କାଳିଆପାଣି: ‌ରେଙ୍ଗାଲି ବାମ କେନାଲ ଖନନ ପାଇଁ ଜମି ହରାଇଥିବା ସୁକିନ୍ଦା ତହସିଲ ମାଧପୁର ଓ ନିଜିଗଡ଼ ମୌଜା ଅଧୀନ ୫୦ ରୁ ଅଧିକ କ୍ଷତିଗ୍ରସ୍ତ ଚାଷୀ ଉଚିତ ପ୍ରାପ୍ୟ ଦାବିରେ ଆଜି ସୁକିନ୍ଦା ଜଳସମ୍ପଦ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ସ୍ବତନ୍ତ୍ର ଜମି ଅଧିଗ୍ରହଣ ଓ ଥଇଥାନ(ଏଲ୍‌ଏଆର୍) ଅଦାଲତଙ୍କ ନିର୍ଦେଶ ସତ୍ତ୍ବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅତିରିକ୍ତ ଧାର୍ଯ୍ୟ କ୍ଷତିପୂରଣ ରାଶି ନମିଳିବା ପ୍ରତିବାଦରେ ଗୋଲକ ଚନ୍ଦ୍ର ବେହୁରା, ରବୀନ୍ଦ୍ର ବେହୁରା, ବିଶ୍ବଜିତ ବେହୁରା, ଫକୀର ମୁଖି, ଅଂଶୁମାନ ବେହୁରା, କବୀର ବଦରା, ଶରତ ଚନ୍ଦ୍ର ବେହୁରା, ସାହିଦୁର ରେହମାନ, ଖଗେଶ୍ବର ମହାନ୍ତଙ୍କ ନେତୃତ୍ବରେ ଜମିହରାମାନେ ଆନ୍ଦୋଳନ କରିଥିଲେ।
ସେମାନଙ୍କ ଅଭିଯୋଗ ଯେ ମାଧପୁର ରାଜସ୍ବ ମୌଜାରେ ସରକାରଙ୍କ ପକ୍ଷରୁ ୨୦୧୧-୧୨ ରେ ଜମି ଅଧିଗ୍ରହଣ ଆରମ୍ଭହୋଇ ୨୦୧୫-୧୬ ରେ ପ୍ରକ୍ରିୟା ଶେଷ ହୋଇଥିଲା। ସଂପୃକ୍ତ ଜମି ମାଲିକଙ୍କୁ ଡିସିମିଲ ପିଛା ମାତ୍ର ୨୫ଶହ ଟଙ୍କା ପ୍ରଦାନ କରାଯାଇଥିଲା।

Advertisment

ସେହିପରି ନିଜଗଡ଼ ମୌଜାରେ ଜମି ଅଧିଗ୍ରହଣ ୨୦୧୬ ରୁ ଆରମ୍ଭହୋଇ ୨୦୨୦-୨୧ ରେ ସରିଥିଲେ ମଧ୍ୟ ଏଠାରେ ଜାତୀୟ ରାଜପଥ ପାର୍ଶ୍ବ ଜମି ପାଇଁ ଡିସିମିଲ ପିଛା ଚାଷୀମାନଙ୍କୁ ୯ ହଜାର ଟଙ୍କା ଓ ନିର୍ଦ୍ଧାରିତ ସୀମାରୁ ଦୂରରେ ଥିବା ଜମି ବାବଦକୁ ଡିସିମିଲ ପିଛା ୫ ହଜାର ପ୍ରଦାନ କରାଯାଇଥିଲା। କିନ୍ତୁ ବେସରକାରୀ ଭାବେ ଉପରୋକ୍ତ ଜମିସବୁ ୧୦ ରୁ ୨୦ ଗୁଣା ଅଧିକ ଦରରେ କିଣାବିକା ହେଉଥିବାରୁ କ୍ଷତିଗ୍ରସ୍ତ ଚାଷୀକୁଳ ଅଧିକ ଅର୍ଥରାଶି ଦାବି କରିଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ବାଧ୍ୟହୋଇ କ୍ଷତିଗ୍ରସ୍ତ ଚ‌ାଷୀମାନେ ସ୍ବତନ୍ତ୍ର ଜମି ଅଧିଗ୍ରହଣ ଓ ଥଇଥାନ (ଏଲ୍‌ଏଆର୍) ଅଦାଲତରେ ନ୍ୟାୟଭିକ୍ଷା କରିଥିଲେ। ଏଲ୍‌ଏଆର୍ କୋର୍ଟ ଉକ୍ତ ମାମଲାର ବିଚାରକରି ସରକାର ୩ ମାସ ମଧ୍ୟରେ ମାଧପୁର ମୌଜାର ଚାଷୀଙ୍କୁ ଡିସିମିଲି ପିଛା ୭୫୦ ଟଙ୍କା ଅତିରିକ୍ତ ରାଶି ଆଧାରରେ ୩୨୫୦ ଟଙ୍କା ଓ ନିଜିଗଡ଼ର ଚ‌ାଷୀଙ୍କୁ ଡିସିମିଲ ବାବଦକୁ ୨୧ ହଜାର ୯୬୦ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସତ୍ତ୍ବେ ଅତିରିକ୍ତ କ୍ଷତିପୂରଣ ରାଶି ପ୍ରଦାନ କ୍ଷେତ୍ରରେ ବିଭାଗୀୟ କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ମିଳିତ କୃଷକ ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ନବକୃଷ୍ଣ ଜେନାଙ୍କୁ ଦାବିପତ୍ର ଦିଆଯାଇଥିଲା। ଏ ସଂପର୍କରେ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ ଜେନାଙ୍କୁ ଯୋଗାଯୋଗ କରିବାରେ ସଂପୃକ୍ତ ଜମିମାଲିକଙ୍କୁ ଅତିରିକ୍ତ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଖୁବ୍‌ଶୀଘ୍ର ସେମାନେ ଅଦାଲତଙ୍କ ନିର୍ଦେଶ ଆଧାରରେ ପ୍ରାପ୍ୟ ପାଇବେ ବୋଲି କହିଛନ୍ତି।