ଘରକୁ ଫେରିବାକୁ ବ୍ୟାକୁଳ ପ୍ରବାସୀ: ଭଦ୍ରକରେ କ୍ବାରେଣ୍ଟାଇନ୍ କେନ୍ଦ୍ର ବଢାଇବାକୁ ଦାବି

ବଢୁଛି ପ୍ରବାସୀ ଫେରନ୍ତାଙ୍କ ପଂଜୀକରଣ ସଂଖ୍ୟା

ଭଦ୍ରକ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢି ବଢି ଯାଉଥିବା ବେଳେ ଏବେ ଅଧିକାଂଶ ଲୋକ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଭଦ୍ରକ ଜିଲ୍ଲାରୁ ୫୦ ହଜାରୁ ଉର୍ଦ୍ଧ୍ବ ଲୋକ ପଶ୍ଚିମବଙ୍ଗ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ ଆଦି ପ୍ରବେଶରେ ରହିଥିବା ବେଳେ ସେମାନେ ସବୁ ଏଇ ଅଞ୍ଚଳରେ ରହି ଘରୋଇ କଂପାନିରେ ଚାକିରୀ କରିଥିଲେ। କରୋନା କଟକଣା ପାଇଁ ସେମାନଙ୍କର ଚାକିରୀ ଯାଇଛି। ଠିକା ଶ୍ରମିକ ଭାବେ ଠିକାଦାରଙ୍କ ପାଖରେ କାମ କରୁଥିବା ଲୋକମାନଙ୍କର କାମଧନ୍ଦା ମଧ୍ୟ ବନ୍ଦ ହୋଇଯାଇଛି। ତେଣୁ ଭୋକ ଉପବାସରେ ରହି ସେଠାରୁ ଭଦ୍ରକ ଜିଲ୍ଲାକୁ ବହୁ ଲୋକ ଫେରି ଆସିଛନ୍ତି। କିଏ ଚାଲିଚାଲି ଆସିଛି ତ ଆଉ କିଏ ମାଲବାହୀ ଟ୍ରକ୍ କିମ୍ବା କଣ୍ଟେନରରେ ଆସିଛନ୍ତି। ଲୁଚିଛପି ଫେରିଥିବା ଏଇ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଏବେ ନିଜ ନିଜ ପଞ୍ଚାୟତର କ୍ବାରେଣ୍ଟାଇନ୍ କେନ୍ଦ୍ରରେ ରହିଥିବା ବେଳେ ଆଉ କିଛି ଲୋକ ନିଜ ଘରେ ଆଇସୁଲେସନରେ ରହିଛନ୍ତି। ଆଉ ଯେଉଁମାନେ ସେଠାରେ ରହିଛନ୍ତି, ସେମାନେ ନିଜ ଗାଁକୁ ‌ ଫୋରିବାକୁ ବ୍ୟାକୁଳ ହେଉଛନ୍ତି। ସେମାନେ କିଭଳି ଭାବେ ଗାଁକୁ ଫେରିବେ ତାହାକୁ ନେଇ ଚିନ୍ତାରେ ରହିଛନ୍ତି।

ଲକ୍ ଡାଉନ୍ ଆସନ୍ତା ମେ ୩ ତାରିଖରେ ଖୋଲିବାକୁ ଥିବା ବେଳେ ଗାଡି ମଟର ଚଳାଚଳ ନେଇ ସରକାର କିଛି ସ୍ପଷ୍ଟ କରି ନାହାନ୍ତି। କୋଲକାତାରୁ ଲୋକମାନେ ବିଶେଷକରି ଟ୍ରେନରେ ଭଦ୍ରକ ଆସନ୍ତି। ଟ୍ରେନ୍ ଚଳାଚଳ ବନ୍ଦ ରହିଥିବାରୁ ଏବେ ସେମାନେ କିଭଳି ଭଦ୍ରକ ଆସିବେ ତାହାକୁ ନେଇ କୋଲକାତାର ବଡ ବଜାରରେ ରହୁଥିବା ବନ୍ତ ବ୍ଲକର ବାପୁଜୀ ନାୟକ ନାମକ ଜଣେ ଯୁବକ ସମ୍ବାଦକୁ ଫୋନ୍ କରି ନିଜର ଦୁଃଖ ଜଣାଇଛନ୍ତି। ସେ ଚାକରି କରିଥିବା ଘରୋଇ କଂପାନି ଏବେ ବନ୍ଦ ହୋଇଥିବା ବେଳେ ଏକ ମାସ ହେବ ସେଠାରେ ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ଗ୍ରାମର ଅଜ୍ୟ ଜଣେ ସହକର୍ମୀ ଯୁବକଙ୍କ ସହ ରହୁଛନ୍ତି। ପ୍ରତିଦିନ ସେମାନେ ଦିନ ଗଣୁଛନ୍ତି।

ଲକ୍ ଡାଉନ୍ ଖୋଲିଲା ପରେ କେବେ ଗାଡି ମଟର ଚଳାଚଳ କରିବ। ସେମାନେ ନିଜ ଘରକୁ ଫେରିବେ। ଏମିତି ଚିନ୍ତାରେ ସେମାନେ ରହିଥିବା ବେଳେ ହଜାର ହଜାର ଲୋକ ଭଦ୍ରକ ଫେରିବାକୁ ନେଇ ଚିନ୍ତାରେ ରହିଥିବା ବେଳେ ସେମାନଙ୍କ ଘର ଲୋକ ମଧ୍ୟ ଚିନ୍ତାରେ ଅଛନ୍ତି। ବିଭନ୍ନ ସମୟରେ କିଛି ଲୋକ ଭଦ୍ରକ ଫେରିଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯ ଜଣଙ୍କ ରକ୍ତ ନମୁନାରୁ କରୋନା ପଜେଟିଭ୍ ବାହାରିବା ପରେ ଏମାନେ ସବୁ କଟକର ଅଶ୍ୱିନୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ଜିଲ୍ଲାର ୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୧୭ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୬ ଜଣ ରୋଗୀ କଲିକତା ଫେରନ୍ତା। ଗୋଟିଏ ପଟରେ ଜିଲ୍ଲାରେ ଥିବା ଲୋକମାନେ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ ହେଉଥିବା ବେଳେ ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ଏମାନେ ଭଦ୍ରକକୁ ଆସିଲେ ଏମାନଙ୍କୁ କ୍ବାରେଣ୍ଟାଇନ୍ ରେ କିଭଳି ରଖିବ ତାକୁ ନେଇ ଚିନ୍ତାରେ ଅଛନ୍ତି। ଜିଲ୍ଲା‌ ପ୍ରଶାସନ ପକ୍ଷରୁ ଜିଲ୍ଲାର ୨୧୮ଟି ପଞ୍ଚାୟତରେ ଯେଉଁ କ୍ବାରେଣ୍ଟାଇନ୍ କେନ୍ଦ୍ର ଖୋଲାଯାଇଥିଲା। ତାହା ଏତେ ସଂଖ୍ୟକ ଫେରନ୍ତା ପ୍ରବାସୀଙ୍କ ରହିବା ପାଇଁ ଉପଯୁକ୍ତ ହେବ ନାହିଁ।

ତେଣୁ ବ୍ଲକ ହେଡକ୍ବାଟରେ ଥିବା କଲେଜ, ହାଇସ୍କୁଲଗୁଡିକରେ ଅଧିକରୁ ଅଧିକ ଲୋକ କିଭଳି ରହିପାରିବେ ସେ ନେଇ ଏଇ ସବୁ ଅଚୁଷ୍ଟାନ ଗୁଡିକୁ ଚିହ୍ନଟ କରାଯାଇ ଏହାକୁ କ୍ବାରେଣ୍ଟାଇନ୍ କେନ୍ଦ୍ର କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଧାମନଗର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କ ସହ ବ୍ଲକର ବିଡିଓ କିଛି ସ୍କୁଲ ଓ କଲେଜ କେନ୍ଦ୍ରକୁ ଯାଇ ବୁଲି ଦେଖିଛନ୍ତି। ବ୍ଲକ ଅଧ୍ୟକ୍ଷ ଆଜି ଧାମନଗର କଲେଜ ଓ ଧାମନଗର ବ୍ଲକରେ ଥିବା ଅକ୍ସବୋର୍ଡ ପବ୍ଲିକ ସ୍କୁଲକୁ କ୍ବାରେଣ୍ଟାଇନ୍ କେନ୍ଦ୍ର କରିଥିବା ନେଇ ସୂଚନା ମିଳିଛି। ଅଧିକ ଡେକ୍ସ ପକାଇ ଫେରିବା ଲୋକଙ୍କୁ ଏଠାରେ ରଖିବାକୁ ଯୋଜନା କରାଯାଇଛି।

ସେହିପରି ବନ୍ତ ବ୍ଲକରେ ଅନେକ ସ୍ଥାନରେ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ଏ ଅଞ୍ଚଳରେ ଅଧୀକାଂଶ କଲିକତା ଫେରନ୍ତା ଆସିବାର ସମ୍ଭାବନା ରହିଥିବାରୁ ଓଡଙ୍ଗ, ଆଡିଆ, କାଦବରାଙ୍ଗ, ବାଙ୍କତିରା, ଅଡାଳପଙ୍କ, ଆଗରପଡା, ପୁରୁଷଣ୍ଢ, ବରପଦା, ଗଣିଜାଙ୍ଗ, ଛୁଆଳସିଂହ, ଟିଲୋ, ପଦନପଡା, ବସନ୍ତିଆ, ସେଣ୍ଢତୀରା, କେନ୍ଦୁଆପଦା, ବାରିକପୁର ଆଦି ଅଞ୍ଚଳରେ ଥିବା ସ୍କୁଲଗୁଡିକୁ କ୍ବାରେଣ୍ଟାଇନ୍ କେନ୍ଦ୍ର କରିବାକୁ ପ୍ରସ୍ତୁତ ହେଉଛନ୍ତି। ତିହିଡି, ପୀରହାଟ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ବୁସୁଦେବପୁର, ଧାମରା, ଆରଡି, ଧୂଷୁରୀ ଆଦି ଅଞ୍ଚଳରେ ଅଧିକ କ୍ବାରେଣ୍ଟାଇନ୍ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି।

ଅନ୍ୟପକ୍ଷରେ ପ୍ରବାସୀଙ୍କ ଫେରିବା ନେଇ ଗତ ୨୮ ତାରିଖ ସୁଦ୍ଧା ଏଇ ସଂଖ୍ୟା ୩୨ ହଜାର ୧୬୫ରେ ପହଞ୍ଚିଥିବା ବେଳେ ଆସନ୍ତା ୩ ତାରିଖ ସୁଦ୍ଧା ଏହା ୫୦ ହଜାରକୁ ଛୁଇଁବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ପ୍ରବାସୀ ଯେତେ ଭଦ୍ରକ ଜିଲ୍ଲାକୁ ଫେରିବେ ସେମାନଙ୍କ ମଧ୍ୟରୁ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭବାନାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ। ଏଇ ସବୁ ପସଙ୍ଗକୁ ନେଇ ଏବେ ଚନ୍ତାରେ ପଡିଛି ଜିଲ୍ଲା ପ୍ରଶାସନ। ଆଗାମୀ ଦିନରେ ରାଜ୍ୟ ସରକାର ଭଦ୍ରକ ଜିଲ୍ଲାରେ କରୋନା ମୁକାବିଲା ନେଇ କେଉଁ ପ୍ରକାର ପ୍ରସ୍ତୁତି କରୁଛନ୍ତି। ତାହା ଉପରେ ରହିଛି ଜିଲ୍ଲାବାସୀଙ୍କର ନଜର।

ସମ୍ବନ୍ଧିତ ଖବର