାରୁ ସମସ୍ତ ବସ୍ତିକୁ ରାସ୍ତା, ପାନୀୟ ଜଳ, ବିଦ୍ୟୁତ୍ ସୁବିଧା ସହ ଯୋଗ୍ୟ ହିତାଧିକାରୀଙ୍କୁ ରାସନକାର୍ଡ ପ୍ରଦାନ  କରାଯାଇଛି। ବସ୍ତିର ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଖୋଲିଛି। ନିକଟରେ ଶେଷ ହୋଇଥିବା ପୌର ନିର୍ବାଚନରେ ୮୦ ପ୍ରତିଶତ ବସ୍ତି ବାସିନ୍ଦା ନିଜର ମତ ସାବ୍ୟସ୍ତ କରିଛନ୍ତି। ୨୦୧୯ରେ ରାୟଗଡ଼ା ନୂଆ ରେଳ ଡିଭିଜନ୍ ଘୋଷଣା ହେବା ପରଠୁ ବସ୍ତି ବାସିନ୍ଦା ଆଶା ଆଶଙ୍କାରେ ଦିନ କାଟି ଆସୁଛନ୍ତି। ଇତି ମଧ୍ୟରେ ବହୁବାର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥଇଥାନ କରିବାକୁ ବସ୍ତି ବାସିନ୍ଦା ନିବେଦନ କରିଛନ୍ତି। ଜାଗା ମିଶନ୍ ଯୋଜନାରେ ବସ୍ତି ବାସିନ୍ଦାକୁ ଥଇଥାନ ସହ ପଟ୍ଟା ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନ ପ୍ରୟାସ ଜାରି ରଖିଛି। ହେଲେ ଆଜି ସୁଦ୍ଧା ଜାଗା ମିଶନ ମାଧ୍ୟମରେ ଶତ ପ୍ରତିଶତ ବସ୍ତି ବାସିନ୍ଦା ଉପକୃତ ହୋଇ ପାରିନାହାନ୍ତି। ବାରମ୍ବାର ବସ୍ତି ଉଚ୍ଛେଦ ପାଇଁ ରେଳ ବିଭାଗ ପ୍ରଶାସନ ମାଧ୍ୟମରେ ନୋଟିସ୍ ଜାରି କରୁଥିବାରୁ ଆଜି କୋଇଲାପଡା ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଥଇଥାନ ପାଇଁ ଗୁହାରି କରିଛନ୍ତି ।

ଜିଲ୍ଲା ପ୍ରଶାସନ ସୂଚନାନୁଯାୟୀ, ରେଳ ବିଭାଗର ଅଭିନନ୍ଦନ କମ୍ୟୁନିଟ୍ ହଲ୍ ପଛ ପାର୍ଶ୍ବରେ ୪୮ ପରିବାର, କୋରାପୁଟ ଜଙ୍କସନରେ ୮ଟି ପରିବାର ଜବରଦଖଲରେ ଅଛନ୍ତି। ସେହିପରି ପୁରୁଣା ଲୋକ କଲୋନିରେ ୩୦ ପରିବାର, ରର୍ଣ୍ଣିଂ ରୁମ୍ ପଛ ପାର୍ଶ୍ବରେ ୧୨୯ ପରିବାର ରହି ଆସୁଛନ୍ତି। ଯାହାକୁ ମେ’ ୯ ତାରିଖ ସୁଦ୍ଧା ବସ୍ତି ଖାଲି କରିବାକୁ ନୋଟିସ୍ ହୋଇଛି। ରାମକୃଷ୍ଣ ନଗର ହରିଜନ ସାହ‌ିରେ ୮୦ ପରିବାର ରହୁଥିବା ବେଳେ ମେ ୨୪ ସୁଦ୍ଧା ଜାଗା ଖାଲି କରିବାକୁ ନୋଟିସ୍ ହୋଇଛି। ଅରବିନ୍ଦ ନଗରରେ ବସବାସ କରି ଆସୁଥିବା ୧୪୧ ପରିବାରକୁ ଜୁନ୍ ୧୪ ସୁଦ୍ଧା, ଦୈନିକ ବଜାର ପଛପାର୍ଶ୍ବରେ ରହୁଥିବା ୧୯୫ ପରିବାର, ସନ୍ତୋଷୀ ମା’ ମନ୍ଦିର ପଛପାର୍ଶ୍ବରେ ରହୁଥିବା ୪୩ ପରିବାରକୁ ଜୁନ୍ ୨୨, ମା’ କାମିନୀ ମନ୍ଦିର ସାହ‌ିରେ ରହୁଥିବା ୨୦୩ ପରିବାରକୁ ଜୁନ୍ ୩୦, ନୟା ସାହିରେ ରହୁଥିବା ୧୬୦ ପରିବାରକୁ ଜୁଲାଇ ୬ ଏବଂ ମଝିଘରିଆଣୀ ମନ୍ଦିର ପାଖରେ ରହୁଥିବା ୬୮ ପରିବାରକୁ ଜୁଲାଇ ୧୩ ସୁଦ୍ଧା ଘର ଖାଲି କରିବାକୁ ନୋଟିସ୍ ହୋଇଛି । ପର୍ଯ୍ୟାୟକ୍ରମେ ଜବରଦଖଲ ପାଇଁ ରେଳ ବିଭାଗ ନୋଟିସ୍ ଜାରି କରିଥିବାରୁ ସମସ୍ତ ବସ୍ତି ବାସିନ୍ଦାଙ୍କ ମନରେ ଥଇଥାନକୁ ନେଇ ଛନକା ପଶିଛି। ଦୈନିକ ମଜୁରି ଖଟିଲେ ପରିବାର ଚଳୁଥିବାରୁ ଜାଗା କିଣି ଘର କରିବାରେ ଅସମର୍ଥ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅବଗତ କରିଛନ୍ତି ବସ୍ତି ବାସିନ୍ଦା। ବସ୍ତି ବାସିନ୍ଦାଙ୍କ ଗୁହାରି ପରେ ଥଇଥାନ ପାଇଁ ରାୟଗଡ଼ା ବ୍ଲକର ପିତାମହଲ ଏବଂ ହାଲୁଆ ପଞ୍ଚାୟତରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବାକୁ ରାୟଗଡ଼ା ତହସିଲଦାରଙ୍କୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

 

ସମ୍ବନ୍ଧିତ ଖବର