ରାୟଗଡା: ଶିକ୍ଷକ ମାନଙ୍କ ପଦୋନ୍ନତିରେ ସମୟ ସୀମାକୁ କୋହଳ କଲେ ସରକାର। ଏଥିପାଇଁ ଏକ ବିଜ୍ଞପ୍ତି ଗତ ୨୭ ତାରିଖ ଦିନ ପତ୍ର ସଂଖ୍ୟା ୪୬୦୭ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରି କରାଯାଇଛି। ପ୍ରତି ଶିକ୍ଷକ ପଦବୀରେ ଆବାସ ଅବଧି ୫୦ ଶତକଡା କୋହଳ କରିଥିବାରୁ ରାଜ୍ୟରେ ପ୍ରାୟ ୫୪୦୦୦ ଶିକ୍ଷକ ଉପକୃତ ହେବାବେଳେ ରାୟଗଡ଼ା ଜିଲ୍ଲାରେ ପ୍ରାୟ ୨୦୦୦ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଉପକୃତ ହେବେ। ରାୟଗଡ଼ା ଜିଲ୍ଲାରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦବୀ ୫୩୨ ଥିବାବେଳେ ସର୍ବାଧିକ ବିଦ୍ୟାଳୟ ବିନା ପ୍ରଧାନ ଶିକ୍ଷକ ଚାଲୁଅଛି। ଏହି ବିଜ୍ଞପ୍ତି ବଳରେ ଚତୁର୍ଥବର୍ଗ ଶିକ୍ଷକବୃନ୍ଦ ପ୍ରଧାନଶିକ୍ଷକ ରୂପେ ପଦୋନ୍ନତି ପାଇଲେ ଲେବୁଲ ୫-ବି ଓ ୫-ଏ ବର୍ଗର ଶିକ୍ଷକ ମଧ୍ୟ ଉକ୍ତ ଖାଲି ସ୍ଥାନକୁ ପଦୋନ୍ନତିରେ ଯିବେ। ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଏଭଳି ଦାବି ଏକମାସ ମଧ୍ୟରେ ସରକାର ପୂରଣ କରିଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ  ତଥା ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ କୃତଜ୍ଞତା ଜ୍ଞାପନ କରାଯାଇଅଛି।

Advertisment

ରାଜ୍ୟ ଶିକ୍ଷକ ସଂଘ ସଭାପତି ହୃଦାନନ୍ଦ ଦ୍ବିବେଦୀ ଉପ ସଭାନେତ୍ରୀ ସଂଗୀତା ଦାସ, ମହାସଚିବ ଚାରୁବାଳା ମହାପାତ୍ର, ଆଞ୍ଚଳିକ ସମ୍ପାଦକ ସୁରେନ୍ଦ୍ର କୁଳଦୀପ ସମେତ ସମସ୍ତ ରାଜ୍ୟ କର୍ମକର୍ତ୍ତାଙ୍କ ପ୍ରଚେଷ୍ଟାକୁ ଜିଲ୍ଲା ଶିକ୍ଷକ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି। କସ୍ତୁରୀ ନଗର ଦଶମ ଗଳି ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ସାମ୍ବିଦିକ ସମ୍ମିଳନୀରେ ଆବାହକ ଜିଲ୍ଲା ସମ୍ପାଦକ ନିଳାଞ୍ଚଳ ମିଶ୍ର, ଉପ ସଭାନେତ୍ରୀ ବି ସୁଜାତା, ଉପସଭାପତି ଦୀପକ ରାଉତ, କାର୍ଯ୍ୟକାରୀ ସଭାପତି ନରେଶ ସିଂହ, ସଂଗଠନ ସମ୍ପାଦକ ସାନନ୍ଦ ବେନିଆ, କାର୍ଯ୍ୟକାରୀ ସମ୍ପାଦକ ମହେନ୍ଦ୍ର ବାଗ, ଯୁଗ୍ମ ସମ୍ପାଦିକା ଅଞ୍ଜଳି ଶତପଥୀ, ରାୟଗଡ଼ ସଦର ବ୍ଲକ ସଭାପତି ସଦାନନ୍ଦ ନାଏକ, ସମ୍ପାଦକ ଦୁର୍ଗା ସନ୍ୟାସୀ ବେହେରା, ଯୁଗ୍ମ ସମ୍ପାଦକ ରାଜେଶ ସ୍ୱାଳସିଂହ ପ୍ରମୁଖ ଅନେକ ସଙ୍ଘୀୟ କର୍ମକର୍ତ୍ତା ଉପସ୍ଥିତ ରହି ଏହାର ଭୂୟସୀ ପ୍ରଶଂସା କରିଥିଲେ। ଏହା ଦ୍ବାରା ବିଦ୍ୟାଳୟ ଗୁଡ଼ିକର ପଦବୀ ମାନ ପୂରଣ ହେବା ସହ ଗୁଣାତ୍ମକ ଶିକ୍ଷାରେ ସହାୟକ ହେବ ବୋଲି ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଥିଲେ।ତେବେ ଜିଲ୍ଲା ପ୍ରଶାସନ ତରଫରୁ ଏହା କିପରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରାଯାଉଛି, ତାହା ଦେଖିବାର ଅଛି ବୋଲି କେତେକ ଶିକ୍ଷକ ମତବ୍ୟକ୍ତ କରିଛନ୍ତି।