ରେଙ୍ଗାଲି ନଦୀବନ୍ଧ ବିସ୍ଥାପିତଙ୍କ ଅର୍ଥ ହଡ଼ପ ମାମଲା : କ୍ରାଇମବ୍ରାଞ୍ଚ ସୁପାରିସ୍‌ରେ ମାମଲା

ଦେବଗଡ଼: ରେଙ୍ଗାଳୀ ନଦୀ ବନ୍ଧ ଯୋଜନା ବିସ୍ଥାପିତଙ୍କ କ୍ଷତିପୂରଣ ଅର୍ଥ ହଡ଼ପ ଅଭିଯୋଗ ଭିତ୍ତିରେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଶାଖା ସୁପାରିଶକ୍ରମେ ଦେବଗଡ଼ ଜିଲ୍ଲା ପୁଲିସ୍‌ ମଙ୍ଗଳବାର ପୂର୍ବତନ ବିଧାୟକ ସଞ୍ଜୀବ ପ୍ରଧାନ ଓ ଓକିଲ ବିଜୟ ପ୍ରଧାନଙ୍କ ସହ ନୋଟାରୀ ପ୍ରଦୀପ ଧଳ ଓ ପ୍ରସନ୍ନ ନାଏକଙ୍କ ନାଁରେ ମାମଲା ରୁଜୁ କରିଛି। ସୂଚନାଥାଉ କି କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଶାଖା ଦ୍ୱାରା ପୂର୍ବ ବିଧାୟକ ଶ୍ରୀ ପଧାନ ଅକ୍ଟୋବର ୧୦ ତାରିଖରେ ତଥା ବାରକୋଟ ପୁଲିସ୍‌ ଦ୍ୱାରା ଓକିଲ ବିଜୟ ପ୍ରଧାନ ନଭେମ୍ବର ୧୯ ତାରିଖରେ ଗିରଫ ହୋଇ ସାରିଛନ୍ତି। ଗିରଫ ଓକିଲଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନ ଥିବାରୁ ସେ ପୁଲିସ୍‌ ହେପାଜତରେ ବର୍ତ୍ତମାନ ବୁର୍ଲାରେ ଚିକିତ୍ସାଧୀନ।
ବାରକୋଟ ଥାନା ଭାଟସିଂ ଗାଁର ରୋହିତେଶ୍ୱର ନାୟକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାପା ସ୍ୱର୍ଗତ କୃତାର୍ଥ ନାୟକ ଜୀବିତାବସ୍ଥାରେ ରେଙ୍ଗାଲି ନଦୀ ବନ୍ଧ କ୍ଷତିଗ୍ରସ୍ତ ଭାବେ କ୍ଷତିପୂରଣ ଟଙ୍କା ପାଇବା ପାଇଁ ପୂର୍ବ ବିଧାୟକ ତଥା ତତ୍‌କାଳୀନ ଆଇନଜୀବୀ ସଞ୍ଜୀବ ପ୍ରଧାନଙ୍କ ଓକିଲ ଭାବେ ନିଯୁକ୍ତ କରିଥିଲେ। ଶ୍ରୀ ନାୟକଙ୍କର ୨ଟି ଏଲ୍‌.ଏ. କେସ ନଂ- ୪୭/୨୦୦୩ ଓ ୯/୨୦୦୯କୁ ଆଇନଜୀବୀ ଶ୍ରୀ ପ୍ରଧାନ ପରିଚାଳନା କରିଥିଲେ। ତେବେ କୃତାର୍ଥଙ୍କ ମୃତ୍ୟୁ ପରେ ଆଇନଜୀବୀ ଶ୍ରୀ ପ୍ରଧାନ ଏକ ଜାଲ ପାଓ୍ଵାର ଅଫ୍‌ ଆଟର୍ଣ୍ଣି ପ୍ରସ୍ତୁତ କରି ପ୍ରସନ୍ନ ନାୟକ ନାମକ ଜନୈକ ବ୍ୟକ୍ତିଙ୍କୁ କୃତାର୍ଥଙ୍କ ପୁଅ ଦର୍ଶାଇ କେସ ନଂ- ୪୭/୨୦୦୩ ବାବଦକୁ ୨ ଲକ୍ଷ ୫୯ ହଜାର ୪୫୨ ଟଙ୍କା ଓ କେସ ନଂ- ୯/୨୦୦୯ ଦୁଇଟି ଯାକ ଏଲ୍‌.ଏ. କ୍ଷତିପୁରଣ ବାବଦକୁ ୧ ଲକ୍ଷ ୩୮ ହଜାର ୭୮୬ ଟଙ୍କା ହଡ଼ପ କରି ନେଇଥିଲେ। ତେବେ କୃତାର୍ଥଙ୍କ ପୁଅ ରୋହିତେଶ୍ୱର ନିଜ କ୍ଷତିପୂରଣ ଅର୍ଥ ପାଇଁ ତାଙ୍କ ନିକଟକୁ ବାରମ୍ବାର ଦୌଡିଥିଲେ ହେଁ ଶ୍ରୀ ପ୍ରଧାନ ପ୍ରାପ୍ୟ ଦେବା ତ ଦୂରର କଥା, ସେ ନେଇ କୌଣସି ସନ୍ତୋଷଜନକ ଉତ୍ତର ବି ଦେଇପାରି ନଥିଲେ। ଫଳରେ ସନ୍ଦେହ ହେବାରୁ ରୋହିତେଶ୍ୱର ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରି ଉପରୋକ୍ତ ଚଞ୍ଚକତା ସଂପର୍କରେ ଜାଣିବାକୁ ପାଇଥିଲେ। ଏ ନେଇ ସେ କ୍ରାଇମ୍‌ବ୍ରାଞ୍ଚ୍‌ର ଅର୍ଥନୈତିକ ଶାଖାରେ ଗତ ୩୦.୭.୨୦୧୪ରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ୨ ବର୍ଷ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁନର୍ବାର ସେ ଦେବଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏସ୍‌ପି ବି. ଗଙ୍ଗାଧର ଘଟଣାର ପ୍ରାଥମିକ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଥିବା ଜାଣିବା ପରେ ପ୍ରାପ୍ୟ ତଥ୍ୟ ଓ ପ୍ରମାଣ ସହ ମାମଲାଟିକୁ ପୁଣି ଥରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଶାଖାକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରିଥିଲେ। ତେବେ ସେଠାରୁ ମାମଲାଟି ଜିଲ୍ଲା ପୁଲିସକୁ ହସ୍ତାନ୍ତର କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି। ମଙ୍ଗଳବାର ରୋହିତେଶ୍ୱର ବାରକୋଟ ଥାନାରେ ପହଞ୍ଚି ଆଇନଜୀବୀ ସଞ୍ଜୀବ ପ୍ରଧାନ, ଆଇନଜୀବୀ ବିଜୟ ପ୍ରଧାନ, ନୋଟାରୀ ପ୍ରଦୀପ ଧଳ ଓ ପ୍ରସନ୍ନ ନାଏକଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ସମସ୍ତଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର