ରାୟଗଡା: ରାୟଗଡା ଜିଲ୍ଲାର ସଦର ମହକୁମାରେ ରହିଛି ଜିଲ୍ଲା ହସ୍ପିଟାଲ। ଏହି ହସ୍ପିଟାଲ ଉପରେ ପ୍ରାୟ ଜିଲ୍ଲାର ଅଧିକାଂଶ ବ୍ଲକର ଲୋକେ ନିର୍ଭର କରନ୍ତି। ବିଶେଷକରି ରାୟଗଡା, କୋଲନରା ଏବଂ କାଶୀପୁର ବ୍ଲକର ରୋଗୀମାନେ ପ୍ରାୟତଃ ପ୍ରତିଦିନ ଜିଲ୍ଲା ହସ୍ପିଟାଲକୁ ଆସୁଥିବା ଲକ୍ଷ୍ୟ କରାଯାଇଛି। ଜିଲ୍ଲା ହସ୍ପିଟାଲକୁ ମହାକାଳ ଫଳ ସଦୃଶ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ବାହାରେ ଚକାଚକ ରହିଥିବା ବେଳେ ଭିତରେ ଫମ୍ପା। ସରକାରୀ ହିସାବରେ ୧୪୯ଟି ଶଯ୍ୟା ରହିଥିବା ବେଳେ ମେଡିକାଲ ପକ୍ଷରୁ ଏହି ହସ୍ପିଟାଲରେ ୨୨୯ଟି ଶଯ୍ୟା କରାଯାଇଥିଲେ ମଧ୍ୟ ରୋଗୀକୁ ତଳେ ଶୋଇ ନିଜର ଚିକିତ୍ସା କରିବାକୁ ପଡୁଛି। ଗୁରୁତର ରୋଗୀଙ୍କ ମଧ୍ୟ ଶଯ୍ୟା ମିଳୁନାହିଁ। ବାଧ୍ୟ ହୋଇ ତଳେ ହିଁ ସାଲାଇନ ନେବାକୁ ପଡୁଛି। ଯିବା ଆସିବା ରାସ୍ତାର କଡରେ ରୋଗୀଙ୍କୁ ଆସହାୟ ଅବସ୍ଥାରେ ଛାଡି ଦିଆଯାଉଛି।
/sambad/media/post_attachments/wp-content/uploads/2023/04/Rgda-Hospital-story-5.jpg)
ସେମାନଙ୍କୁ ପଚାରିବାକୁ କେହି ନାହାଁନ୍ତି ଯେପରି। ଯଦି ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟ ହସ୍ପିଟାଲର କୌଣସି କର୍ମକର୍ତ୍ତାଙ୍କ ସହ କୌଣସି ବିଷୟରେ ପଚାରିରେ ଧମକାଇ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।ଗତକାଲି ରାମନାଗୁଡା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଝିଅ ପାଇଁ ରକ୍ତ ଦରକାର ପଡୁଥିବାରୁ ଜଣେ କର୍ମଚାରୀଙ୍କୁ ଏନେଇ ପଚାରିବାରୁ ସେ ଉତ୍ୟକ୍ତ ହୋଇ ଜବାବ ଦେଇଥିଲେ। ତେବେ ଅନ୍ୟ ସମାଜସେବୀଙ୍କ ହସ୍ତକ୍ଷେପ ପରେ ଏବଂ ଗଣମାଧ୍ୟମକୁ ଖବର ଦିଆଯିବ ବୋଲି ଧମକାଇବା ପରେ ସେହି କର୍ମଚାରୀ ଜଣକ ରକ୍ତ ଯୋଗାଡ କରି ଦେଇଥିଲେ। କେବଳ ଏହି ଗୋଟିଏ ଉଦାହରଣ ନୁହେଁ ବରଂ ପ୍ରତିଦିନ ରୋଗୀଙ୍କୁ ଏବଂ ତାଙ୍କର ସମ୍ପର୍କୀୟ ମାନଙ୍କୁ ଦୁର୍ବ୍ୟବହାର ମିଳୁଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2023/04/Rgda-Hospital-story-6.jpg)
ସ୍ଥାନୀୟ ଲୋକଙ୍କ ଅଭିଯୋଗ ହେଲା କୌଣସି ରୋଗୀ ଡାକ୍ତରଙ୍କ ନିକଟରେ ପହଞ୍ଚିଲେ ତୁରନ୍ତ କୋରାପୁଟ କିମ୍ବା ଆନ୍ଧ୍ରକୁ ରିଫେର କରି ଦେଉଛନ୍ତି। ସେହି ରୋଗୀର ପ୍ରାଥମିକ ଚିକିତ୍ସା ମଧ୍ୟ କରାଯାଉ ନାହିଁ। ରୋଗୀ କୋରାପୁଟ ମେଡିକାଲ ଯିବା ପରେ ପୁଣି ସେଠାର ଡାକ୍ତର ବ୍ରହ୍ମପୁର କିମ୍ବା କଟକ ଯିବାକୁ ପରାମର୍ଶ ଦେଉଛନ୍ତି। ରୋଗୀ ଏତିକିରେ ହତାଶ ହେବା ସହ ରୋଗ ମଧ୍ୟ ବଢି ଯାଉଥିବା ସମ୍ପର୍କୀୟ ମାନେ ଅଭିଯୋଗ କରିଛନ୍ତି। ତେଣୁ ଏହି ହସ୍ପିଟାଲକୁ ରେଫେରାଲ ହସ୍ପିଟାଲ ବୋଲି ସ୍ଥାନୀୟ ଲୋକେ କହିବା ଆରମ୍ଭ କରି ଦେଇଛନ୍ତି। ବିଶେଷକରି ରୋଗୀ ମାନେ ଆନ୍ଧ୍ର ଉପରେ ହିଁ ଭରସା କରୁଛନ୍ତି। ରାୟଗଡା ରୋଗୀଙ୍କୁ ଆନ୍ଧ୍ର ଭରସା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ହସ୍ପିଟାଲରେ ୫୯ ଜଣ ଡାକ୍ତର ରହିବା କଥା କିନ୍ତୁ ବର୍ତ୍ତମାନ ୪୧ ଜଣ ଡାକ୍ତର ରହିଥିବା ସୂଚନା ମିଳିଛି। ଏତେ ଡାକ୍ତର ରହିଥିଲେ ମଧ୍ୟ ରୋଗୀଙ୍କୁ ଉଚିତ ଚିକିତ୍ସା ନ ମିଳିବା ଦୁଃଖର ବିଷୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି। ସ୍ଥାନୀୟ କିଛି ସମାଜସେବୀଙ୍କ ସହଯୋଗରେ ରୋଗୀମାନେ ପ୍ରାୟତଃ ଚିକିତ୍ସା ପାଇ ପାରୁଥିବା ଜଣାପଡିଛି।