ବୈପାରିଗୁଡା: ରୁଦ୍ରର ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ଡ଼ାକ୍ତରଖାନାକୁ ପଠାଯାଇଛି। ରୁଦ୍ରର ସ୍ବାସ୍ଥ୍ୟସେବା ସଂପର୍କରେ ଦୁଇଦିନ ତଳେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା। ବାଲ୍ ସ୍ବାସ୍ଥ୍ୟ ସୁରକ୍ଷା କାର୍ଯ୍ୟକ୍ରମର ଡାକ୍ତର ପ୍ରତାପ କୁମାର ତ୍ରିପାଠୀ ନିଜ ଟିମ୍ ସହ ରୁଦ୍ର ନିକଟରେ ପହଞ୍ଚିଥିଲେ। ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ କୋରାପୁଟ ନିଆଯାଇଥିଲା। କୋରାପୁଟ ଠାରେ ରୁଦ୍ରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ପରବର୍ତ୍ତୀ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠେଇବାର ବ୍ୟବସ୍ଥା କରିଛନ୍ତି।

Advertisment

ସୂଚନାଯୋଗ୍ୟେ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ଡୁମୁରିଗୁଡା ଗ୍ରାମର ଖଗ ବେଣ୍ଟକାରିଆଙ୍କ ଚାରିବର୍ଷର ପୁଅ ରୁଦ୍ରର ବାମ ଗୋଡ ପାଦରେ ଘା’ ହେବା ସହ ଯନ୍ତ୍ରଣା ଭୋଗୁଥିଲେ। ତାର ଚିକିତ୍ସା ପାଇଁ ବୈପାରିଗୁଡା ଏବଂ ପରବର୍ତ୍ତୀ ସମୟରେ କୋରାପୁଟ ନେଇଥିଲେ ମଧ୍ୟ ଘା’ ଶୁଖିବା ପରିବର୍ତ୍ତେ ଜଟିଳ ରୂପ ଧାରଣ କରିଥିଲା।

ପାଦ ବୁଲିଯିବା ସହ କଳା ପଡ଼ିଯାଇଥିଲା। ରୁଦ୍ରର ଜନ୍ମରୁ ଦୁଇଟି ଯାକ ପାଦରେ ଦଶଟି ଆଙ୍ଗୁଠି ବଦଳରେ ଚାରୋଟି ରହିଥିବା ଏବଂ ସଂପୂର୍ଣ୍ଣ ବିକଶିତ ହୋଇନଥିବାରୁ ଚଳପ୍ରଚଳରେ ଅସୁବିଧା ଭୋଗୁଥିଲେ। ରୁଦ୍ରର ବାପା ଖଗ ଜଣେ ଦିନ ମଜୁରୀଆ ହୋଇଥିବାରୁ କଟକ ବଡ଼ଡ଼ାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସମ୍ଭବ ନଥିଲା। ତେବେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବାରୁ ଡ଼ଃ. ତ୍ରିପାଠୀଙ୍କ ତତ୍ବାବଧାନରେ ରୁଦ୍ର କଟକ ବଡ଼ ଡ଼ାକ୍ତରଖାନାକୁ ଯାଇପାରୁ ନଥିବାରୁ ଏବଂ ମାଗଣାରେ ଚିକିତ୍ସା କରାଯିବାର ବ୍ୟବସ୍ଥା ରହିଥିବାରୁ ରୁଦ୍ରର ବାପା ମାଆ ରାଜ୍ୟ ସରକାର ଏବଂ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛନ୍ତି।