କୋଭିଡ୍ ପରିଚାଳନାର ସ୍ଥିତି ସମୀକ୍ଷା କଲେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ

ରାଉରକେଲା,: ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ (ଆରଡିସି) ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ ସୋମବାର ଦିନ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି। କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସୁନ୍ଦରଗଡ଼ ଓ ରାଉରକେଲାଠାରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ, ଟ୍ରାକିଂ ଏବଂ ଟିକାକରଣକୁ ବ୍ୟାପକ କରିବା ସହିତ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା ଉପରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଗୁରୁତ୍ୱ ଦେଇଛନ୍ତି।

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ପ୍ରଥମେ ରାଉରକେଲା ଗସ୍ତରେ ଆସି ମହାନଗର ନିଗମର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। କୋଭିଡ୍ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ହସ୍ପିଟାଲଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଔଷଧପତ୍ର ଏବଂ ଅକ୍ସିଜେନ୍ ଆଦି ବିଭିନ୍ନ ହସ୍ପିଟାଲରେ ମହଜୁଦ୍ ରଖିବାକୁ ସେ ପରାମର୍ଶ ଦେଇଥିଲେ।

ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଏସପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିଶନର କମିଶନର ସୁଧାଂଶୁ କୁମାର ଭୋଇ, ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ, ରାଉରକେଲା ସରକାରୀ ଚିକିତ୍ସାଳୟର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଏଡିୟୁପିଏଚଓ ଡାକ୍ତର ପୁଷ୍ପମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକ ପରେ ରାଜସ୍ୱ ଆୟୁକ୍ତ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ସେଠାରେ ରୋଗୀମାନଙ୍କ ପାଇଁ କାରାଯାଇଥିବା ଆବଶ୍ୟକ ବ୍ୟବସ୍ଥା ବୁଲି ଦେଖିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହା ସହ ରାଉରକେଲା ହେଲ୍ପଲାଇନ କେନ୍ଦ୍ର ପରିଦର୍ଶନ କରି ଲୋକମାନଙ୍କୁ କୋଭିଡ୍ ସମ୍ପର୍କିତ ସଠିକ୍ ସୂଚନା ଓ ପରାମର୍ଶ ଦେବା ଉପରେ ଗୁରୁତ୍ୱ ଦେଇଥିଲେ।

ସୋମବାର ସନ୍ଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁନ୍ଦରଗଡ଼ସ୍ଥିତ ଏନଟିପିସି କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଥିଲେ। କୋଭିଡ୍ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ପାଇଁ ଏହି ହସ୍ପିଟାଲରେ କରାଯାଇଥିବା ବିଭିନ୍ନ ପ୍ରସ୍ତୁତିକୁ ଅନୁଧ୍ୟାନ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରୀକ୍ଷା ଏବଂ ଟିକାକରଣ କିପରି ଆହୁରି ବ୍ୟାପକ କରାଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହ ସେ କଥା ହୋଇଥିଲେ। ଏ ସମ୍ପର୍କରେ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସଚେତନ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନ୍ କିପରି ଜନସାଧାରଣ ଠିକ୍ ଭାବେ ପାଳନ କରିବେ ତା’ଉପରେ ଧ୍ୟାନ ରଖିବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି କିମ୍ବା ବ୍ୟବସାୟ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ କହିଥିଲେ।

ସୁନ୍ଦରଗଡ଼ଠାରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ ଏବଂ ଏନଟିପିସି କୋଭିଡ୍ ହସ୍ପିଟାଲର ପ୍ରକଳ୍ପ ପରିଚାଳକ ଅଭିନବ କର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର