ରେଢ଼ାଖୋଲ ବନଖଣ୍ଡରେ ଅଭାବନୀୟ ଦୃଶ୍ୟ: ହାତୀ ମଣିଷ ଗୋଡ଼ାଗୋଡ଼ି, ଭୟରେ ଆସିଲେନି ବନ କର୍ମଚାରୀ

ରେଢ଼ାଖୋଲ: ସମ୍ବଲପୁର କିଲ୍ଲା ରେଢ଼ାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହାଳ ରେଞ୍ଜ ହାତୀବାହାଳ ଗ୍ରାମରେ ରବିବାର ସକାଳୁ ସକାଳୁ ଦେଖିବାକୁ ମିଳିଥିଲା ଅଭାବନୀୟ ଦୃଶ୍ୟ। ହାତୀ ଓ ମଣିଷଙ୍କ ମଧ୍ୟରେ ଗୋଡ଼ାଗୋଡ଼ି ଚାଲିଥିବା ବେଳେ ଭୟରେ ବନ ବିଭାଗର କେହି ବି ଅଧିକାରୀ କି କର୍ମଚାରୀ ଘଟଣାସ୍ଥଳକୁ ନ ଆସିବା ଚର୍ଚ୍ଚାର ବିଷୟ ହୋଇଛି। ମିଳିଥିବା ସୂଚନାନୁସାରେ ଆଜି ସକାଳ ପ୍ରାୟ ୭ଟା ବେଳେ ୧୬ରୁ ଅଧିକ ହାତୀ ଥିବା ଏକ ପଲ ଗାଁ’କୁ ପଶି ଆସି ଜମିଗୁଡ଼ିକରେ ଅମଳ ହେବାକୁ ଥିବା ଧାନ ଫସଲ ଖାଇବାକୁ ଲାଗିଥିଲେ। ଏହା ଦେଖି ଗ୍ରାମବାସୀ ଏକତ୍ରିତ ଭାବେ ପାଟି କରି ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ପଳାଇବେ କ’ଣ ଓଲଟା ଗର୍ଜନ କରି ସେମାନଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଫଳରେ ଲୋକେମାନେ ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ।

କେତେବେଳେ ମଣିଷ ହାତୀଙ୍କୁ ଗୋଡ଼ାଉଥିଲା ତ ପୁଣି କେତେବେଳେ ହାତୀ ମଣିଷଙ୍କୁ ଗୋଡ଼ାଉଥିଲେ। ବହୁ ସମୟ ଧରି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲ। ପରେ ହାତୀମାନେ ନିକଟସ୍ଥ ଗୁଜିମଲ୍ଲିଆ ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲେ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ହାତୀବାହାଳ ଗ୍ରାମଠାରୁ ରେଞ୍ଜ କାର୍ଯ୍ୟାଳୟ ନିକଟରେ ଥିଲା ବେଳେ ଖବର ଦିଆଯାଇଥିଲେ ହେଁ ବନ ବିଭାଗର କୌଣସି କର୍ମଚାରୀ ଭୟରେ ଘଟଣା ସ୍ଥଳକୁ ପହଞ୍ଚି ନଥିଲେ। ହାତୀମାନେ ଗାଁ’ର ବିଶ୍ବନାଥ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ନୀଳମଣି ପ୍ରଧାନଙ୍କ ସମେତ ଅନ୍ୟ ଚାଷୀମାନଙ୍କ ଧାନ ଫସଲ ଦଳି ଚକଟି ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ପୁଣି ହାତୀ-ମଣିଷ ଗୋଡ଼ାଗୋଡ଼ିର ପ୍ରଭାବ ପଡ଼ିଥିଲା ନିକଟ ଦେଇ ଯାଇଥିବା ରେଢ଼ାଖୋଲ-ବୌଦ୍ଧ ରାସ୍ତା ଉପରେ। ଭୟରେ ଶହ ଶହ ସଂଖ୍ୟାରେ ଯାନବାହନ ବହୁ ସମୟ ଧରି ହାତୀବାହାଳ ଛକର ଉଭୟ ପାର୍ଶ୍ବରେ ଅଟକି ରହିଥିଲା।

ଅନ୍ୟପଟେ ଶନିବାର ରାତିରେ ହାତୀ ପଲ କରଡ଼ାପାଳ, କଷିବାହାଳ, କାଙ୍କରପଡ଼ା ଗ୍ରାମରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ କରିଥିବା ସେଠାକାର ଚାଷୀମାନେ ଅଭିଯୋଗ କରିଛନ୍ତି। ନିଆଁ ହୁଳା ଦେଖାଇ, ବାଣ ଫୁଟାଇ ଓ ପାଟିତୁଣ୍ଡ କରି ଘଉଡ଼ାଇବାକୁ ଉଦ୍ୟମ କରିଥିଲେ ହେଁ ହାତୀମାନେ ଆଦୌ ମାନି ନଥିଲେ। ଗୋଟିଏ ଗାଁ’ରୁ ଗୋଡ଼ାଇଲେ ନିକଟସ୍ଥ ଗାଁ’କୁ ଚାଲି ଯାଇ ଉପଦ୍ରବ କରୁଥିଲେ। ଫଳରେ ସଂପୃକ୍ତ ୩ଟି ଯାକ ଗ୍ରାମର ଚାଷୀ ଓ ଗ୍ରାମାବସୀ ରାତି ସାରା ଅନିଦ୍ରା ରହି ହାତୀ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଖବର ପାଇ ବନ ବିଭାଗ ଫରେଷ୍ଟରଙ୍କ ସହ କେତେକ ୱାଚର୍‌ ଏକ ଅଟୋରିକ୍ସାରେ କାଙ୍କରପଡ଼ା ଗାଁ’ରେ ପହଞ୍ଚିଥିଲେ। ମାତ୍ର କୌଣସି ଯୋଜନା କରି ଯାଇ ନଥିବାରୁ ସେମାନେ ବି ଅଟୋରୁ ଓହ୍ଲାଇ ନଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଧାନ ନଷ୍ଟ ଯୋଗୁଁ ବର୍ତ୍ତମାନ କରିଥିବା ଧାର କରଜ କିଭଳି ସୁଝିବେ ଓ ପରିବାର କିଭଳି ଚଳାଇବେ ବୋଲି ସଂପୃକ୍ତ ଗ୍ରାମର ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ହାତୀ ଘଉଡ଼ାଇବା ବେଳେ ହେମାମୁରା ଗ୍ରାମର ମଧୁ ବେହେରା (୩୫)ଙ୍କ ଗୋଡ଼ ଟ୍ରେନ୍‌ରେ କଟି ଯାଇଥିବା ସୂଚନା ମିଳିଛି। ସମଗ୍ର ବନ ଖଣ୍ଡରେ ବର୍ତ୍ତମାନ ହାତୀ ଉପଦ୍ରବ ଜାରି ରହିଥିବାରୁ ବିଶେଷ କରି ରେଢ଼ାଖୋଲ-ନାକଟିଦେଉଳ ରାସ୍ତାରେ ଲୋକେ ଯାତାୟାତ କରିବାକୁ ଭୟ କରୁଥିବା ଜଣାପଡ଼ିଛି। ବନ ବିଭାଗ ଠୋସ୍‌ ପଦକ୍ଷେପ ନେବା ସହ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର