ନୂଆପଡ଼ା: ରାଜ୍ୟ ସରକାର ୨୦୨୩-୨୪ ଖରିଫ ଧାନ ପଞ୍ଜୀକରଣ ପାଇଁ ଚଳିତ ବର୍ଷ ଜୁଲାଇ ୧୫ ତାରିଖରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ପି-ପାସ୍ ପୋର୍ଟାଲ ଖୋଲୁନଥିବାରୁ ବହୁ ଚାଷୀ ପଞ୍ଜୀକୃତରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ଚାଷୀଙ୍କ ଅଭିଯୋଗ ପରେ ଶୁକ୍ରବାର ଜିଲ୍ଲାର ସମସ୍ତ ପ୍ୟାକ୍ସର ଡିଇଓମାନେ ଜିଲ୍ଲା ପ୍ରଶାସନ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପି-ପାସ ପୋର୍ଟାଲ ଖୋଲିଲେ ଟେକ୍ନିକାଲ୍ ସମସ୍ୟା ଦେଖାଉଥିବାରୁ ଚାଷୀଙ୍କ ପଞ୍ଜୀକରଣ ହୋଇପାରୁ ନଥିବା ସେମାନେ ଦର୍ଶାଇଛନ୍ତି। ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ସମୟସୀମା ରହିଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଜିଲ୍ଲାରେ ବିଗତ ଖରିଫ ଋତୁରେ ୩୬୦୧୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ୧୦ ତାରିଖ ସୁଦ୍ଧାର ୩୨ ହଜାର ୫୫୫ ଜଣ ଚାଷୀ ସମିତିମାନଙ୍କର ଫର୍ମ ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୨୧୦୫୦ ଜଣ ପଞ୍ଜୀକୃତ ହୋଇଥିବା ବେଳେ ୧୧୫୦୫ ଜଣ ଚାଷୀଙ୍କ ପଞ୍ଜୀକରଣ ହୋଇପାରି ନାହିଁ। ଅନ୍ୟପକ୍ଷରେ ଆଉ ୮ ହଜାରରୁ ୧୦ ହଜାର ଚାଷୀ ଫର୍ମ ଦାଖଲ କରିବାକୁ ଥିବା ଜଣାଇଛନ୍ତି।

Advertisment

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ତୁକଲା ପ୍ୟାକ୍ସରେ ୪୧୫ ଜଣ ଚାଷୀଙ୍କ ପଞ୍ଜୀକରଣ ହୋଇନଥିବା ବେଳେ ତରବୋଡ଼ ପ୍ୟାକ୍ସରେ ୧୨୫, ସିନାପାଲି ପ୍ୟାକ୍ସରେ ୩୨୪, ବରଗାଁ ପ୍ୟା​କ୍ସରେ ୧୭, ବେଲଟୁକୁରୀ ପ୍ୟାକ୍ସରେ ୯୩୬, ଭେଲା ପ୍ୟାକ୍ସରେ ୫୨୧, ଭୋଜପୁର ପ୍ୟାକ୍ସରେ ୩୯୧, ବୋଡ଼େନ ପ୍ୟାକ୍ସରେ ୩୨୮, ଦର୍ଲ୍ଲାମୁଣ୍ଡା ପ୍ୟାକ୍ସରେ ୨୦୮, ଧରମବନ୍ଧା ପ୍ୟାକ୍ସରେ ୬୩୬, ଡୁଆଝର ପ୍ୟାକ୍ସରେ ୩୦୬, ହାତୀବନ୍ଧା ପ୍ୟାକ୍ସରେ ୩୮୭, କାଣ୍ଡେତରା ପ୍ୟାକ୍ସରେ ୧୩୬, କରଙ୍ଗାମାଲ ପ୍ୟାକ୍ସରେ ୬୬୨, କେନ୍ଦୁମୁଣ୍ଡା ପ୍ୟାକ୍ସରେ ୩୧୦, ଖଇରା ପ୍ୟାକ୍ସରେ ୩୮୩, ଖରିଆର ପ୍ୟାକ୍ସରେ ୬୧, ଖରିଆର ରୋଡ଼ ପ୍ୟା​କ୍ସରେ ୯୭୩, କୋମନା ପ୍ୟାକ୍ସରେ ୪୬୨, କୁଲିଆବନ୍ଧା ପ୍ୟାକ୍ସରେ ୯୫୨, ଲଖନା ପ୍ୟାକ୍ସରେ ୬୨୪, ନୀଲଜି ପ୍ୟାକ୍ସରେ ୩୯୩, ନୂଆପଡ଼ା ପ୍ୟାକ୍ସରେ ୭୧୩, ପରକୋଡ଼ ପ୍ୟାକ୍ସରେ ୭୨୦, ପେଣ୍ଡରାବନ୍ଦ ପ୍ୟାକ୍ସରେ ୪୫ ଓ ସାରାବଙ୍ଗ ପ୍ୟାକ୍ସରେ ୪୭୭ ଜଣ ଚାଷୀଙ୍କ ପଞ୍ଜୀକରଣ ହୋଇନଥିବା ଜଣାପଡ଼ିଛି। ଏହି ସମସ୍ୟା ନେଇ ନୂଆପଡ଼ା ପ୍ୟାକ୍ସରେ କାର୍ଯ୍ୟରତ ଡିଇଓମାନେ ଜିଲ୍ଲା ଯୋଗାଣ ଅଧିକାରୀ ପି. ପ୍ରଭାକର ପାତ୍ରୋଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ବିଭିନ୍ନ ପ୍ୟାକ୍ସର ସଂପାଦକ ଓ ଡିଇଓ ଭରତ ଲାଲ ଦେବାଙ୍ଗନ, ହିରାଲାଲ ପାଣ୍ଡେ, ବ୍ରଜେଶ ହଂସ, ସନ୍ତୋଷ ସୁନାନୀ, ଅରୁଣ ବାଗ, ଦିନେଶ ସାହୁ, ବିନୋଦ ସାହୁ, ଖୁମନଲାଲ ସାହୁ, ହେମସାଗର ସାହୁ, ମୁକେଶ ଅହୀର, ସରୋଜ ବଛା ପ୍ରମୁଖ ଉପସ୍ଥିତ ଥିଲେ।