ମୃତ୍ୟୁ ପରେ କୋଭିଡ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ମିଳିଲାନି କାନ୍ଧ

ଦଶପଲ୍ଲା: କୋଭିଡ୍‌ର ଦ୍ବିତୀୟ ଲହର ଅତି ଭୟଙ୍କର ଭାବେ ବ୍ୟାପି ଚାଲିବା ପରେ ଏବେ ଏଥିରେ ଧୀରେଧୀରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି। ଦୈନିକ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢି ଚାଲିଛି। ଏହା ମଧ୍ୟରେ ଆଜି ଦଶପଲ୍ଲାରେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସାହିଭାଇ କିମ୍ବା କୁଟୁମ୍ବ ଲୋକଙ୍କ କାନ୍ଧ ମିଳିନଥିଲା। ଯାହାକୁ ନେଇ ପ୍ରଶାସନ ହସ୍ତକ୍ଷେପ କରି ଦାହ କରିବା ପାଇଁ ଉଦ୍ୟମ କରିଥିବା ବେଳେ ଶବ ଧରି ବିଭିନ୍ନ ସ୍ଥାନ ଘୂରିବୁଲିଥିଲା। ବିଭିନ୍ନ ଶ୍ମଶାନରେ ସ୍ଥାନୀୟ ଲୋକଙ୍କ ବିରୋଧର ସମ୍ମୁଖୀନ ହେବା ପରେ ଶେଷରେ ଗ୍ରାମ ଶ୍ମଶାନ ନିକଟରେ ଦାହ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖମାରସାହି ପଂଚାୟତର ଖମାରସାହି (ତଳସାହି) ଗ୍ରାମର ବସ୍‌ô ପ୍ରଧାନ(୭୫) କରୋନା ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ରହିଥିଲେ। ତାଙ୍କର ଉଚ୍ଚ ରକ୍ତଚାପ ରହିଥିବା ହେତୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାନ୍ଦପୁର ଯିବା ପାଇଁ ପରାମର୍ଶ ଦିଆଯାଇଥିଲା। ମାତ୍ର ଏଥିରେ ସେ ରାଜି ନହୋଇ ଘରେ ରହିଥିଲେ। ଦୈନିକ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଉଥିଲା। ମାତ୍ର ଆଜି ପୂର୍ବାହ୍ଣ ପ୍ରାୟ ୧୧ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହା ପରେ ମୃତଦେହକୁ ପରିବାର କିମ୍ବା କୁଟୁମ୍ବଙ୍କ ସହ ସାହିଭାଇ ଛୁଇଁ ନଥିଲେ। ଖବରପାଇ ଅପରାହ୍ନ ୨ଟା ସମୟରେ ବିଡିଓ ବିଶ୍ବ ରଂଜନ ବିଶ୍ବାସଙ୍କ ସମେତ ଏନ୍ଏସି ନିର୍ବାହୀ ଅଧିକାରୀ ଦେବବ୍ରତ କର ଏବଂ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର ସାହୁ ଗାଁରେ ପହଞ୍ଚି ଶବ ସତ୍କାର କରିବା ପାଇଁ କିଛି କର୍ମଚାରୀଙ୍କ ସହାୟତାରେ ଦଶପଲ୍ଲା ସ୍ଥିତ ଏସାର୍ ପେଟ୍ରୋଲ ପମ୍ପ ନିକଟସ୍ଥ ଶ୍ମଶାନକୁ ଆଣିଥିଲେ। ତେବେ ରାସ୍ତାପାର୍ଶ୍ବ ଶ୍ମଶାନରେ କୋଭିଡ୍ ରୋଗୀଙ୍କୁ ଦାହ କରିବା ପାଇଁ କିଛି ବ୍ୟକ୍ତି ବାରଣ କରିଥିଲେ। ଏହା ପରେ ଶବଧରି ପୁରୁଣା ଦଶପଲ୍ଲାସ୍ଥିତ ଦଶହରା ପୂଜା ପଡିଆ ନିକଟସ୍ଥ ଶ୍ମଶାନକୁ ନେଇଥିଲେ। ସେଠାରେ ମଧ୍ୟ ଲୋକମାନେ ବିରୋଧ କରିବାରୁ ଶେଷରେ ଖମାରସାହିସ୍ଥିତ ଶ୍ମଶାନ ନିକଟରେ ଶବ ଦାହ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର