ସତ୍ୟବ୍ରତ ନାୟକ ହତ୍ୟା ମାମଲା, ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ

ଖୋର୍ଦ୍ଧା: ଅଗଷ୍ଟ ୨ ଅଭିମାନପୁରର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ୬ ଜଣଙ୍କୁ ମଧ୍ୟରୁ ୩ଜଣଙ୍କୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣିଥିଲା । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟରେ ହାଜର କରାଯାଇଛି । ତେବେ ପଚରାଉଚୁରାରେ ମାନସ ଦାସ ଅଭିଯୁକ୍ତଙ୍କ ସହ ହତ୍ୟା ପୂର୍ବରୁ, ସମୟରେ ଓ ପରେ ନିୟମିତ ଭାବେ ସମ୍ପର୍କରେ ଥିବା ଭଳି ବଳିଷ୍ଠ ପ୍ରମାଣ ପୁଲିସ ହାତକୁ ଲାଗିଥିବା ଜଣାଯାଇଛି । ବେଗୁନିଆ ଥାନା ମାମଲା ନଂ ୧୬୬/୨୦୨୧ରେ ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କ ଅପହରଣ ଓ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିବା ଘଟଣାରେ ପଚରାଉଚୁରା କରିବାକୁ ଖୋର୍ଦ୍ଧା ପୁଲିସ ସ୍ୱପ୍ନେଶ୍ୱର ନାୟକ, ବୈକୁଣ୍ଠ ନାୟକ ଓ ଟୁଲୁ ବେହେରାଙ୍କୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲେ । ଚଳିତ ମାସ ୧ ତାରିଖରେ ସତ୍ୟବ୍ରତ ନାୟକ ହତ୍ୟା ମାମଲା, ବେଗୁନିଆ ଥାନା ମାମଲା ନଂ ୧୪୯/୨୧ରେ ଗିରଫ ହୋଇଥିବା ସ୍ୱପ୍ନେଶ୍ୱର ନାୟକ ଓରଫ ସପନି, ବୈକୁଣ୍ଠ ନାୟକ ଓ ଟୁଲୁ ବେହେରାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଥିଲେ । ପୁଲିସ ସେମାନଙ୍କୁ ଆଣି ଉଭୟ ମାମଲାରେ ମାନସ ଦାସ ଓ ତାଙ୍କ ପୁଅ ମନୋରଂଜନଙ୍କ ସମ୍ପୃକ୍ତି ନେଇ ପଚରାଉଚୁରା କରିଥିଲେ ।

ପଚରାଉଚୁରା ଓ ଫୋନ୍ ରେକର୍ଡ ଯାଂଚରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୁଲିସ ହାତକୁ ଲାଗିଥିବା ଜଣାଯାଇଛି । ସତ୍ୟବ୍ରତ ନାୟକଙ୍କ ହତ୍ୟା ସମୟରେ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନଙ୍କ ସହ ଅଭିଯୁକ୍ତମାନେ ନିୟମିତ ଭାବେ ଫୋନ୍ ସମ୍ପର୍କରେ ଥିଲେ । ଯଦି ବସନ୍ତ ନାୟକ ଏନେଇ ଥାନାରେ ଏତଲା ଦେଇନଥାନ୍ତେ ଓ ମାନସ ନାୟକଙ୍କ ନାମ ଏତଲାରେ ଦର୍ଶାଯାଇନଥାନ୍ତା ତେବେ ସେମାନେ ଫେରାର୍ ହୋଇଯିବାକୁ ଯୋଜନା କରିଥିଲେ ବୋଲି ଜଣାଯାଇଛି । ସତ୍ୟବ୍ରତ ନାୟକଙ୍କ ହତ୍ୟା ପୂର୍ବରୁ ମାଗୁଣି ନାୟକ ଓ ତାଙ୍କ ପୁଅ ଆନନ୍ଦ ନାୟକଙ୍କୁ ଘରୁ ଡାକି ଆଣି ଏକ ପ୍ରକୋଷ୍ଠରେ ବନ୍ଦ କରି ରଖିବା ଓ ସେମାନଙ୍କୁ ସଂଗଠନ ବିରୋଧରେ କାମ କରିଥିବାରୁ ଉଚିତ ଶିକ୍ଷା ଦେବାକୁ ଉଭୟ ମାନସ ଦାସ ଓ ମନୋରଂଜନ ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି । ଅଭିଯୁକ୍ତଙ୍କ ବୟାନ ଓ ସେମାନଙ୍କ ସିଡିଆର୍ (କଲ୍ ଡିଟେଲ୍ ରେକର୍ଡ) ଯାଂଚରେ ମାନସ ଦାସ ଓ ମନୋରଂଜନ ନିୟମିତ ସମ୍ପର୍କରେ ଥିବା ସତ୍ୟ ବୋଲି ପ୍ରମାଣ ମିଳିଛି ।

ମାଗୁଣି ଓ ତାଙ୍କ ପୁଅଙ୍କୁ ଯେଉଁଭଳି ଭାବେ ଘରୁ ଡାକି ଆଣି ମାଡ଼ ମାରିଥିଲେ ସେଭଳି ସତ୍ୟବ୍ରତ ନାୟକଙ୍କୁ ମଧ୍ୟ କରଡ଼ଗାଡ଼ିଆ ଯୁବକସଂଘ ଘରେ ମାଡ଼ ମରାଯାଇଥିଲା ବୋଲି ଅଭିଯୁକ୍ତମାନେ କହିଛନ୍ତି । ଏହା ସହ ପଚରାଉଚୁରାରେ ଅଭିଯୁକ୍ତମାନେ ସଂଗଠନର ଆର୍ଥିକ କାରବାର ସମ୍ପର୍କରେ ବିଶେଷ ଜାଣିନଥିବା କହିଛନ୍ତି, କିନ୍ତୁ  ସଂଗଠନ ଚଳାଇବା ପାଇଁ ବାହାରୁ ଟଙ୍କା ଆସୁଥିବା ସେମାନ କହିଛନ୍ତି । ସେମାନେ କେବଳ ମାନସ ଦାସଙ୍କ ନିର୍ଦ୍ଦେଶରେ ସଭ୍ୟ ଚାନ୍ଦା ୩୦ରୁ ୫୦ ଟଙ୍କା ସଂଗ୍ରହ କରି ହେଡକ୍ୱାଟରରେ ଦାଖଲ କରୁଥିଲେ ବୋଲି ପଚରାଉଚୁରାରେ କହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର