କଂସାରିଗୁଡ଼ା ରିଫାଇନେରୀ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି, କ୍ଷତିପୂରଣ ସହ ଜମି ଫେରାଇବାକୁ ଦାବି

ବିସ୍ଥାପିତ ପରିବାରକୁ ଭତ୍ତା, ପ୍ରଭାବିତ ଅଞ୍ଚଳରେ ବିକାଶ ଦାବି, ୩୦ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ରାୟଗଡ଼ା: କାରଖାନା ଆଶାରେ ଜମି, ବାଡ଼ି ଶାଗମାଛ ଦରରେ ଟେକିଦେଲୁ। ଜନଶୁଣାଣିକୁ ପୂର୍ଣ୍ଣ ସମର୍ଥନ କଲୁ। ହେଲେ ଆଜି ସୁଦ୍ଧା କାରଖାନା ନିର୍ମାଣ ହେଲାନି। କେବଳ ପ୍ରତିଶ୍ରୁତି ଶୁଣି ଶୁଣି ୧୪ ବର୍ଷ ବିତିଗଲା। ଆଉ ଅପେକ୍ଷା କରିବୁ ନାହିଁ। ୩୦ ଦିନ ମଧ୍ୟରେ କାରଖାନା କାମ ଆରମ୍ଭ କର, ନଚେତ୍ ଆମ ଜମି ଆମକୁ ଫେରାଓ। ପଦକ୍ଷେପ ନେବାରେ ଟାଳଟୁଳ ନୀତି ଅବଲମ୍ବନ କଲେ ଉତ୍କଳ ଆଲୁମିନା କମ୍ପାନି ଆଗ‌ରେ ଧାରଣା ଦେବୁ। ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରି ଏପରି ଚେତାବନୀ ଦେଇଛନ୍ତି ବିସ୍ଥାପିତ ପରିବାର। ବିସ୍ଥାପିତ ଅଭିଯୋଗ କରିଛନ୍ତି, କଂସାରିଗୁଡ଼ା ରିଫାଇନେରୀ ୟୁନିଟ୍ ପାଇଁ ୨୦୦୫ରେ ପଲ୍ଲୀସଭା ହୋଇଥିଲା। ଜମି ଅଧିଗ୍ରହଣ ସରିବା ପରେ ୨୦୦୮-୦୯ରେ ଜମିର କ୍ଷତିପୂରଣ ରାଶି ବିସ୍ଥାପିତଙ୍କୁ ପ୍ରଦାନ କରାଯାଇଥିଲା। ୨୦୦୯ରୁ ୨୦୧୧ ମଧ୍ୟରେ କମ୍ପାନି ଅଧିଗ୍ରହଣ ଜମିରେ ପାଚେରୀ, ରାସ୍ତା, ରେଳ ଲାଇନ୍, ଜମି ସମତୁଲ, ଫୁଲଜବାରେ ଅଫିସ୍ ନିର୍ମାଣ, ପୋଡାପାଡିରେ ସ୍କୁଲ୍ ନିର୍ମାଣ କରିଛି। ୨୦୧୨ ମସିହା ପରଠୁ କମ୍ପାନିର ଫୁଲଜବା କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ କର୍ତ୍ତୃପକ୍ଷ ବିସ୍ଥାପିତ ଗ୍ରାମବାସୀଙ୍କ ସହ କୌଣସି ସମ୍ପର୍କ ରଖିନାହାନ୍ତି। କାରଖାନା ନିର୍ମାଣରେ ବିଳମ୍ବ ହେଉଥିବାରୁ ବିସ୍ଥାପିତ ଗ୍ରାମର ୧୫ ହଜାର ପରିବାରକୁ ମାସିକ ଭତ୍ତା ଏବଂ ସମସ୍ତ ଗ୍ରାମରେ ଡ୍ରେନ୍ ଓ ରାସ୍ତା ନିର୍ମାଣ, ବିସ୍ଥାପିତ ପରିବାରର ପିଲାଙ୍କୁ ଶିକ୍ଷା ପ୍ରଦାନ ପାଇଁ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ଅନୁମତି ଦେବାକୁ ଦାବି ହୋଇଥିଲା। ହେଲେ ବିସ୍ଥାପିତଙ୍କ କୌଣସି ଦାବିକୁ କମ୍ପାନି ଗ୍ରହଣ କରିନଥିବାରୁ ଆସନ୍ତା ୩୦ ଦିନ ମଧ୍ୟରେ କାରଖାନା ନିର୍ମାଣ ଆରମ୍ଭ ନ ହେଲେ ଜମି ଫେରାଇବାକୁ ବିସ୍ଥାପିତ ଦାବି କରିଛନ୍ତି।

ସୂଚନାଯୋଗ୍ୟ, କଂସାରିଗୁଡ଼ାରେ ବାର୍ଷିକ ୨ ଲକ୍ଷ ମିଲିୟନ୍ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନେରୀ ପ୍ଲାଣ୍ଟ୍ ପ୍ରତିଷ୍ଠା ପାଇଁ କୋରାପୁଟ ଓ ରାୟଗଡ଼ା ଜିଲ୍ଲାରୁ ୨୧୦୦ ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ କରିଛି ହିଣ୍ଡାଲକୋ। ସେଥି ମଧ୍ୟରୁ ୧୩୮୫.୩୯ ଏକର ଜମି ଇଡକୋ ନିକଟରୁ କମ୍ପାନି ପ୍ରତିଷ୍ଠା ଲାଗି ହିଣ୍ଡାଲକୋ ନେଇଛି। ୨୦୦୫ ମସିହାରେ କମ୍ପାନି ପ୍ରତିଷ୍ଠା ପାଇଁ ହିଣ୍ଡାଲକୋ ଓଡ଼ିଶା ସରକାରଙ୍କ ସହ ଏମଓୟୁ କରିଥିଲା। ୨୦୧୫ ପର୍ୟ୍ୟନ୍ତ କମ୍ପାନି ନିର୍ମାଣ ଆରମ୍ଭ ନ ହେବାରୁ ୨୦୧୭ ପର୍ଯ୍ୟନ୍ତ ଏମଓୟୁ ଅବଧିକୁ ବଢ଼ାଇଥିଲେ ରାଜ୍ୟ ସରକାର। ୨୦୨୧ ଅକ୍ଟୋବର ୫ ତାରିଖରେ ‌ବାର୍ଷିକ ୩ ଲକ୍ଷ ମିଲିୟନ୍ ଟନ୍ ବକ୍ସାଇଟ୍ ଓ ୧୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ପାଇଁ ଜନଶୁଣାଣି ହୋଇଥିଲା। ଜନଶୁଣାଣିକୁ ବିସ୍ଥାପିତ ଓ ପାରିପାର୍ଶ୍ବିକ ଅଞ୍ଚଳବାସୀ ସମର୍ଥନ ଜଣାଇ କମ୍ପାନି ପ୍ରତିଷ୍ଠା ପାଇଁ ଦାବି ରଖିଥିଲେ। ଜନଶୁଣାଣି ସଫଳ ପରେ ରାଜ୍ୟ ସରକାର ଖଣି ଦେବା ସଙ୍ଗେ ସଙ୍ଗେ କମ୍ପାନି ପ୍ରତିଷ୍ଠା ଆରମ୍ଭ କରିବାକୁ ହିଣ୍ଡାଲକୋ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଇତି ମଧ୍ୟରେ ଜନଶୁଣାଣିକୁ ୮ ମାସ ବିତିବାକୁ ବସିଲାଣି। ଅଥଚ ରାଜ୍ୟ ସରକାରଙ୍କ ହାଇପାୱାର କମିଟି ପ୍ରକଳ୍ପକୁ ଅନୁମୋଦନ କରୁନଥିବାରୁ କାରଖାନା ନିର୍ମାଣ ଆରମ୍ଭ ହୋଇପାରୁନି। ଯାହାକୁ ନେଇ ସଂସଦରେ ପ୍ରଶ୍ନ ଉଠାଇଥିଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା। କଂସାରିଗୁଡା ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ଷ୍ଟେଟ୍ ପ୍ରୋଜେକ୍ଟ ମନିଟରିଂ ଗ୍ରୁପ୍ (ଏସପିଏମଜି) ଅନୁମୋଦନ ପ୍ରଦାନରେ ବିଳମ୍ବ କରୁଥିବାରୁ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହେଉଛି ବୋଲି କହିଥିଲେ କେନ୍ଦ୍ର ସଂସଦୀୟ ବ୍ୟାପାର ଓ କୋଇଲା, ଖଣିଜ ସଂପଦ ବିଭାଗ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ସମ୍ବନ୍ଧିତ ଖବର