କରୋନା କଟକଣା କୋହଳ ପରେ : ଜନତା ଚଳଚଞ୍ଚଳ, ବନ୍ଦ ପଡ଼ିଛି ସରକାରୀ କଳ

ଖୋର୍ଦ୍ଧା: କରୋନା କଟକଣା କୋହଳ ହେବା ପରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ ହେଉଛି, କିନ୍ତୁ ଖୋର୍ଦ୍ଧାରେ ଥିବା ଅଧିକାଂଶ ସରକାରୀ କାର୍ଯ୍ୟାଳୟରୁ ଏଯାଏଁ କରୋନା ଭୟ ହଟିନାହିଁ । ଖୋର୍ଦ୍ଧା ଜିଲ୍ଲା ମହକୁମାରେ ଥିବା କାର୍ଯ୍ୟାଳୟଗୁଡ଼ିକରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଦେଖା ମିଳୁନାହିଁ ।

କରୋନା ଯୋଗୁଁ ଅନ୍ୟସ୍ଥାନ ଭଳି ଖୋର୍ଦ୍ଧା ଜିଲ୍ଲା ମହକୁମାରେ ସାଧାରଣ ଜୀବନଯାତ୍ରା ଓ ସରକାରୀ କାର୍ଯ୍ୟଗୁଡ଼ିକ ଉପରେ କଟକଣା ଲାଗିଥିଲା । ଏହା ମଧ୍ୟରେ ୩ଟି ଅନ୍-ଲକ୍ ଗାଇଡ୍ ଲାଇନ୍ ଜାରି କରାଯାଇଛି । ଅନ୍-ଲକ୍ ପରେ ଦୋକାନ ବଜାର, ଘରୋଇ ସଂସ୍ଥା, ବ୍ୟବସାୟିକ ପ୍ରତିଷ୍ଠାନ ପୂର୍ବ ଭଳି ସ୍ୱାଭାବିକ ଢଙ୍ଗରେ ଚଳଚଞ୍ଚଳ ହୋଇଛି । କିନ୍ତୁ ଖୋର୍ଦ୍ଧା ସହରରେ ଦୁଇ ତିନିଟି ସରକାରୀ କାର୍ଯ୍ୟାଳୟକୁ ଛାଡ଼ି ବଳକା କାର୍ଯ୍ୟାଳୟରେ ଏଯାଏଁ ଏପ୍ରିଲ୍ ମାସର କଟକଣା ଲାଗିଥିବା ଭଳି ମନେ ହେଉଛି ।

୫-ଟି ଲାଗୁ ହେବା ପରେ ଦିନ ୧୦ଟାରୁ ସଂଧ୍ୟା ୬ଟାଯାଏଁ ସରକାରୀ କାର୍ଯ୍ୟାଳୟରେ କର୍ମଚାରୀ ଓ ଅଧିକାରୀଙ୍କ ଉପସ୍ଥିତି ପାଇଁ ନିର୍ଦେଶ ଦିଆଯାଇଥିଲା । କରୋନା କଟକଣା କୋହଳ ହେବା ପରେ କିନ୍ତୁ ସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀଙ୍କ ଦିନ ୧୧ଟା ଯାଏଁ ଦେଖା ମିଳୁନାହିଁ । ଯେଉଁମାନେ ଆସୁଛନ୍ତି ଅପରାହ୍ଣ ୩ଟା ପରେ ସେମାନଙ୍କ ଦେଖା ମିଳୁନାହିଁ । ଅଧିକାଂଶ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ସେଇ ବିଭାଗର କୌଣସି ତଥ୍ୟ ମାଗିଲେ କରୋନା କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଏବେ ସେଗୁଡ଼ିକ କିଛି ମିଳିପାରିବନାହିଁ ବୋଲି ଉତ୍ତର ମିଳୁଛି ।

ଜିଲ୍ଲାସ୍ତରୀୟ ଅନେକ ବୈଠକ ସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦିଆଯାଉ ନଥିବା ବେଳେ ଏନେଇ ସୂଚନା ଅଧିକାରୀଙ୍କୁ ପଚାରିଲେ ବୈଠକ ସମ୍ପର୍କରେ ଖବର ପ୍ରକାଶ କରିବାକୁ ଅଧିକାରୀଙ୍କୁ ଅନୁମତି ମିଳିନାହିଁ ବୋଲି ଉତ୍ତର ମିଳୁଛି ।

୨୦୧୯ ମଇ ମାସରୁ ଆଜି ପର୍ଯ୍ୟନ୍ତ ଦେଢ଼ ବର୍ଷ ମଧ୍ୟରେ ଚାରି ଚାରି ଜଣ ଜିଲ୍ଲାପାଳଙ୍କ ବଦଳି ହୋଇଛି । ଚଳିତ ବର୍ଷ ଅଗଷ୍ଟ ମାସରେ ନୂତନ ଜିଲ୍ଲାପାଳ ଭାବେ ସନତ କୁମାର ମହାନ୍ତି ଯୋଗ ଦେବା ପରେ ଜିଲ୍ଲାରେ ପ୍ରାଶାସନିକ କାର୍ଯ୍ୟରେ ଚଂଚଳତା ବଢ଼ିବା ଆଶା କରାଯାଉଥିଲା କିନ୍ତୁ ସେଭଳି କିଛି ଦେଖିବାକୁ ମିଳିନାହିଁ ।

କରୋନା ଯୋଗୁଁ ୨୦୨୦-୨୧ରେ ଅଟକି ରହିଥିବା ଅନେକ ଉନ୍ନୟନମୂଳକ କାର୍ଯ୍ୟ ବର୍ତମାନ ତ୍ୱରାନ୍ୱିତ କରିବା ଓ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଥିବା ବେଳେ ଜିଲ୍ଲାରେ ଏଯାଏଁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆଖିଦୃଶିଆ ଭାବେ ଆରମ୍ଭ ହୋଇପାରିନାହିଁ ।

ସମ୍ବନ୍ଧିତ ଖବର