ଜନସଚେତନତା ଆଣିଲା ନୂଆ ଦିଶା: ରାୟଗଡ଼ାର ୭୮୬ ଗ୍ରାମ ବାଲ୍ୟ ବିବାହ ମୁକ୍ତ

ରାୟଗଡ଼ା: ସଚେତନତା ଆଣିଲା ବାଲ୍ୟ ବିବାହ କ୍ଷେତ୍ରରେ ନୂଆ ଦିଶା। ୭୮୬ ଗାଁ ହେଲା ବାଲ୍ୟ ବିବାହ ମୁକ୍ତ। ଗତ ବର୍ଷକ ମଧ୍ୟରେ ଉକ୍ତ ଗାଁ ଗୁଡ଼ିକରେ ଗୋଟିଏ ବି ବାଲ୍ୟ ବିବାହ ହୋଇନଥିବାରୁ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟି ସଭାପତି ତଥା ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କ ସୁପାରିଶକ୍ରମେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ୭୮୬ ଗାଁକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିଛନ୍ତି ଓ
ପ୍ରଚେଷ୍ଟା ଅଭିଯାନର ଫଳ ସ୍ୱରୂପ ଏହା ସମ୍ଭବ ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ୨୦୨୧ ମସିହାରେ ନିଜ ଗ୍ରାମରେ ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁଁ ଗ୍ରାମବାସୀ ମାନଙ୍କ ଅନୁରୋଧ କ୍ରମେ ଏବଂ ଗତବର୍ଷ ରାୟଗଡା ଜିଲ୍ଲାର ୫୫୯ ଟି ଗ୍ରାମକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ବାଲ୍ୟ ବିବାହ ମୁକ୍ତ ବୋଲି ଘୋଷଣା କରିଥିଲେ। ୨୦୨୧ ମସିହାରେ ଗୋଟିଏ ବି ବାଲ୍ୟ ବିବାହ ନ ହୋଇଥିବା ଯୋଗୁ ଏହି ଗ୍ରାମ ଗୁଡିକର ଗ୍ରାମବାସୀ ସରପଞ୍ଚଙ୍କ ଜରିଆରେ ନିଜ ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ବୋଲି ଘୋଷଣା କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ ଓ ଅନୁରୋଧ ପତ୍ରକୁ ଆଧାର କରି ସରପଞ୍ଚ ସେହି ଗ୍ରାମର ଅଙ୍ଗନୱାଡି କର୍ମୀଙ୍କୁ ତାଲିକା ଦେଖିବା ପାଇଁ କହିଥିଲେ ଏବଂ ସେହି ତଥ୍ୟକୁ ଆଧାର କରି ସରପଞ୍ଚ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀଙ୍କୁ ଏହି ଗ୍ରାମ ଗୁଡିକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ପାଇଁ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଅନୁରୋଧ କରିଥିଲେ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ଏହି ତାଲିକା ଗୁଡିକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ତଥା ସୁରକ୍ଷା ଅଧିକାରୀ କାମାକ୍ଷୀ ମଞ୍ଜରୀ ପାଢୀଙ୍କ ନଜରକୁ ଆଣିଥିଲେ ଓ ତାଲିକା ମଧ୍ୟରେ ରାୟଗଡ଼ା ବ୍ଲକର ୮୨ ଟି ଗ୍ରାମ ଥିବା ବେଳେ କୋଲନରା ବ୍ଲକର ୬୫ ଟି ଗ୍ରାମ, ରାମନାଗୁଡା ବ୍ଲକର ୫୮ ଟି, ଗୁଣୁପୁର ବ୍ଲକର ୬୧ଟି, ଗୁଡାରି ବ୍ଲକର ୫୪ଟି, ପଦ୍ମପୁର ବ୍ଲକର ୫୮ ଟି, ବିଷମକଟକ ବ୍ଲକର ୨୬ ଟି, ମୁନିଗୁଡା ବ୍ଲକର ୭୪ଟି, ଚନ୍ଦ୍ରପୁର ବ୍ଲକର ୧୨୧ଟି, କଲ୍ୟଣ ସିଂହ ପୁର ବ୍ଲକର ୧୦୩ ଟି ଓ କାଶୀପୁର ବ୍ଲକର ୮୪ଟି ଗ୍ରାମ ରହିଛି ଓ ଏହି ତାଲିକା ଗୁଡିକୁ ଜିଲ୍ଲାପାଳଙ୍କ ନିକଟକୁ ଅନୁମୋଦନ ନିମନ୍ତେ ପଠା ଯାଇଥିଲା ଏବଂ ଜିଲ୍ଲାପାଳ ସେହି ୭୮୬ ଟି ଗ୍ରାମକୁ ୨୦୨୧ ମସିହା ନିମନ୍ତେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ଘୋଷଣା କରିଛନ୍ତି।

ପ୍ରକାଶଥାଉ କି, ୨୦୧୯ ମସିହା ଅଗଷ୍ଟ ମାସରୁ ରାୟଗଡ଼ା ଜିଲ୍ଲାକୁ ଏକ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ନିମନ୍ତେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ସମାଜ ମଙ୍ଗଳ ଉପ ବିଭାଗ, ୟୁନିସେଫ ଓ ଆକ୍ସନ ଏଡର ମିଳିତ ଉଦ୍ୟମରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସୂତ ହୋଇଥିଲା ଓ ସମସ୍ତ ପିଲା ବିଦ୍ୟାଳୟକୁ ଯିବେ, ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ପ୍ରସ୍ତୁତ ଏହି କାର୍ଯ୍ୟ ଖସଡା ଅନୁସାରେ ବିଭିନ୍ନ ବିଭାଗର ମିଳିତ ସଂଯୋଜନା କ୍ରମେ ବାଲ୍ୟ ବିବାହ ନିଷେଧ ନିମନ୍ତେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ପଢୁଥିବା ପିଲା, ପଞ୍ଚାୟତରାଜ ପ୍ରତିନିଧି, କିଶୋର ବାଳକ, କିଶୋରୀ ବାଳିକା ଓ ଜାତି ସମାଜର ମୁଖ୍ୟ ମାନଙ୍କୁ ନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ତଥା ଶପଥ ପାଠର ଆୟୋଜନର ଫଳ ସ୍ୱରୂପ ଜିଲ୍ଲାରେ ୨୦୨୧ ମସିହାରେ ୭୮୬ ଟି ଗ୍ରାମରେ ଗୋଟିଏ ବି ବାଲ୍ୟ ବିବାହ ହୋଇ ନ ଥିଲା।

ସମ୍ବନ୍ଧିତ ଖବର