ଭୁବନେଶ୍ୱର: ବାତ୍ୟା ୟାସ୍ ଏବେ ସମୁଦ୍ରରେ ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଆଗକୁ ବଢୁଛି । ପାରାଦୀପଠାରୁ ଏହା ଏବେ ୨୮୦ କିମି ଦୂରରେ ରହିଥିବାବେଳେ ବାଲେଶ୍ୱରଠାରୁ ୩୮୦ କିମି ଦୂରରେ ରହିଛି । ତେବେ ବାତ୍ୟାର ପ୍ରଭାବ ରାଜ୍ୟର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଲାଣି । କିଛି ଅଂଚଳରେ ପବନ ବହିବା ସହିତ ବର୍ଷା ମଧ୍ୟ ଆରମ୍ଭ ହୋଇଗଲାଣି ।
ଏପରି ସ୍ଥିତିରେ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ୨୬ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେଥିପାଇଁ ଏହି ଜିଲ୍ଲାରେ ରେଡ୍ ୱାଣ୍ଣିଂ ଜାରି କରାଯାଇଛି ।
ସେହିପରି ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଅରେଞ୍ଜ ୱାଣ୍ଣିଂ ସହ କେନ୍ଦୁଝର, ଢେଙ୍କାନାଳ ଓ ଗଞ୍ଜାମରେ ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ସେହିପରି ୨୬ ତାରିଖ ସାଢେ ୮ଟାରୁ ୨୭ ତାରିଖ ସାଢେ ୮ଟା ଯାଏଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ରେଡ୍ ୱାଣ୍ଣିଂ ଜାରି କରାଯାଇଛି ।